ଧୁଷୁରୀ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ, ଚିକିତ୍ସାକୁ ନେଇ ଉଠିଲା ପ୍ରଶ୍ନ
ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର…
ଧାମନଗର(ସାକ୍ସୀ ନ୍ୟୁଜ୍): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଆଞ୍ଚଳିକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଚିକିତ୍ସାରେ ଅବହେଳାହୋଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଔଷଧ ଓ ଇଞ୍ଜେକ୍ସନଯୋଗାଣକୁ ନେଇ ମଧ୍ୟ ପରିବାର ଓ ଡାକ୍ତରଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।ମୃତ ମହିଳା ଜଣକ ହେଲେ ଧାମନଗର ବ୍ଲକ ରାଇପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଇପୁର ଗ୍ରାମର ନକୁଳ ବିଶ୍ୱାଳଙ୍କ ପତ୍ନୀ ସ୍ୱର୍ଣ୍ଣଲତା ବିଶ୍ୱାଳ (୬୦)। ପରିବାର ଲୋକଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୪ଟା ସମୟରେ ସ୍ୱର୍ଣ୍ଣଲତାଙ୍କର ହଠାତ୍ ପେଟ ଓ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଧୁଷୁରୀ ଆଞ୍ଚଳିକ ଡାକ୍ତରଖାନାକୁ ନିଆଯାଇଥିଲା ।
ସେଠାରେ ଡ୍ୟୁଟିରେ ଥିବା ଜଣେ ଆୟୁଷ ଡାକ୍ତର ତାଙ୍କର ଚିକିତ୍ସା କରୁଥିବା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।ମୃତକଙ୍କ ପୁଅ, ଦିଅର ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଡ୍ୟୁଟିରେ ଥିବା ଡାକ୍ତର ଶୋଇଥିବାରୁ ତାଙ୍କୁ ବାରମ୍ବାର ଡାକିବାକୁ ପଡ଼ିଥିଲା। ଡାକ୍ତର ଉଠିବା ପରେ ଚିକିତ୍ସା ଆରମ୍ଭ ହେବାରେ ବିଳମ୍ବ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ବିଳମ୍ବ ଯୋଗୁଁ ମହିଳାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ବୋଲି ପରିବାର ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ, ଚିକିତ୍ସା ସମୟରେ ଡାକ୍ତରଖାନାରୁ ଔଷଧ ନ ମିଳିବାରୁ ନିକଟସ୍ଥ ଏକ ଔଷଧ ଦୋକାନରୁ ଔଷଧ ଓ ଇଞ୍ଜେକ୍ସନ କିଣିବାକୁ କୁହାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ଦୋକାନରୁ ଔଷଧ କିଣାଯିବା ସହ ଦୋକାନୀ ଇଞ୍ଜେକ୍ସନ ଦେଇଥିବା ସେମାନେ କହିଛନ୍ତି। ଏଥିସହ ଔଷଧ ଦୋକାନର ବିଲ୍ ମଧ୍ୟ ଦେଖାଇଛନ୍ତି। କିନ୍ତୁ ଡାକ୍ତରଙ୍କ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ, ଔଷଧ ଡାକ୍ତରଖାନାରୁ ହିଁ ନିଆଯାଇଥିଲା ଏବଂ ଇଞ୍ଜେକ୍ସନ ସେ ନିଜେ ଦେଇଥିଲେ ।
ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗିରହିଥିଲା। ଖବର ପାଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ମନ୍ମଥ ସାମନ୍ତ ସିଂହାର ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଏହି ଘଟଣା ପରେ ରାତିର ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଓ ଔଷଧ ଯୋଗାଣକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବହୁ ଲୋକଙ୍କ ଚିକିତ୍ସା ନିମନ୍ତେ ନିର୍ଭରଯୋଗ୍ୟ ଧୁଷୁରୀ ଆଞ୍ଚଳିକ ଡାକ୍ତରଖାନାରେ ରାତି ସମୟରେ ଜରୁରୀକାଳୀନ ଚିକିତ୍ସା ଦାୟିତ୍ୱରେ ଆୟୁଷ ଡାକ୍ତର ରହୁଥିବା ବ୍ୟବସ୍ଥାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଯୋଗାଣ ବ୍ୟବସ୍ଥା ଥିବା ସତ୍ତ୍ୱେ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଥିବା ଅଭିଯୋଗ ଏହି ପ୍ରଶ୍ନକୁ ଆହୁରି ଗୁରୁତ୍ୱ ଦେଇଛି। ତେବେ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ଏବଂ ଚିକିତ୍ସାରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହା ନିରପେକ୍ଷ ତଦନ୍ତ ପରେ ସ୍ପଷ୍ଟ ହେବ। ଔଷଧ ଦୋକାନର ବିଲ୍, ଡାକ୍ତରଖାନାର ଔଷଧ ରେକର୍ଡ ଓ ଚିକିତ୍ସା ସମ୍ପର୍କିତ ତଥ୍ୟ ଯାଞ୍ଚ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ରାତିର ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସାଧାରଣରେ ଦାବି ହେଉଛି ।