ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସବିବଙ୍କ ଅଧ୍ଯକ୍ଷତାରେ

ନଭେମ୍ବର ୧୬ ତାରିଖରେ ଆସିବେ ମାନ୍ୟବର ଉପରାଷ୍ଟ୍ରପତି,ନଭେମ୍ବର ୨୪ ଓ ୨୫ ତାରିଖରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ

ଅତିଥିମାନଙ୍କ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଗସ୍ତ ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବ

ଭୁବନେଶ୍ବର(ସାକ୍‌ସୀ ନ୍ୟୁଜ୍‌): ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି ରାଧାକ୍ରିଷ୍ଣନ ନଭେମ୍ବର ୧୬ ତାରିଖରେ ଏବଂ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୪ ଓ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ଏବଂ ସୁସମନ୍ୱୟରେ ସଫଳ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵ ଦେଇଥିଲେ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ଗୃହ(ସ୍ବରାଷ୍ଟ୍ର) ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଗସ୍ତସୂଚୀ ଉପସ୍ଥାପନା କରି ଆଲୋଚନା କରିଥିଲେ ।

ମାନ୍ୟବର ଉପରାଷ୍ଟ୍ରପତି ନଭେମ୍ବର ୧୬ ତାରିଖ ସକାଳେ ନୂଆ ଦିଲ୍ଲୀରୁ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ। ଏହି ଗସ୍ତ ପରିପ୍ରେକ୍ଷୀରେ ସେ ଭୁବନେଶ୍ୱରସ୍ଥିତ ମେଫେୟାର ସାନଙ୍କୁଆରୀ କନଭେନସନ୍‌ ହଲ୍‌ରେ ସପ୍ତଦଶ ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ସେଠାରେ ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ପରେ ପରେ ମାନ୍ୟବର ଉପରାଷ୍ଟ୍ରପତି ମଧ୍ୟାହ୍ନରେ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଆଇକନିକ୍ ଟାୱାର (ଏକାଡେମିକ୍ ବିଲିଂ) ଉଦ୍‌ଘାଟନ କରି ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ।

ସେହିପରି, ମାନ୍ୟବର ରାଷ୍ଟ୍ରପତି ନଭେମ୍ବର ୨୪ ତାରିଖରେ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ବାହାରି ମଧ୍ୟାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଲୋକଭବନ ଯିବେ। ସେହିଦିନ ସନ୍ଧ୍ୟାରେ କଟକଠାରେ ଆୟୋଜିତ “ବାଲିଯାତ୍ରା କଟକ ଉତ୍ସବ-୨୦୨୬” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉତ୍ସବ ପରେ ସେ ଭୁବନେଶ୍ବର ଫେରି ରାତ୍ର ରହଣି କରିବେ। ପରଦିନ ନଭେମ୍ବର ୨୫ ତାରିଖ ସକାଳେ ଭୁବନେଶ୍ବରସ୍ଥିତ ଡା. ଅଭିନ ଚନ୍ଦ୍ର ହୋମିଓପାଥ୍କ୍ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଜାତୀୟ ହୋମିଓପାଥ୍କ୍ ବୈଜ୍ଞାନିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଅପରାହ୍ନରେ ମାନ୍ୟବର ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ବୈଠକରେ ଉଭୟ ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ଉପ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ସ୍ବାଗତ ଓ ବିଦାୟ ସମ୍ୱର୍ଦ୍ଧନା, ସୁରକ୍ଷା ବ୍ୟବସ୍ଥା, ରହଣି, ଯାତାୟାତ, କାରକେଡ୍ ପରିଚାଳନା, ଚିକିତ୍ସା ଓ ସ୍ବାସ୍ଥ୍ୟସେବା, ଅଗ୍ନିଶମ ବ୍ୟବସ୍ଥା, ରାସ୍ତା ମରାମତି, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜଳଯୋଗାଣ, ବେରିକେଡିଂ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ଏଥିପାଇଁ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଜିଲ୍ଲାପାଳ, ଖୋର୍ଦ୍ଧା ଓ ଜିଲ୍ଲାପାଳ, କଟକ ଙ୍କୁ ସାମଗ୍ରିକ ଭାବେ କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ବରରେ ପୁଲିସ୍ କମିଶନର, ଭୁବନେଶ୍ବର-କଟକ ଏବଂ କଟକରେ ଡିସିପି କଟକ ସୁରକ୍ଷା ଦାୟିତ୍ବ ତଦାରଖ କରିବେ। ସାମଗ୍ରିକ ଭାବେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ(ଡିଜିପି) ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ବୈଠକରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ର, ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ସମେତ ସଂପୃକ୍ତ ସଂସ୍ଥାର ଅଧିକାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଡିଜିପି, ଅଗ୍ନିଶମ ସେବା, ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସମେତ ଜିଲ୍ଲାପାଳ, କଟକ, ଜିଲ୍ଲାପାଳ, ଖୋର୍ଦ୍ଧା ଏବଂ କଟକ ମହାନଗର କମିଶନର ପ୍ରମୁଖ ଆଭାସୀ ମାଧ୍ଯମରେ ବୈଠକରେ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ। ଅତିଥିମାନଙ୍କ ଗସ୍ତର ସଫଳ ଆୟୋଜନ ନିମନ୍ତେ ସମସ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ, କ୍ଷେତ୍ର ପରିଦର୍ଶନ ପୂର୍ବକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସଂପନ୍ନ କରି ତ୍ରୁଟିଶୂନ୍ୟ ପ୍ରସ୍ତୁତି ଉପରେ ସେ ଗୁରୁତ୍ବ ଦେଇଛନ୍ତି। ବୈଠକରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଓ ଅନ୍ୟାନ୍ୟ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ବ୍ୟାପକ ବ୍ୟବସ୍ଥା କରିବା ସହ ଗସ୍ତସ୍ଥଳ ଓ କାର୍ଯ୍ୟକ୍ରମ ସ୍ଥଳରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା, ଜୀବନରକ୍ଷାକାରୀ ଉପକରଣ ଏବଂ ଜରୁରୀକାଳୀନ ଚିକିତ୍ସା ଦଳ ମୁତୟନ ଉପରେ ଗୁରୁତ୍ବ ଦିଆଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଦୂରଦର୍ଶନ ସହ ସମନ୍ଵୟ ରକ୍ଷା କରି ଗସ୍ତର ଗଣମାଧ୍ଯମ ପ୍ରଚାର ଓ ସରକାରୀ ଫଟୋଗ୍ରାଫି ବ୍ୟବସ୍ଥା କରିବା, ଆବଶ୍ୟକୀୟ ପାସ୍‌ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ଉପରାଷ୍ଟ୍ରପତି ଙ୍କ ଗସ୍ତ ପରିପ୍ରେକ୍ଷୀରେ ଭୁବନେଶ୍ବର ଓ କଟକରେ ସଡ଼କପଥ ଯାତ୍ରା ସମୟରେ କାରକେଡ୍ ଯାତାୟାତ ଓ ଟ୍ରାଫିକ୍ ପରିଚାଳନା ସଂପର୍କରେ ଆଲୋଚନା କରାଯାଇଛି। ରାଜ୍ୟ ଗୃହ (ସ୍ବରାଷ୍ଟ୍ର ) ବିଭାଗ ପକ୍ଷରୁ ମଧ୍ୟ ଏଥ୍ ନେଇ ମଧ୍ଯ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ।