‘କଳା ଓ କ୍ୟାମେରା’ ଫଟୋଗ୍ରାଫି କର୍ମଶାଳା ଉଦ୍ଯାପିତ
ଆଜିର ଉଦ୍ଯାପନୀ ସମାରୋହରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ…
ଭୁବନେଶ୍ବର(ସାକ୍ସୀ ନ୍ୟୁଜ୍): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ଫଟୋଗ୍ରାଫି କର୍ମଶାଳା ‘କଳା ଓ କ୍ୟାମେରା ୨୦୨୬’ ଆଜି ଉଦ୍ଯାପିତ ହୋଇଯାଇଛି। ଅଗଷ୍ଟ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଏହି ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଆଜିର ଉଦ୍ଯାପନୀ ସମାରୋହରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଫଟୋଗ୍ରାଫି ହେଉଛି ଆମ ଐତିହ୍ୟ, ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଦୈନଦିନ ଜୀବନର କିଛି ମୂଲ୍ୟବାନ ମୁହୂର୍ତ୍ତକୁ ଜୀବନ୍ତ କରି ରଖିବାର ଏକ ଅନନ୍ୟ ମାଧ୍ୟମ। ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଫଟୋଗ୍ରାଫି କର୍ମଶାଳା ‘କଳା ଓ କ୍ୟାମେରା ୨୦୨୬’ ସମସ୍ତ ପ୍ରତିଭାବାନ ଫଟୋଗ୍ରାଫରମାନଙ୍କୁ ନୂତନ ଅନୁଭୂତି ଓ ଦିଗଦର୍ଶନ ପ୍ରଦାନ କରିଛି ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ। ଏଥିସହ କର୍ମଶାଳାରେ ଯୋଗଦେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୩୦ରୁ ଉର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ ଏହି ରାଜ୍ୟ ସ୍ତରୀୟ ଫଟୋଗ୍ରାଫି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ‘ବେସିକ୍ସ ଅଫ୍ ଫଟୋଗ୍ରାଫି’, ‘ଷ୍ଟ୍ରିଟ୍ ଓ କ୍ୟାଣ୍ଡିଡ ଫଟୋଗ୍ରାଫି’, ‘ଲ୍ୟାଣ୍ଡସ୍କେପ୍ ଫଟୋଗ୍ରାଫି’, ପୋଟ୍ରେଟ୍ ଫଟୋଗ୍ରାଫି’ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆଜିର ଉଦ୍ଯାପନୀ ସମାରୋହରେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ଼. ଭାରତୀ ପାଲ, ଅତିରିକ୍ତ ଇନସ୍ପେକ୍ଟର ଜେନେରାଲ, ଓଡ଼ିଶା କାରାଗାର ଓ ସଂଶୋଧନ ସେବା ନିର୍ଦ୍ଦେଶାଳୟ ଶ୍ରୀ ଆଶିଷ କୁମାର ଜେନା, ଫଟୋଗ୍ରାଫର ଶ୍ରୀ ଦିଲୀପ ଧୀର ସାମନ୍ତ ଉପସ୍ଥିତ ଥିଲେ ।