ଗୋବିନ୍ଦପୁରରେ ୩୪୫ ବର୍ଷର ନୀଳ ସରସ୍ଵତୀ ଏବଂ କଲ୍ୟାଣୀନଗରୀ ରେ ୪୦୯ ବର୍ଷର ଦୁର୍ଗାପୂଜା

ମହା ଅଷ୍ଟମୀରେ ଚଳଚଞ୍ଚଳ ଶକ୍ତି ପୀଠ…

ଧାମନଗର(ସାକ୍‌ସୀ ନ୍ୟୁଜ୍‌): ପାର୍ବଣ ଋତୁର ଶାରଦୀୟ ଆବହୋୱା ମଧ୍ୟରେ ସାରା ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପ୍ରାଚୀନ ଐତିହ୍ୟ, ପରମ୍ପରା ଏବଂ ଆଧ୍ୟାତ୍ମିକ ପ୍ରଥାକୁ ଆଧାର କରି ଗତକାଲି ଗୋବିନ୍ଦପୁର ଏବଂ ମାଙ୍କିଡିଆଠାରେ ମହା ଆଡ଼ମ୍ବର ଓ ଶ୍ରଦ୍ଧା-ଭକ୍ତିର ସହିତ ମହା ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଶତାବ୍ଦୀ ଶତାବ୍ଦୀ ଧରି ନିଜର ଆଧ୍ୟାତ୍ମିକ ଗୌରବ ବଜାୟ ରଖିଥିବା ଏହି ଦୁଇ ପ୍ରସିଦ୍ଧ ପୂଜା ପୀଠରେ ପୂଜାବିଧି ଅନୁଯାୟୀ ନୀତିକାନ୍ତି ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।ଗତକାଲି ୪୦୯ ବର୍ଷର ଐତିହ୍ୟ ବହନ କରୁଥିବା ପ୍ରସିଦ୍ଧ ମାଙ୍କିଡିଆ ଦୁର୍ଗା ମଣ୍ଡପରେ ମହା ସପ୍ତମୀ ତିଥିରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାପୂଜା ଶାସ୍ତ୍ରୀୟ ରୀତିମତେ ପରିଚାଳିତ ହୋଇଥିଲା। ପୂଜା ମଣ୍ଡପରେ ଗତକାଲି ସନ୍ଧ୍ୟାରେ ମା’ଙ୍କ ଆରାଧନା ସହ ପାରମ୍ପରିକ “ଝୁଣା ଜଳା” ନୀତି ଅନୁଷ୍ଠିତ ସମୟରେ ହଜାର ହଜାର ମା ମାନେ ନିଜ ମୁଣ୍ଡରେ ଜାଳିଥାନ୍ତି ଝୁଣା। ଝୁଣାର ମହକ ଓ ଘଣ୍ଟ, କାହାଳୀ, ଶଙ୍ଖ ନାଦରେ ସମଗ୍ର ପୂଜା ପ୍ରାଙ୍ଗଣ ମନ୍ତ୍ରମୁଗ୍ଧକର ଓ ମାଙ୍ଗଳିକ ଆବହୋୱାରେ ପରିଣତ ହୋଇଥିଲା। ଚକ୍ଷୁ ଦାନ ସହିତ କଳସ ବୁଡା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଶତାବ୍ଦୀ ପୁରୁଣା ଏହି ପୂଜା ମଣ୍ଡପରେ ମା’ଙ୍କ କୃପା ଲାଭ ପାଇଁ ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଦର୍ଶନ କରି ନିଜର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଛନ୍ତି ।

ଅନ୍ୟପଟେ ୩୪୫ ବର୍ଷର ନିଜସ୍ୱ ସଂସ୍କୃତି ଓ ଗୌରବ ବଜାୟ ରଖିଥିବା ଗୋବିନ୍ଦପୁରଠାରେ ପାର୍ବଣର ଏକ ସ୍ୱତନ୍ତ୍ର ଓ ନିଆରା ଢଙ୍ଗ ଦେଖିବାକୁ ମିଳିଛି। ସାଧାରଣତଃ ଶାରଦୀୟ ଦୁର୍ଗୋତ୍ସବରେ ମହାମାୟା ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଥିବା ବେଳେ ଗୋବିନ୍ଦପୁରଠାରେ କିନ୍ତୁ ମା’ ଦୁର୍ଗାଙ୍କ ପରିବର୍ତ୍ତେ ମା’ ନୀଳ ସରସ୍ଵତୀଙ୍କୁ ପୂଜାରାଧନା କରାଯାଇଥାଏ।ଶାସ୍ତ୍ର ଓ ସ୍ଥାନୀୟ ପ୍ରଥା ଅନୁଯାୟୀ, ମା’ ନୀଳ ସରସ୍ଵତୀ ହେଉଛନ୍ତି ମହାବିଦ୍ୟା ଓ ସର୍ବସିଦ୍ଧିଦାୟିନୀ ଦେବୀ। ଜ୍ଞାନ, ଶକ୍ତି ଓ କଲ୍ୟାଣର ପ୍ରତୀକ ଭାବେ ଏଠାରେ ମା’ଙ୍କ ନୀଳ ସରସ୍ଵତୀ ରୂପକୁ ପାରମ୍ପରିକ ରୀତିରେ ଆବାହନ କରାଯାଇଥାଏ।ଗତକାଲି ମହା ସପ୍ତମୀର ଶୁଭ ଅବସରରେ ଗୋବିନ୍ଦପୁର ନୀଳ ସରସ୍ଵତୀଙ୍କ ପୀଠରେ ପବିତ୍ର “କଳସ ବୁଡ଼ା” (ନବପତ୍ରିକା ପ୍ରବେଶ ଓ ଜଳାଶୟରୁ ପବିତ୍ର ଜଳ ଆନୟନ) ନୀତି ନିଷ୍ଠାର ସହ ସମ୍ପାଦିତ ହୋଇଥିଲା ।

ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଓ ପୂଜକମାନଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପବିତ୍ର ଜଳାଶୟରେ କଳସ ବୁଡ଼ାଯାଇ ମା’ଙ୍କ ମଣ୍ଡପକୁ ଆନୟନ କରାଯାଇଥିଲା।ପାର୍ବଣ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଅଧର୍ମ ଉପରେ ଧର୍ମର, ଅନ୍ଧକାର ଉପରେ ଆଲୋକର ଏବଂ ଅସୁର ଶକ୍ତି ଉପରେ ଦୈବୀ ଶକ୍ତିର ବିଜୟର ପ୍ରତୀକ। ଶାରଦୀୟ ଦୁର୍ଗୋତ୍ସବ ସମାଜରେ ଏକତା, ଶାନ୍ତି, ସଦ୍ଭାବନା ଓ ଆଧ୍ୟାତ୍ମିକ ସେତୁ ନିର୍ମାଣ କରିଥାଏ। ଗୋବିନ୍ଦପୁରର ୩୪୫ ବର୍ଷର ନୀଳ ସରସ୍ଵତୀ ପୂଜା ଓ ମାଙ୍କିଡିଆର ୪୦୯ ବର୍ଷର ଦୁର୍ଗାପୂଜା ଆମ ଅଞ୍ଚଳର ସାଂସ୍କୃତିକ ଧରୋହର ଓ ଜନସାଧାରଣଙ୍କ ଅଗାଧ ବିଶ୍ୱାସର ଜ୍ୱଲନ୍ତ ପ୍ରମାଣ। ଏହି ଦୁଇ ପ୍ରାଚୀନ ପୀଠରେ ପୂଜା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ ନୀତିକାନ୍ତି ସୁଚାରୁରୂପେ ପରିଚାଳିତ ହୋଇଥିବା ବେଳେ ଆଗାମୀ ମହାଅଷ୍ଟମୀ ଓ ମହାନବମୀ ପୂଜା ପାଇଁ ପରିବେଶ ଆହୁରି ଉତ୍ସବମୁଖର ହୋଇଉଠିଛି। ଭଦ୍ରକରୁ ସ୍ମୃତିରଞ୍ଜନ ଦୋବାଇଙ୍କ ରିପୋର୍ଟ  ।