ଗୁଡ଼ାରୀ ବନଖଣ୍ଡରେ ବୃକ୍ଷରୋପଣ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ
କେତେ ଶ୍ରମିକ କାମ କରିଥିଲେ ଦୈନିକ କେତେ ମଜୁରୀ ଜାଣିନାହାନ୍ତି ଅଧିକାରୀ
୪ ମାସ ରୁ ଉର୍ଦ୍ଧ ସମୟ ବିତିଲା, ମିଳିଲାନି ମଜୁରୀ , ଅଭିଯୋଗ ଜାଣିବା ପରେ ବି ଚୁପ ବସିଛନ୍ତି ରେଞ୍ଜର
ରାୟଗଡ଼ା(ସାକ୍ସୀ ନ୍ୟୁଜ୍): ସରକାର ଜଙ୍ଗଲ ସୃଷ୍ଟି ଓ ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତୃଣମୂଳ ସ୍ତରରେ କାମ କରୁଥିବା ଗରିବ ଖଟିଖିଆ ଶ୍ରମିକମାନେ ମୌଳିକ ପ୍ରାପ୍ୟରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଗୁଡ଼ାରୀ ସହରାଞ୍ଚଳ ବନାଞ୍ଚଳ ଅଧୀନରେ ଥିବା ନାଇରା ସେକ୍ସନ ଅଧିନ ବାଇନାଗୁଡ଼ା ଠାରେ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଥିବା ସ୍ଥାନୀୟ ଶ୍ରମିକମାନେ ଦୀର୍ଘ ୪ ମାସ ଧରି କାମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ନ୍ୟାଯ୍ୟ ମଜୁରୀ ପାଇନାହାନ୍ତି। ଏ ନେଇ ବାରମ୍ବାର ଅନୁରୋଧ ଓ ଗୁହାରି ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶ୍ରମିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଅଭିଯୋଗ ଅନୁଯାୟୀ, ଗୁଡ଼ାରୀ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ବୃକ୍ଷରୋପଣ ଯୋଜନାରେ ସ୍ଥାନୀୟ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିଲା। ଗରିବ ଲୋକମାନେ ଝାଳବୁହା ପରିଶ୍ରମ କରି ଗଛ ଲଗାଇବା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ କରିଥିଲେ। ମାତ୍ର କାର୍ଯ୍ୟ ସରିବାର ୪ ମାସ ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କୁ ପାଉଣା ଦେବାର ନାଁ ଧରୁନାହାନ୍ତି। ଘର ଚଳାଇବା ପାଇଁ ପାଉଣା ଟଙ୍କା ଉପରେ ନିର୍ଭରଶୀଳ ଏହି ଦିନମଜୁରିଆମାନେ ବର୍ତ୍ତମାନ ପରିବାର ପ୍ରତିପୋଷଣରେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏହି ଅଭିଯୋଗ ସମ୍ପର୍କରେ ଆମ ପ୍ରତିନିଧି ସମ୍ପୃକ୍ତ ଗୁଣପୁର ରେଞ୍ଜର ଙ୍କୁ ଯୋଗାଯୋଗ ମାଧ୍ୟମରେ ଜଣାଇ ଥିଲେ ମଧ୍ୟ ବର୍ତ୍ତମାନ ସେ ଚୁପ ଚାପ ବସିଛନ୍ତି। ଗୁଡ଼ାରୀ ବନଖଣ୍ଡ ଅଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିଥିଲେ।ଅଧିକାରୀ ଜଣକ ଶ୍ରମିକମାନଙ୍କୁ ପାଉଣା ପ୍ରଦାନ କରାଯାଇ ନଥିବା କଥା ସ୍ୱୀକାର କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଉକ୍ତ ବୃକ୍ଷରୋପଣ କାର୍ଯ୍ୟରେ କେତେ ଜଣ ଶ୍ରମିକ ନିୟୋଜିତ ଥିଲେ ଏବଂ ଦୈନିକ କେତେ ଟଙ୍କା ମଜୁରୀ ହାରରେ ସେମାନେ କାମ କରିଥିଲେ, ସେ ସମ୍ପର୍କରେ ତାଙ୍କ ପାଖରେ କୌଣସି ହିସାବ କିମ୍ବା ସୂଚନା ନାହିଁ ବୋଲି ସଫେଇ ଦେଇଛନ୍ତି ।
ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କ ଏପରି ଅଜବ ଓ ଦାୟିତ୍ୱହୀନ ଉତ୍ତର ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ଯୋଜନାରେ କାମ କରୁଥିବା ଶ୍ରମିକଙ୍କ ସଂଖ୍ୟା ଓ ମଜୁରୀ ହାର ନ ଜାଣି କିଭଳି କାମ କରାଗଲା ଏବଂ ସରକାରୀ ଅନୁଦାନର ପରିଚାଳନା କିପରି ହେଉଛି, ତାହା ଏବେ ସନ୍ଦେହ ଘେରକୁ ଆସିଛି। ଏଥିରେ କୌଣସି ବଡ଼ ଧରଣର ଆର୍ଥିକ ଅନିୟମିତତା ଲୁଚି ରହିଛି କି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।