ଘରୋଇ ହଷ୍ଟେଲରୁ ରାତିରେ ୪ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଏହି ୪ ଜଣ ଛାତ୍ର ଉକ୍ତ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ…

କେନ୍ଦୁଝର/ପାଟଣା,(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ବଜାର ନିକଟରେ ଥିବା BLOM EDUCATION ଘରୋଇ ହଷ୍ଟେଲରୁ ବିଳମ୍ବିତ ରାତିରେ ୪ ଜଣ ଦଶମ ଶ୍ରେଣୀ ଛାତ୍ର ଚାଲିଯାଇଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ନିଖୋଜ ଛାତ୍ରମାନଙ୍କ ବୟସ ପ୍ରାୟ ୧୫ ବର୍ଷ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରୁଦ୍ର କୁମାର ନାଏକ, ଘର ଆନନ୍ଦପୁର ଅଞ୍ଚଳ,ପିପୁଲ କୁମାର ମହାନ୍ତ ଘର ବାଲିବନ୍ଦ,ଶୁଭମ ମହାନ୍ତ ଘର ବୁଢ଼ିକାପୁଡ଼ି,ଏବଂ ଶୁଭମ ମହାନ୍ତ ଘର ଜାମପଶି । ଏହି ୪ ଜଣ ଛାତ୍ର ଉକ୍ତ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ ।

ସେମାନଙ୍କ ମଧ୍ୟରୁ ପିପୁଲ କୁମାର ମହାନ୍ତ କେନ୍ଦେଇପଶି ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଅନ୍ୟ ୩ ଜଣ ଛାତ୍ର ସିଲିଦା ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୨ଟା ସମୟରେ ୪ ଜଣ ଛାତ୍ର ହଷ୍ଟେଲରୁ ବାହାରି କୁଆଡ଼େ ଚାଲିଯାଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଛାତ୍ରମାନେ ହଷ୍ଟେଲରୁ ବାହାରିଥିବା ଜଣାପଡ଼ିଥିବା କୁହାଯାଉଛି।

ଘଟଣା ସମ୍ପର୍କରେ ତୁରୁମୁଙ୍ଗା ଥାନାକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ରାତିରେ ହଷ୍ଟେଲରୁ ବାହାରିବା ପରେ ଛାତ୍ରମାନେ କେଉଁଆଡ଼େ ଯାଇଛନ୍ତି, ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପରେ ଛାତ୍ରମାନଙ୍କ ପରିବାର ମଧ୍ୟରେ ଚିନ୍ତା ବଢ଼ିଛି। ଛାତ୍ରମାନଙ୍କୁ ଶୀଘ୍ର ଖୋଜି ବାହାର କରିବା ପାଇଁ ପୁଲିସ, ପରିବାର ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। କୌଣସି ବ୍ୟକ୍ତି ଏହି ୪ ଜଣ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ପାଇଲେ ନିକଟସ୍ଥ ପୁଲିସ କିମ୍ବା ସମ୍ପୃକ୍ତ ପରିବାରକୁ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି। କେନ୍ଦୁଝର ରୁ ଅଞ୍ଜନ କୁମାର ରଣା ରିପୋର୍ଟ।