କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକସ୍ତରୀୟ ମଧୁବାବୁ ପେନସନ୍ ଯୋଜନାରେ ୩୨୪ ଜଣ ନୂତନ ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ କରାଯାଇଛି। ନୂତନ ସରକାର ଆସିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଏବଂ କେହି ଯେପରି ଭତ୍ତାରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ସରକାର ଗୁରୁତ୍ୱ ଦେଉଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଫିତା କାଟି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ମା’ ତାରିଣୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।
ଉପସ୍ଥିତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଅତିଥିମାନେ ମତ ପ୍ରକାଶ କରି କହିଥିଲେ ଯେ, ପୂର୍ବରୁ ଭତ୍ତା ପାଇବା ପାଇଁ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା। କିନ୍ତୁ ନୂତନ ସରକାର ଆସିବା ପରେ ଯୋଗ୍ୟ ବ୍ୟକ୍ତିଙ୍କୁ ପେନସନ୍ ଯୋଜନାରେ ସାମିଲ କରିବା ସହ କେହି ଯେପରି ଭତ୍ତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପଦକ୍ଷେପ ନିଆଯାଉଛି। ସମାଜର ବୃଦ୍ଧବୃଦ୍ଧା, ଅସହାୟ ଓ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ସାଂସଦଙ୍କ ବ୍ଲକ ପ୍ରତିନିଧି ପ୍ରହ୍ଲାଦ ପଲେଇ, ବିଧାୟକଙ୍କ ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ବଡ଼ପାଟଣା ସରପଞ୍ଚ ବିନତି ବାନରା ଯୋଗଦେଇଥିଲେ ।
ସ୍ୱାମ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପାର୍ଥସାରଥୀ ବେଜ ମଞ୍ଚ ପରିଚାଳନା କରିଥିଲେ ଏବଂ ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ସଭା ଦାଇତ୍ୱ ତୁଲାଇ ଥିଲେ। ଏହି କାର୍ଯ୍ୟକ୍ରମରେ ବଡ଼ପାଟଣା ପଞ୍ଚାୟତର ୧୭୪ ଜଣ ଏବଂ ଟାଙ୍ଗରପଡ଼ା ପଞ୍ଚାୟତର ୧୫୦ ଜଣଙ୍କୁ ମିଶାଇ ମୋଟ ୩୨୪ ଜଣ ନୂତନ ହିତାଧିକାରୀ ପେନସନ୍ ପାଇଥିଲେ। ନୂତନ ହିତାଧିକାରୀଙ୍କୁ ପେନସନ୍ ପ୍ରଦାନ ମାଧ୍ୟମରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇଦେବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। କେନ୍ଦୁଝରରୁ ଦିନବନ୍ଧୁ ମିଶ୍ରଙ୍କ ରିପୋର୍ଟ ।