ହାତୀ ସଂରକ୍ଷଣ ଓ କଲ୍ୟାଣର ବାର୍ତ୍ତା ନେଇ ନନ୍ଦନକାନନରେ ବିଶ୍ୱ ହାତୀ ଦିବସ ୨୦୨୬ ପାଳିତ

ହାତୀଙ୍କ ଯତ୍ନ ଓ ପରିଚାଳନାରେ ନିରନ୍ତର ଓ ମୂଲ୍ୟବାନ ଅବଦାନ…

ଭୁବନେଶ୍ୱର (ସାକ୍‌ସୀ ନ୍ୟୁଜ୍‌): ଏହି ଅବସରରେ ହାତୀମାନଙ୍କ ପାଇଁ ସ୍ୱତନ୍ତ୍ର ଫିଡିଂ ଏନ୍‌ରିଚ୍‌ମେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବାସନ୍ତୀ, ହୀରା, ଆଶା ଓ ଲିଶା ହାତୀଙ୍କୁ ପ୍ରାକୃତିକ ଖାଦ୍ୟ ଗ୍ରହଣ ଆଚରଣକୁ ଉତ୍ସାହିତ କରିବା ସହ ସେମାନଙ୍କ ପୋଷଣ ଆବଶ୍ୟକତା ପୂରଣ ନିମନ୍ତେ ପୁଷ୍ଟିକର ଫଳ ଖାଦ୍ୟ ଦିଆଯାଇଥିଲା। ହାତୀଙ୍କ ଯତ୍ନ ଓ ପରିଚାଳନାରେ ନିରନ୍ତର ଓ ମୂଲ୍ୟବାନ ଅବଦାନ ପାଇଁ ନନ୍ଦନକାନନର ମାହୁନ୍ତମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପର୍ଯ୍ୟଟକ ଓ ଛାତ୍ରଛାତ୍ରୀମାନଙ୍କୁ ହାତୀଙ୍କ ଆଚରଣ, କଲ୍ୟାଣ ଓ ସଂରକ୍ଷଣ ସମ୍ପର୍କରେ ସଚେତନ କରିବା ପାଇଁ କିପର୍ସ ଟକ୍, ଅନ୍-ଦ-ସ୍ପଟ୍ କୁଇଜ୍‌ ଏବଂ ସ୍ୱାକ୍ଷର ଅଭିଯାନ ଆୟୋଜନ କରାଯାଇଥିଲା ।

ନନ୍ଦନକାନନର ଜୁ ଲାଇବ୍ରେରୀ ଆଣ୍ଡ ଡିଜିଟାଲ୍ ହବ୍ରେ ହାତୀ ସମ୍ପର୍କିତ କାହାଣୀ କଥନ, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏସୀୟ ଓ ଆଫ୍ରିକୀୟ ହାତୀଙ୍କ ଭୂମିକା ପ୍ରଦର୍ଶନ, ହାତୀ ଓରିଗାମି, ହାତୀ ସଂରକ୍ଷଣ ସମ୍ପର୍କିତ ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ହାତୀ ଚିତ୍ର ଉପରେ ହ୍ୟାଣ୍ଡ ପେଣ୍ଟିଂ ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିସହିତ ଏଲିଫାଣ୍ଟ ଫ୍ରେମ୍ ମାଧ୍ୟମରେ ଫଟୋ ଉଠାଇବାର ସୁଯୋଗ ପର୍ଯ୍ୟଟକମାନଙ୍କ ପାଇଁ ଉତ୍ସବରେ ଏକ ଆନନ୍ଦଦାୟକ ଓ ସ୍ମରଣୀୟ ଅନୁଭୂତି ଯୋଗାଇଥିଲା ।

କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଦର୍ଶକଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନରୁ ହାତୀ ଆବାସସ୍ଥଳୀ ପରିଦର୍ଶନ କରାଯାଇଥିଲା। ଏହା ମାଧ୍ୟମରେ ସେମାନେ ହାତୀଙ୍କ ଜୀବବିଜ୍ଞାନ, ଯତ୍ନ ଓ ପରିଚାଳନା ସମ୍ପର୍କରେ ଜାଣିବା ସହ ଏକ୍ସ-ସିଟୁ ସଂରକ୍ଷଣର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବାର ସୁଯୋଗ ପାଇଥିଲେ ।

ଏହି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନନ୍ଦନକାନନ ଜୈବ ଉଦ୍ୟାନ ହାତୀଙ୍କ କଲ୍ୟାଣ, ସଂରକ୍ଷଣ ଶିକ୍ଷା ଏବଂ ହାତୀ ଓ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ପ୍ରେରିତ କରିବା ଦିଗରେ ନିଜର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିଛି।