ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ବାରାଣାସୀରୁ-ବାଡ଼ନଗର ଯାତ୍ରା

ଦେଶ ବିକାଶର ମୁକସାକ୍ଷୀ ହେବେ ଯୁବବର୍ଗ : ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ କେବଳ ସର୍ବାଧିକ ସମୟ ଶାସନ ବ୍ୟବସ୍ଥା ମୁଖ୍ୟ ଭାବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିନାହାନ୍ତି, ସେ ସର୍ବାଧିକ ଜନସାଧାରଣଙ୍କର ହୃଦୟରେ ସ୍ୱତନ୍ତ୍ର ଘର ତୋଳି ପାରିଛନ୍ତି । ତାଙ୍କର ଏହି ଶାସନକାଳ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି । ଏନେଇ ତାଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ବିଜେପି ପକ୍ଷରୁ ଏକ ମାସଧରି ଦେଶବ୍ୟାପୀ “ସେବା ସଂକଳ୍ପ ଅଭିଯାନ” ଆୟୋଜନ କରାଯାଉଛି । ଏହି ଅଭିଯାନର ଆନୁକୂଲ୍ୟରେ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ତତ୍ୱାବଧାନରେ ଭୁବନେଶ୍ୱରରୁ ବାରାଣାସୀ ଗସ୍ତ କରିବେ । ସେଠାରୁ ବାଡ଼ନଗର ଅଭିମୁଖେ ଯାତ୍ରା କରିବେ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବଶକ୍ତିମାନେ ଏହି ୨୫ ଦିନିଆ କାର୍ଯ୍ୟକ୍ରମରେ ସାଂସ୍କୃତିକ ଆଦାନପ୍ରଦାନ କରିବା ସହ ବିକାଶର ମୁକସାକ୍ଷୀ ହେବେ । ମୋଦିଜୀଙ୍କ ଶାସନକାଳର ୨୫ ବର୍ଷ ମଧ୍ୟରେ ଗୁଜୁରାଟରୁ ଆରମ୍ଭ କରି ପୂରାଦେଶରେ କିଭଳି ରୁପାନ୍ତରଣ ହୋଇଛି, ଲୋକଙ୍କ ଜୀବନ ଶୈଳିରେ କିପରି ପରିବର୍ତନ ହୋଇଛି, ଯୁବକମାନେ କିପରି ଆତ୍ମନିର୍ଭର ହୋଇଛନ୍ତି ଏବଂ ବିଶ୍ୱରେ ଭାରତ କିପରି ଏକ ଗ୍ରୋଥ୍ ଇଞ୍ଜିନ ରୂପେ ଆଗକୁ ବଢ଼ୁଛି ତାହାର ଛବି ନିଜ ଆଖିରେ ଦେଖିବେ ।

ଏଥିସହ ବିକଶିତ ଭାରତର ନୂଆ ସଂକଳ୍ପ ନେଇ ଫେରିବେ । ଅମୃତ କାଳରେ ଏହି ଯାତ୍ରା ଯୁବକମାନଙ୍କ ମଧ୍ୟରେ ନୂତନ ଆଶା, ଉଦ୍ଦୀପନା ଏବଂ ଅନୁଭବ ଆଣିଦେବା ସହ ଏକ ଭିନ୍ନ ରାଜନୈତିକ ଦଳର ନେତାଭାବେ ନିଜକୁ ତିଆରି କରିପାରିବେ ବୋଲି ବାରାଣାସୀରୁ- ବାଡ଼ନଗର ପର୍ଯ୍ୟନ୍ତ ହେବାକୁ ଥିବା ସେବା ସଂକଳ୍ପ ଯାତ୍ରାକୁ ଉଦ୍‌ଘାଟନ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ଯେ, ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଅନେକ କାର୍ଯ୍ୟକ୍ରମ ସଂଗଠିତ ହେବାକୁ ଯାଉଛି । ତା’ମଧ୍ୟରେ ଯୁବବର୍ଗର ବାରାଣାସୀରୁ-ବାଡ଼ନଗର ଯାତ୍ରା ରହିଛି । ଏହି ୧୮୦୦ କିଲୋମିଟର ଯାତ୍ରାରେ ୩ ମନ୍ତ୍ର ଯଥା ଜଳ, ଜନ ଏବଂ ସେବାକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ୩୦ ଜଣ ଯୁବକଙ୍କୁ ଏହି ପ୍ରତିନିଧିମଣ୍ଡଳୀରେ ସାମିଲ କରାଯାଇଛି । ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ସୌମ୍ୟରଞ୍ଜନ ନାୟକ ଏହାର ନେତୃତ୍ୱ ନେଉଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରି ଏହି ପ୍ରତିନିଧିମଣ୍ଡଳୀ ବାରାଣାସୀ ଗସ୍ତ କରିଛନ୍ତି । ସେଠାକାର ପ୍ରସିଦ୍ଧ ଶୈବପୀଠ ବିଶ୍ୱନାଥ ମନ୍ଦିରରୁ ଗୁଜୁରାଟର ବାବା ସୋମନାଥଙ୍କ ମନ୍ଦିର ପର୍ଯ୍ୟନ୍ତ ଓ ଗୁଜୁରାଟ ମାଟି ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ଯାତ୍ରା ସେମାନଙ୍କ ଜୀବନକୁ ନୂତନ ଦିଗଦର୍ଶନ ଦେବା ସହ ବିକଶିତ ଭାରତ ପାଇଁ ନୂତନ ଆଶା ଜାଗ୍ରତ କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।