ନିଃସ୍ୱାର୍ଥପର ସେବା ପାଇଁ କଳାହାଣ୍ଡିର ସ୍ୱେଚ୍ଛାସେବୀ ସଂଗଠନ ସମ୍ବର୍ଦ୍ଧିତ
‘ସମର୍ପଣ-୨୦୨୬’ ଉତ୍ସବରେ ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍କୁ ସମ୍ମାନ
କଳାହାଣ୍ଡି/ଧର୍ମଗଡ଼(ସାକ୍ସୀ ନ୍ୟୁଜ୍): ରକ୍ତଦାନଠାରୁ ଆରମ୍ଭ କରି ଅସହାୟଙ୍କୁ ସହାୟତା, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ଭଳି ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟରେ ନିଜକୁ ସାମିଲ କରି ସମାଜସେବାର ଉଦାହରଣ ସୃଷ୍ଟି କରିଛି କଳାହାଣ୍ଡି ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍। ଏହି ସାମାଜିକ ଅବଦାନକୁ ସ୍ୱୀକୃତି ଜଣାଇ ବଲାଙ୍ଗୀରଠାରେ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଛି।ବଲାଙ୍ଗୀରର ଏକ ସ୍ୱେଚ୍ଛାସେବୀ ସଂଗଠନର ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ କୋଶଳ କଳାମଣ୍ଡଳ ପଡ଼ିଆଠାରେ ‘ସମର୍ପଣ-୨୦୨୬’ ଉତ୍ସବ ଆୟୋଜିତ ହୋଇଥିଲା।
ଏହି ଉତ୍ସବରେ ସମାଜ କଲ୍ୟାଣ ଓ ମାନବସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍, କଳାହାଣ୍ଡିକୁ ସମ୍ମାନସୂଚକ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା।ଅନୁଷ୍ଠାନ ପକ୍ଷରୁ ଅରୁଣ କୁମାର ନାଗ, ଡମ୍ବରୁଧର ନାଗ, ମହେଶ ନାଏକ, ଅନିଳ କୁମାର ସାହୁ ଓ ପ୍ରଶାନ୍ତ ନନ୍ଦ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।ଏହି ସମ୍ମାନ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସ୍ୱେଚ୍ଛାସେବୀଙ୍କ ସାମୂହିକ ପ୍ରୟାସର ସ୍ୱୀକୃତି। ଆଗାମୀ ଦିନରେ ମଧ୍ୟ ଅସହାୟ ଓ ଅଭାବୀ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବା ସହ ସ୍ୱାସ୍ଥ୍ୟ, ଶିକ୍ଷା ଓ ମାନବ କଲ୍ୟାଣ କ୍ଷେତ୍ରରେ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଏହି ସ୍ୱୀକୃତି ପ୍ରେରଣା ଯୋଗାଇବ।