ଦେଶକରମ ପର୍ବ ପାଇଁ ବୈତରଣୀରୁ ବାଲି ଉଠାଇଲେ କୁଡୁମୀ ଭାଇଭଉଣୀ

ନଦୀକୂଳରେ ଝୁମର ନାଚରେ ଝୁମିଲେ କୁଡୁମୀ ସମାଜର ଭାଇଭଉଣୀ …

କେନ୍ଦୁଝର/ପାଟଣା(ସାକ୍‌ସୀ ନ୍ୟୁଜ୍‌): କୁଡୁମୀ ସମାଜର ପାରମ୍ପରିକ ସଂସ୍କୃତି, ରୀତିନୀତି ଓ ପରମ୍ପରାର ଅନନ୍ୟ ପର୍ବ ଦେଶକରମ ପାଳନ ପୂର୍ବରୁ ବୈତରଣୀ ନଦୀରୁ ବାଲି ଉଠା କାର୍ଯ୍ୟକ୍ରମ ଆଜି ପାଟଣା ବ୍ଲକ ଧାନବେଣୀ ଗ୍ରାମ ନିକଟସ୍ଥ ବୈତରଣୀ ନଦୀଘାଟରେ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ପୂଜାପାଠ ସାଙ୍ଗକୁ ଝୁମର ନାଚ ଓ ଗୀତରେ ନଦୀକୂଳ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଏହି ଅବସରରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ କୁଡୁମୀ ଭାଇଭଉଣୀଙ୍କ ସମେତ ମହାନ୍ତ ସମ୍ପ୍ରଦାୟର ମହିଳାମାନେ ଯୋଗଦେଇଥିଲେ। କୁଆଁରୀ ଯୁବତୀମାନେ ଉପବାସ ରହି ପ୍ରଥମେ ବୈତରଣୀ ନଦୀକୂଳରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ। ପରେ ପୂଜାପାଠ ଶେଷ କରି ନଦୀରୁ ପାରମ୍ପରିକ ପଦ୍ଧତିରେ ବାଲି ଉଠାଇଥିଲେ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ, କୁଆଁରୀ ଯୁବତୀମାନେ ଭଲ ବିବାହ ଓ ସୁଖୀ ଦାମ୍ପତ୍ୟ ଜୀବନ କାମନା କରି ଏହି ପରମ୍ପରାରେ ସାମିଲ ହୋଇଥିଲେ ।
ସେହିପରି ସନ୍ତାନ ପ୍ରାପ୍ତି ପାଇଁ ମାନସିକ କରିଥିବା ମହିଳାମାନେ ମଧ୍ୟ ଉପବାସ ରହି ବାଲି ଉଠା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ବାଲି ଉଠା କାର୍ଯ୍ୟକ୍ରମ ପରେ ବୈତରଣୀ ନଦୀକୂଳରେ କୁଡୁମୀ ଭାଇଭଉଣୀମାନେ ପାରମ୍ପରିକ ଝୁମର ନାଚ ଓ ଗୀତରେ ମସଗୁଲ ହୋଇଥିଲେ। ଢୋଲ, ମାଦଳ ଓ ଝୁମର ସଙ୍ଗୀତର ତାଳେ ତାଳେ ମହିଳା ଓ ପୁରୁଷମାନେ ଏକାଠି ନାଚି ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ। ଝୁମର ନୃତ୍ୟରେ ନଦୀକୂଳ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ପାରମ୍ପରିକ ବେଶଭୂଷାରେ ସଜ୍ଜିତ ମହିଳାମାନଙ୍କ ଝୁମର ନାଚ ଉପସ୍ଥିତ ଲୋକଙ୍କ ମନ ମୋହିଥିଲା। କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଓଡ଼ିଶା କୁଡୁମୀ ସେନାର ଉପସଭାପତି ମିତ୍ରଭାନୁ ମହାନ୍ତ, ସମ୍ପାଦକ ବିଶ୍ୱଜିତ ମହାନ୍ତ, ମହିଳା ନେତ୍ରୀ ମଧୁସ୍ମିତା ମହାନ୍ତ, ଓଡ଼ିଶା ଦେଶକରମର ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତ, କୁଡୁମୀ ସମାଜର ସଭାପତି ଖିରୋଦ ଚନ୍ଦ୍ର ମହାନ୍ତ, ଦେଶକରମ କୋଅର୍ଡିନେଟର ଲକ୍ଷ୍ମୀଧର ମହାନ୍ତ ଏବଂ ଚିଙ୍ଗୁଡ଼ିପୋଖରୀର ସଭାପତି ସୁରେନ୍ଦ୍ର ନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ବୈତରଣୀ ନଦୀରୁ ପାରମ୍ପରିକ ପଦ୍ଧତିରେ ସଂଗ୍ରହ କରାଯାଇଥିବା ବାଲିକୁ ଦେଶକରମ ପୂଜାରେ ବ୍ୟବହାର କରାଯିବ। ମିରିଗୀଖୋଜି ଗ୍ରାମ ନିକଟରେ ଦେଶକରମ ପର୍ବ ଅନୁଷ୍ଠିତ ହେବାକୁ ଥିବାରୁ କୁଡୁମୀ ସମାଜ ମଧ୍ୟରେ ଏନେଇ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି ।
ଦେଶକରମ ପର୍ବ କେବଳ ଏକ ପୂଜାପର୍ବ ନୁହେଁ, ଏହା କୁଡୁମୀ ସମାଜର ପାରମ୍ପରିକ ସଂସ୍କୃତି, ଭାଇଚାରା ଓ ସାମାଜିକ ଏକତାର ଏକ ପ୍ରତିଫଳନ। ପାରମ୍ପରିକ ପୂଜାପଦ୍ଧତି ସହ ଝୁମର ନାଚ ଓ ଗୀତ ମାଧ୍ୟମରେ ନିଜ ସଂସ୍କୃତିକୁ ଜୀବନ୍ତ ରଖିବା ସହ ଯୁବପିଢ଼ି ମଧ୍ୟ ଏହି ପରମ୍ପରାକୁ ଆଗକୁ ନେବାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ରୁ ଅଞ୍ଜନ ରଣା ଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।