ସୌମ୍ୟ ହତ୍ୟା ମାମଲା: ପେନ୍ଡ୍ରାଇଭ ତଥ୍ୟ ମିଳିଲା କ୍ରାଇମବ୍ରାଞ୍ଚ ହାତରେ
ନ୍ୟାୟ ପାଇବା ପାଇଁ ସୌମ୍ୟଙ୍କ ପରିବାର କସରତ ଜାରି ରଖିଛନ୍ତି…
ନ୍ୟାୟ ପାଇବା ପାଇଁ ସୌମ୍ୟଙ୍କ ପରିବାର କସରତ ଜାରି ରଖିଛନ୍ତି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ସୌମ୍ୟରଞ୍ଜନଙ୍କ ବାପା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ସୌମ୍ୟରଞ୍ଜନଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ହ୍ୱାଟ୍ସଆପ୍ ଚାଟ୍ ଏବଂ ଡିଜିଟାଲ ପ୍ରମାଣ ସମ୍ବଳିତ ଏକ ପେନ୍ଡ୍ରାଇଭ୍ କ୍ରାଇମବ୍ରାଞ୍ଚରେ ଦାଖଲ କରିଛନ୍ତି। ଏହି ଚାଟ୍ଗୁଡ଼ିକରେ କ’ଣ ରହିଛି ଏବଂ ସେଥିରୁ କୌଣସି ସ୍ପଷ୍ଟ ସୁରାକ୍ ମିଳିଛି କି ନାହିଁ, ସେନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
ସୌମ୍ୟରଞ୍ଜନଙ୍କ ହତ୍ୟା ପଛରେ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ତାଙ୍କ ପରିବାର ଆରମ୍ଭରୁ ଅଭିଯୋଗ କରିଆସୁଛନ୍ତି। ଗତ ମେ ୩୧ରେ ପରିବାର ପକ୍ଷରୁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପଲିଗ୍ରାଫ୍ ପରୀକ୍ଷା କରାଯିବାକୁ ଦାବି କରାଯାଇଥିଲା। ଘଟଣାର ପ୍ରକୃତ ସତ୍ୟ ଏବଂ ପଛରେ ଥିବା ପ୍ରକୃତ ମାଷ୍ଟରମାଇଣ୍ଡ୍ ସାମ୍ନାକୁ ଆଣିବାକୁ ଲାଗି ପରିବାର ଲୋକ ତଦନ୍ତକାରୀ ଅଧିକାରୀଙ୍କୁ ଦାବି ଜଣାଇଥିଲେ। ଫେରାର ଥିବା ଅଭିଯୁକ୍ତଙ୍କ ଗିରଫଦାରୀ, କ୍ରାଇମବ୍ରାଞ୍ଚର ଖୋଳତାଡ଼ ଏବଂ ନୂତନ ଡିଜିଟାଲ ତଥ୍ୟର ସଂଗ୍ରହ ସତ୍ତ୍ୱେ ମାମଲାର ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ଅସ୍ପଷ୍ଟ ରହିଛି। ସୌମ୍ୟ ବାପାଙ୍କ ଦ୍ୱାରା ଦିଆଯାଇଥିବା ପେନ୍ଡ୍ରାଇଭ୍ ତଥ୍ୟ ତଦନ୍ତକୁ କେଉଁ ଦିଗକୁ ମୋଡ଼ ଦେଉଛି ଏବଂ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ କିପରି ଆଗକୁ ବଢ଼ୁଛି, ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ଗତ ବର୍ଷ ମେ ୭ ତାରିଖରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି କନଷ୍ଟେବଳ ସୌମ୍ୟରଞ୍ଜନଙ୍କୁ ସ୍ଥାନୀୟ କିଛି ଲୋକ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ।
ଏହି ମାମଲାରେ ଏବେସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ବିରୋଧରେ କ୍ରାଇମ୍ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରାଯାଇଛି। ଗିରଫଙ୍କ ମଧ୍ୟରୁ ୬ ଜଣଙ୍କୁ ଜାମିନ ମିଳି ସାରିଛି। ଫଳରେ ନ୍ୟାୟ ପାଇବା ନେଇ ସୌମ୍ୟ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି।