(ସାକ୍ସୀ ନ୍ୟୁଜ୍): ପୋଲସରା ଥାନା ଅନ୍ତର୍ଗତ ମାରଦା ମନ୍ଦିର ନିକଟ ପୋଲସରା–ବୁଢ଼ାମ୍ବ ରାସ୍ତାରୁ ଗଞ୍ଜେଇ ଭର୍ତ୍ତି ଏକ ପିକ୍ଅପ୍ ଗାଡ଼ିକୁ ପୁଲିସ ଜବତ କରିଛି । ତେବେ ଗାଡ଼ିରେ ଥିବା ୨ ଜଣ ଯୁବକ ପୁଲିସକୁ ଦେଖି ନିକଟସ୍ଥ କାଜୁ ଜଙ୍ଗଲକୁ ଦୌଡ଼ି ପଳାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରି ଗିରଫ କରିବାରେ ସକ୍ଷମ ହୋଇଛି ପୋଲସରା ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଚିତ୍ର ଷଣ୍ଢ (୨୭)। ପୋଲିସ ସମ୍ପୃକ୍ତ ପିକଅପ ଭ୍ୟାନକୁ ଯାଞ୍ଚ ବେଳେ ବିପୁଳ ପରିମାଣର ଗଂଜେଇ ମିଳିଥିଲା ।
ଜବତ ଗଞ୍ଜେଇର ପରିମାଣ ୫୮୨ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ପୋଲସରା ବୁଢ଼ାମ୍ବ ରାସ୍ତାର ମାରଦା ନିକଟରେ ଗୁରୁବାର ସକାଳ ସମୟରେ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ଏକ ପିକ୍ଅପ୍ ଗାଡ଼ିକୁ ଦେଖି ସନ୍ଦେହ କରିଥିଲେ । ଏହି ସମୟରେ ଗାଡ଼ିରେ ଥିବା ୨ ଜଣ ଯୁବକ ସୁଯୋଗ ନେଇ ନିକଟସ୍ଥ କାଜୁ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ ।
ଖବର ପାଇ ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୁଜିତ କୁମାର ନାୟକ, ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରିଥିଲା । ଭାରପ୍ରାପ୍ତ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ଜବତ ଗଂଜେଇକୁ ଚିହ୍ନଟ କରାଯିବା ସହ ଓଜନ କରାଯାଇଥିଲା । ଏନେଇ ପୋଲସରା ଥାନାରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫୁଲବାଣୀରୁ ପୋଲସରା ଦେଇ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ନେଇ ପୁରୁଷୋତ୍ତମପୁର ଏସ ଡି ପି ଓ ସୁଜିତ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଞ୍ଜାମରୁ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।