ଉନ୍ନତ ଯନ୍ତ୍ରପାତି ବିତରଣ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଶିଳ୍ପୀଙ୍କ ଦକ୍ଷତାକୁ ନୂତନ ଶକ୍ତି

ହସ୍ତଶିଳ୍ପୀଙ୍କ ଦକ୍ଷତା ପାଇଁ ଆଧୁନିକ ଉପକରଣର ସହଯୋଗ

୧୨୦୦ ହସ୍ତଶିଳ୍ପୀଙ୍କ ପାଇଁ ୧୨୦୦ ଉନ୍ନତ ଉପକରଣ…

(ସାକ୍‌ସୀ ନ୍ୟୁଜ୍‌): ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ବଜାର ସହିତ ଯୋଡ଼ିବା ଏବଂ ହସ୍ତଶିଳ୍ପୀଙ୍କ ଉତ୍ପାଦନକ୍ଷମତା ଓ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଉନ୍ନତ ଉପକରଣ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାର ବନମାଳୀପୁର ଅନ୍ତର୍ଗତ ଭାକରସାହିଠାରେ ତା. ୦୭.୦୯.୨୦୨୬ (ସୋମବାର) ଦିନ ଆୟୋଜନ କରାଯାଇଛି ।

ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ୍‌ (ଉତ୍କଳିକା) ୧୯୫୯ ମସିହାଠାରୁ ରାଜ୍ୟର ହସ୍ତଶିଳ୍ପୀମାନଙ୍କ କଲ୍ୟାଣ ଓ ବିକାଶ ପାଇଁ କାର୍ଯ୍ୟ କରିଆସୁଛି। ହସ୍ତଶିଳ୍ପୀଙ୍କୁ ବଜାର ସୁବିଧା, ବିକ୍ରୟ ବ୍ୟବସ୍ଥା, କଞ୍ଚାମାଲ ଯୋଗାଣ ଏବଂ ଆଗୁଆ-ପଛୁଆ ସଂଯୋଗ (Forward & Backward Linkage) ପ୍ରଦାନ କରିବା ସହିତ ଓଡ଼ିଶାର କଳା ଓ ହସ୍ତଶିଳ୍ପର ଗୌରବକୁ ଅକ୍ଷୁଣ୍ଣ ରଖିବା ଦିଗରେ ନିଗମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଏହି ଉଦ୍ଦେଶ୍ୟରେ ୨୦୨୪-୨୫ ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ନୂଆଦିଲ୍ଲୀଙ୍କ ଠାରୁ ଓଡ଼ିଶାର ୧୨ଟି ଜିଲ୍ଲାରେ ୭ଟି ଭିନ୍ନ ଭିନ୍ନ ହସ୍ତଶିଳ୍ପ ପାଇଁ ୧,୨୦୦ଟି ଉନ୍ନତ ଉପକରଣ କିଟ୍ ବଣ୍ଟନ ପାଇଁ ଅନୁମୋଦନ ମିଳିଛି ।

ଏହି ଯୋଜନାରେ ଚାନ୍ଦୁଆ, କାଠ, ପଥର, ଶିଙ୍ଗ, ଲୌହ, ମୃତ୍ତିକା ଓ ପିତଳ ଧାତୁ ଶିଳ୍ପ ସମେତ ୭ଟି ହସ୍ତଶିଳ୍ପ କ୍ଷେତ୍ରର ଶିଳ୍ପୀମାନେ ଉପକୃତ ହେବେ।
ଆଜିର ସମାରୋହରେ ଖୋର୍ଦ୍ଧା ଜିଲ୍ଲାର ବନମାଳୀପୁର ଅନ୍ତର୍ଗତ ଭାକରସାହିଠାରେ ୧୫୦ ଜଣ ଆପ୍ଲିକ୍ କ୍ରାଫ୍ଟ ହସ୍ତଶିଳ୍ପୀଙ୍କୁ ଉନ୍ନତ ଉପକରଣ କିଟ୍ ପ୍ରଦାନ କରାଗଲା । ଆପ୍ଲିକ୍ କ୍ରାଫ୍ଟ (ଚାନ୍ଦୁଆ କାମ) ଓଡ଼ିଶାର ଏକ ସ୍ୱତନ୍ତ୍ର ଓ ପ୍ରସିଦ୍ଧ ହସ୍ତଶିଳ୍ପ ପରମ୍ପରା । ପ୍ରସିଦ୍ଧ ଆପ୍ଲିକ୍ କ୍ରାଫ୍ଟକୁ ଭୌଗୋଳିକ ସଙ୍କେତ (G.I. Tag) ମାନ୍ୟତା ପ୍ରାପ୍ତ ହୋଇଛି । ଏହା ଓଡ଼ିଶାର ଗର୍ବ ଏବଂ ଏହାର ପ୍ରାମାଣିକତା ଓ ସ୍ୱତନ୍ତ୍ରତାକୁ ସୁରକ୍ଷିତ କରୁଛି। ଏହି କଳାକୁ ଜୀବନ୍ତ ରଖିବା ସହିତ ଏହାକୁ ଆଧୁନିକ ବଜାର ସହିତ ଯୋଡ଼ିବା ଆମ ସମସ୍ତଙ୍କର ଦାୟିତ୍ୱ ।

ଉନ୍ନତ କିଟ୍ ଯୋଗାଣ ଦ୍ୱାରା ଶିଳ୍ପୀମାନଙ୍କର କାର୍ଯ୍ୟଦକ୍ଷତା, ଉତ୍ପାଦନକ୍ଷମତା, ଉତ୍ପାଦର ଗୁଣବତ୍ତା ଓ ନିଖୁଣତା ବୃଦ୍ଧି ପାଇବ। ଏହାଫଳରେ ଶିଳ୍ପୀମାନେ କମ୍ ସମୟରେ ଅଧିକ ଓ ଉନ୍ନତମାନର ଉତ୍ପାଦ ପ୍ରସ୍ତୁତ କରି ଆଧୁନିକ ବଜାରର ଚାହିଦା ପୂରଣ କରିପାରିବେ।ଉତ୍କଳିକାର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ କେବଳ ଉପକରଣ ପ୍ରଦାନ ନୁହେଁ; ବରଂ ହସ୍ତଶିଳ୍ପୀଙ୍କ ଦକ୍ଷତାକୁ ସଶକ୍ତ କରିବା, ବଜାର ସୁଯୋଗ ବଢ଼ାଇବା ଏବଂ ସେମାନଙ୍କ ଆୟ ଓ ଜୀବନଜୀବିକାକୁ ଅଧିକ ସୁଦୃଢ଼ କରିବା ଅଟେ ।

ଅବଶିଷ୍ଟ ଅନୁମୋଦିତ ଉପକରଣ କିଟ୍‌ଗୁଡ଼ିକ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ବଣ୍ଟନ କରାଯିବ।ଦକ୍ଷ ହାତ ହେଉଛି ହସ୍ତଶିଳ୍ପର ଶକ୍ତି, ଆଧୁନିକ ଉପକରଣ ସେହି ଶକ୍ତିକୁ ନୂତନ ସଫଳତା ପ୍ରଦାନ କରିବ ବୋଲି ମାନନୀୟ ମନ୍ତ୍ରୀ, ସମବାୟ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଶ୍ରୀ ପ୍ରଦିପ ବଳ ସାମନ୍ତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଭାପତି ଉତ୍କଳିକା ଦେବସ୍ମିତା ସାହୁ , ଉପସଭାପତି ,ଉତ୍କଳିକା ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର , ଅତିରିକ୍ତ ସଚିବ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ତଥା ପରିଚାଳନା ନିର୍ଦ୍ଦେଶିକା, ଉତ୍କଳିକା ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ , ଉପନିର୍ଦ୍ଦେଶକ , ହସ୍ତଶିଳ୍ପ ସନ୍ତୋଷ କୁମାର ମହାନ୍ତି , ଉପ ଶାସନସଚିବ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ତଥା ସାଧାରଣ ପରିଚାଳକ ଉତ୍କଳିକା ଶେଷଦେବ ଖଟୁଆ , ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ,ବିକାଶ ଆୟୁକ୍ତ , ଭାରତ ସରକାର ଓଡିଶା ଭୁବନେଶ୍ବର ଭୁବନ ଭାସ୍କର ଆଦି ଉପସ୍ଥିତ ଥିଲେ ।