ବ୍ଲକ ସ୍ତରୀୟ ଗ୍ରନ୍ଥାଗାର (ଲାଇବ୍ରେରୀ ହଲ)ଏବେ ‘ଭୂତକୋଠି’ ଝୁଲୁଛି ତାଲା

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ ନିକଟରେ ନିର୍ମାଣ ସରିବା ପରେ ବି ଫିଟୁନି ତାଲା; ଧୂଳିସାତ ହେଉଛି ଛାତ୍ରଛାତ୍ରୀଙ୍କପାଠ ପଢ଼ିବାର ସ୍ୱପ୍ନ ପ୍ରଶାସନିକ ଅବହେଳା ବିରୋଧରେ ତେଜୁଛି ଜନଅସନ୍ତୋଷ ରୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି। ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ତଥା ଯୁବପିଢ଼ିଙ୍କ ଉଚ୍ଚଶିକ୍ଷା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ବ୍ଲକ ସ୍ତରୀୟ ଗ୍ରନ୍ଥାଗାର ଏବେ ପ୍ରଶାସନିକ ଅବହେଳାର ଶିକାର ହୋଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ନିର୍ମିତ “ବ୍ଲକ ସ୍ତରୀୟ ଗ୍ରନ୍ଥାଗାର ତଥା ବୃତ୍ତିଗତ ପରାମର୍ଶ କେନ୍ଦ୍ର” ବିଗତ ୩ ବର୍ଷ ଧରି ତାଲାବନ୍ଦ ଅବସ୍ଥାରେ ପଡ଼ିରହିଥିବାରୁ ଏହା ସାଧାରଣ ତଥା ଛାତ୍ର ସମାଜର କୌଣସି ଉପଯୋଗରେ ଆସିପାରୁନାହିଁ ।

ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା ଆନ୍ତରିକତାର ଅଭାବରୁ ଏହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ। ଫଳରେ ଏହି ନବନିର୍ମିତ ସଦୃଶ୍ୟ କୋଠାଟି ଏବେ ଏକ ପ୍ରକାର ‘ଭୂତକୋଠି’ରେ ପରିଣତ ହୋଇଛି। କୋଠାର ଚତୁଃପାର୍ଶ୍ୱରେ ଘଞ୍ଚ ଘାସ ଏବଂ ଅନାବନା ଲଟାବୁଦା ମାଡ଼ିଯାଇଥିବା ବେଳେ ମୁଖ୍ୟ ଫାଟକ ଓ ପ୍ରବେଶ ପଥରେ ନିରନ୍ତର ତାଲା ଝୁଲୁଛି। ରକ୍ଷଣାବେକ୍ଷଣର ଘୋର ଅଭାବ ଯୋଗୁଁ ରଙ୍ଗ ଛାଡ଼ି କାନ୍ଥଗୁଡ଼ିକ କ୍ରମଶଃ ନଷ୍ଟ ହେବାକୁ ବସିଲାଣି ।

ସ୍ଥାନୀୟ ଅଞ୍ଚଳର ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଅଧ୍ୟୟନ ତଥା କ୍ୟାରିୟର୍ କାଉନସେଲିଂ ପାଇଁ ଏହି କେନ୍ଦ୍ର ଉପରେ ବହୁ ଆଶା ରଖିଥିଲେ। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁଁ ସେମାନଙ୍କ ଆଶା ଏବେ ମଉଳି ଯାଇଛି। ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କାର ଏଭଳି ଅପବ୍ୟୟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ର ସମାଜ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ କେମିତି,କଉ ପ୍ରକାରେ ଉକ୍ତ ଗ୍ରନ୍ଥାଗାରରେ ଆବଶ୍ୟକୀୟ ପାଠ୍ୟପୁସ୍ତକ, ପ୍ରତିଯୋଗିତାମୂଳକ ପତ୍ରପତ୍ରିକା, ଇଣ୍ଟରନେଟ୍ ସୁବିଧା ଏବଂ ନିୟମିତ କର୍ମଚାରୀ ନିଯୁକ୍ତି କରିଏହା କାର୍ଯ୍ୟ କ୍ଷମ ହୋଇ ପାରିବ,ଏହାକୁ ଦୃଷ୍ଟି ଦେଈ ଅତିଶୀଘ୍ର ଖୋଲିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦୃଢ଼ ଦାବି କରାଯାଇଛି । କେନ୍ଦୁଝରରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।