ଶିକ୍ଷା ହିଁ ବିକାଶର ମୂଳମନ୍ତ୍ର : ମନ୍ତ୍ରୀ ସୂର୍ଯ୍ୟବଂଶୀ

ଧାମନଗର(ସାକ୍‌ସୀ ନ୍ୟୁଜ୍‌): ଶିକ୍ଷା ହିଁ ସମାଜ ତଥା ରାଜ୍ୟର ବିକାଶର ମୂଳମନ୍ତ୍ର। ଶିକ୍ଷାର ଉନ୍ନତି ବିନା ସାମଗ୍ରିକ ବିକାଶ ଅସମ୍ଭବ। ଧାମନଗର ବ୍ଲକର ସହିଦନଗର ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ଏହି ମତବ୍ୟକ୍ତ କରିଛନ୍ତି ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଶୁକ୍ରବାର ଅନୁଷ୍ଠିତ ଏହି ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, କେବଳ ବର୍ତ୍ତମାନର ଜନପ୍ରତିନିଧି ନୁହନ୍ତି, ପୂର୍ବରୁ ମଧ୍ୟ ଧାମନଗରର ସମସ୍ତ ବିଧାୟକ ଏହି ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ଉଦ୍ୟମ କରିଆସିଛନ୍ତି। ଫଳରେ ଏଠାରେ ଅନେକ ସ୍କୁଲ ଓ କଲେଜ ପ୍ରତିଷ୍ଠା ହୋଇପାରିଛି ଏବଂ ଛାତ୍ରଛାତ୍ରୀମାନେ ସୁବିଧାରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଦ୍ୱାରା ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ଓ ସାର୍ବଜନୀନ ହୋଇପାରିବ। ଧାମନଗରର ୯ଟି ଶିକ୍ଷାନୁଷ୍ଠାନ ଏହି ଯୋଜନାରେ ସାମିଲ ହେବା ରାଜ୍ୟ ସରକାରଙ୍କ ଶିକ୍ଷା ପ୍ରତି ଥିବା ଅଙ୍ଗୀକାରବଦ୍ଧତାର ପ୍ରମାଣ ବୋଲି ସେ କହିଥିଲେ ।

ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିଜ ବକ୍ତବ୍ୟରେ ସରକାରଙ୍କ ଏହି ଯୋଜନାକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ଏହାଦ୍ୱାରା ପ୍ରାଥମିକ ସ୍ତରରୁ ହିଁ ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ଓ ଆବଶ୍ୟକୀୟ ଭିତ୍ତିଭୂମିର ସୁଯୋଗ ପାଇପାରିବେ ବୋଲି ସେ ମତ ଦେଇଥିଲେ। ଧାମନଗର ପ୍ରେସ୍ କ୍ଲବର ପୂର୍ବତନ ସଭାପତି ତଥା ସାମ୍ବାଦିକ ବୈକୁଣ୍ଠନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଯୋଜନାର ଆଭିମୁଖ୍ୟ ଉପସ୍ଥାପନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ସହିଦନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରିୟତମା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରାଜ୍ୟର ୬୩୦ଟି ବିଦ୍ୟାଳୟ ସମେତ ଧାମନଗର ବ୍ଲକର ୬ଟି ଶିକ୍ଷାନୁଷ୍ଠାନର ଶିଳାନ୍ୟାସ କରିଥିଲେ। ସେଗୁଡ଼ିକ ହେଲା ସହିଦନଗର ନୋଡାଲ ଉଚ୍ଚ ବିଦ୍ୟାଳୟ, ଅସୁରାଳି ଦେଶବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହସନାବାଦ ଗୋପବନ୍ଧୁନଗର ଉଚ୍ଚ ବିଦ୍ୟାଳୟ, କୋରୁଆ-ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ, ଅର୍ଜୁନପୁର ଜୟ କିଷାନ ଉଚ୍ଚ ବିଦ୍ୟାଳୟ ଓ ଦେହୁଡ଼ି ଆନନ୍ଦପୁର ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସହିଦନଗର ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଆଶୁତୋଷ କରଙ୍କ ସହ ଆଲୋଚନା କରିଥିବାବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଧାମନଗର ବିଡିଓ ବନବିହାରୀ ଦିନ୍ଦା, ତହସିଲଦାର ଜ୍ଞାନରଞ୍ଜନ ସାହୁ, ବିଇଏଓ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ବରିଷ୍ଠ ନେତା ଅଶୋକ ପୁହାଣ, ରଘୁନାଥ ପାତ୍ର, ଚତୁର୍ଭୁଜ ନାୟକ, ରଘୁନାଥ ଲେଙ୍କା, ହରେକୃଷ୍ଣ ପାଢ଼ୀ ଓ ଦେବେନ୍ଦ୍ର ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।