ସହରୀ ବିକାଶମୂଳକ ପଦକ୍ଷେପର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
ସ୍ଥାୟୀ ଯାତାୟାତ ବ୍ୟବସ୍ଥା ଓ ଉନ୍ନତ ସହର ପରିଚାଳନା ଉପରେ ଗୁରୁତ୍ୱ; ଆଲୋଚନାରେ ଓଡ଼ିଶା ପାର୍କିଂ ନୀତି-୨୦୨୬, ସହରୀ ଯାତାୟାତ ଯୋଜନା ଓ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ
(ସାକ୍ସୀ ନ୍ୟୁଜ୍): ରାଜ୍ୟର ସହରାଞ୍ଚଳରେ ଚାଲିଥିବା ପ୍ରମୁଖ ବିକାଶମୂଳକ ପଦକ୍ଷେପ ଓ ବିଭାଗର ପ୍ରାଥମିକତାଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର। ଆଜି ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭାଗର ବିଭିନ୍ନ ଯୋଜନା ଓ ପ୍ରମୁଖ ପ୍ରସଙ୍ଗର ସମୀକ୍ଷା କରିଥିଲେ। ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ସଚିବ ଶ୍ରୀ ଗଙ୍ଗାଧର ନାୟକ ଓ ଶ୍ରୀ ବିନୟ କୁମାର ଦାଶଙ୍କ ସମେତ ବିଭାଗର ସମସ୍ତ ଅତିରିକ୍ତ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ବୈଠକରେ ଡ୍ରାଫ୍ଟ ଓଡ଼ିଶା ପାର୍କିଂ ନୀତି-୨୦୨୬, ସହରୀ ଯାତାୟାତ ଯୋଜନା , ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ଏବଂ ଜିଲ୍ଲା ସହର ଉନ୍ନୟନ ସଂସ୍ଥା ଗୁଡ଼ିକର କାର୍ଯ୍ୟଧାରା ସମେତ ବିଭାଗର ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଡ୍ରାଫ୍ଟ ଓଡ଼ିଶା ପାର୍କିଂ ନୀତି-୨୦୨୬ ସମ୍ପର୍କିତ ଉପସ୍ଥାପନାରେ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ପାର୍କିଂ ବ୍ୟବସ୍ଥାର ରୂପାନ୍ତରଣ ପାଇଁ ପ୍ରସ୍ତାବିତ ଢାଞ୍ଚା ଉପରେ ଆଲୋକପାତ କରାଯାଇଥିଲା । ଦ୍ରୁତଗତିରେ ବଢ଼ୁଥିବା ଯାନବାହନ ସଂଖ୍ୟା ଯୋଗୁଁ ସହରର ସୀମିତ ରାସ୍ତା ଓ ସ୍ଥାନ ଉପରେ ବଢ଼ୁଥିବା ଚାପକୁ ଦୃଷ୍ଟିରେ ରଖି ଏକ ସୁପରିକଳ୍ପିତ, ନିୟନ୍ତ୍ରିତ ଓ ପ୍ରଯୁକ୍ତିବିଦ୍ୟାଭିତ୍ତିକ ପାର୍କିଂ ବ୍ୟବସ୍ଥା ଗଠନ କରିବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ । ସ୍ଥାୟୀ ସହରୀ ଯାତାୟାତ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପାର୍କିଂ ପରିଚାଳନାକୁ ଗୁରୁତ୍ୱ ଦେବା ସହ ପଥଚାରୀଙ୍କ ସୁବିଧା, ସାଧାରଣ ପରିବହନ ଓ ଉପଲବ୍ଧ ଭିତ୍ତିଭୂମିର ସୁବିନିଯୋଗ ଉପରେ ଏଥିରେ ବିଶେଷ ଧ୍ୟାନ ଦିଆଯାଇଛି ।
ପ୍ରସ୍ତାବିତ ନୀତିରେ ରାସ୍ତାର ସ୍ଥାନ ବଣ୍ଟନ କ୍ଷେତ୍ରରେ ପଥଚାରୀ, ସାଇକେଲ ଚାଳକ, ଦିବ୍ୟାଙ୍ଗ ବ୍ୟକ୍ତି, ଜରୁରୀକାଳୀନ ସେବା ଏବଂ ସାଧାରଣ ପରିବହନକୁ ପ୍ରାଥମିକତା ଦେବାର ବ୍ୟବସ୍ଥା ରହିଛି। ଏଥିସହ ପାର୍କିଂ ବ୍ୟବସ୍ଥାର ବୈଜ୍ଞାନିକ ଓ ସ୍ଥାନଭିତ୍ତିକ ଯୋଜନା ପାଇଁ ସହରସ୍ତରୀୟ ପାର୍କିଂ ମାଷ୍ଟର ପ୍ଲାନ୍ ଏବଂ ଅଞ୍ଚଳଭିତ୍ତିକ ପାର୍କିଂ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ପ୍ରସ୍ତାବ ରହିଛି। ପାର୍କିଂ ଚାହିଦା ଅନୁଯାୟୀ ଶୁଳ୍କ ନିର୍ଦ୍ଧାରଣ, ରାସ୍ତାକଡ଼ ଓ ରାସ୍ତା ବାହାରେ ଥିବା ପାର୍କିଂ ସ୍ଥଳ ପାଇଁ ଭିନ୍ନ ଭିନ୍ନ ଶୁଳ୍କ ବ୍ୟବସ୍ଥା, ଡିଜିଟାଲ୍ ପାର୍କିଂ ଅନୁମତିପତ୍ର, ରିଅଲ୍ ଟାଇମ୍ ପାର୍କିଂ ସୂଚନା, ଇଲେକ୍ଟ୍ରୋନିକ୍ ଦେୟ ବ୍ୟବସ୍ଥା ଏବଂ ପ୍ରଯୁକ୍ତିବିଦ୍ୟାଭିତ୍ତିକ ତଦାରଖ ଭଳି ପ୍ରମୁଖ ବ୍ୟବସ୍ଥା ଏହି ନୀତିରେ ସ୍ଥାନ ପାଇଛି। ଏଥିସହ ଉପଲବ୍ଧ ପାର୍କିଂ ସ୍ଥଳଗୁଡ଼ିକର ମିଳିତ ବ୍ୟବହାର, ବୈଦ୍ୟୁତିକ ଯାନ ପାଇଁ ଉପଯୁକ୍ତ ପାର୍କିଂ ସୁବିଧା ଏବଂ ସାଧାରଣ ପରିବହନ ଓ ଅଣ-ମୋଟର ଚାଳିତ ଯାତାୟାତ ବ୍ୟବସ୍ଥା ସହ ପାର୍କିଂ ଭିତ୍ତିଭୂମିର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି ।
ବାଣିଜ୍ୟିକ ଅଞ୍ଚଳ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଆବାସିକ ଅଞ୍ଚଳ, ଶିଳ୍ପାଞ୍ଚଳ ଓ ପରିବହନ କେନ୍ଦ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ପାର୍କିଂ ଏବଂ ଯାତାୟାତ ପରିଚାଳନା ବ୍ୟବସ୍ଥାର ପ୍ରସ୍ତାବ ରହିଛି । ଏହାର ସଫଳ କାର୍ଯ୍ୟକାରିତା ଓ ନିୟମର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ପୌରସଂସ୍ଥା, ଟ୍ରାଫିକ୍ ପୋଲିସ ଏବଂ ଅନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ ଉପରେ ମଧ୍ୟ ଏହି ନୀତିରେ ଗୁରୁତ୍ୱ ଦିଆଯାଇଛି ।
ସହରୀ ଯାତାୟାତ ଯୋଜନା ଓ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ସମ୍ପର୍କିତ ଆଲୋଚନାରେ ଭବିଷ୍ୟତର ସହରୀ ଭିତ୍ତିଭୂମି ଓ ଯାତାୟାତ ସମ୍ପର୍କିତ ପଦକ୍ଷେପଗୁଡ଼ିକର ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ମତବିନିମୟ ହୋଇଥିଲା। ସେହିପରି ଜିଲ୍ଲା ସହର ଉନ୍ନୟନ ସଂସ୍ଥା ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରାଯାଇ ଅନୁଷ୍ଠାନିକ ଦକ୍ଷତା ବୃଦ୍ଧି ଓ ସହରୀ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ଦକ୍ଷତାର ସହ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ବିଭାଗର ଚାଲୁ ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ଆକଳନ କରିବା ସହ ନୂତନ ପ୍ରାଥମିକତା ଓ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ରାଜ୍ୟରେ ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ବିଭାଗର ବିଭିନ୍ନ ଶାଖା ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା। ରାଜ୍ୟର ସହରଗୁଡ଼ିକୁ ଅଧିକ ସୁଗମ, ସୁସଂଗଠିତ, ସ୍ଥାୟୀ ଓ ବାସଯୋଗ୍ୟ କରି ଗଢ଼ିତୋଳିବା ଲକ୍ଷ୍ୟରେ ସମନ୍ୱିତ ଓ ଦୂରଦୃଷ୍ଟିସମ୍ପନ୍ନ ସହରୀ ବିକାଶ ଦିଗରେ ବିଭାଗର ନିରନ୍ତର ପ୍ରୟାସକୁ ଏହି ସମୀକ୍ଷା ବୈଠକ ପ୍ରତିଫଳିତ କରିଛି ।