ଭୁବନେଶ୍ୱର(ସାକ୍ସୀ ନ୍ୟୁଜ୍): ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂଆ ସହରାଞ୍ଚଳ ପାର୍କିଂ ନୀତି-୨୦୨୬ର ଚିଠା ପ୍ରକାଶ କରାଯାଇଛି। ଏହାକୁ ବିଭାଗର ଅଫିସିଆଲ୍ ୱେବସାଇଟ୍ https://urban.odisha.gov.in/en ରେ ପ୍ରକାଶ କରାଯାଇଛି। ସହରାଞ୍ଚଳରେ ଯାନବାହନ ଭିଡ଼ ହ୍ରାସ କରିବା, ଫୁଟପାଥକୁ ଅବରୋଧମୁକ୍ତ ରଖିବା ଏବଂ ରାସ୍ତାରେ ଯାତାୟାତକୁ ଅଧିକ ସୁଗମ କରିବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ। ଏହି ନୀତି ଅନୁଯାୟୀ, ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିଜ ନିଜ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ପାର୍କିଂ ଯୋଜନା ପ୍ରସ୍ତୁତ କରିବେ। ଏଥିରେ ପାର୍କିଂ ଜୋନ୍ ଚିହ୍ନଟ, ଶୁଳ୍କ ନିର୍ଦ୍ଧାରଣ ଏବଂ ପାର୍କିଂ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।
“ଉନ୍ନତ ପାର୍କିଂ ପରିଚାଳନା ଦ୍ୱାରା ପଦଚାରୀଙ୍କ ଯାତାୟାତ ଅଧିକ ସୁରକ୍ଷିତ ହେବା ସହ ଯାନବାହନ ଚାଳକମାନଙ୍କୁ ପାର୍କିଂ ସ୍ଥାନ ଖୋଜିବାରେ ଲାଗୁଥିବା ସମୟ ହ୍ରାସ ପାଇବ ଏବଂ ସାଧାରଣ ପରିବହନ ବ୍ୟବସ୍ଥାରେ ଯାତ୍ରା ଅଧିକ ସହଜ ହେବ। ଓଡ଼ିଶାର ସହରଗୁଡ଼ିକର ବିକାଶ ସହିତ ପାର୍କିଂ ସ୍ଥାନ ସମ୍ପର୍କିତ ତୁରନ୍ତ ସୂଚନା ଲୋକଙ୍କୁ ଯାତ୍ରା ଯୋଜନା କରିବାରେ ସହାୟକ ହେବ। ଏହା ସହିତ ପୌର ସଂସ୍ଥାଗୁଡ଼ିକ ମଧ୍ୟ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପାର୍କିଂ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବେ। ପାର୍କ-ଆଣ୍ଡ-ରାଇଡ୍ ସୁବିଧା ଏବଂ ବୈଦ୍ୟୁତିକ ଯାନ ପାଇଁ ଚାର୍ଜିଂ ବ୍ୟବସ୍ଥା ଆଗାମୀ ଦିନରେ ଆମ ସହରଗୁଡ଼ିକର ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁବିଧାଜନକ କରିବ । ” — ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର ଚିଠା ନୀତି ଅନୁଯାୟୀ, ସ୍ଥାନ, ଚାହିଦା ଏବଂ ପାର୍କିଂ ସମୟ ଅନୁସାରେ ଶୁଳ୍କ ଧାର୍ଯ୍ୟ କରାଯିବ। ଲୋକମାନେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖିବା ପରିବର୍ତ୍ତେ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରିବା ପାଇଁ ରାସ୍ତା ବାହାରେ ଥିବା ପାର୍କିଂ ସ୍ଥାନର ଶୁଳ୍କ ୨୫ ପ୍ରତିଶତ କମ୍ ରଖିବାକୁ ପ୍ରସ୍ତାବ ରହିଛି। ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଲୋକମାନେ ପାର୍କିଂ ସ୍ଥାନ ଖାଲି ଅଛି କି ନାହିଁ ଜାଣିବା, ଆଗୁଆ ସ୍ଥାନ ବୁକ୍ କରିବା ଏବଂ ନଗଦ ଟଙ୍କା ବଦଳରେ ଅନଲାଇନ୍ରେ ଶୁଳ୍କ ଦେଇପାରିବେ ।
ଏହି ଚିଠା ନୀତିରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବିନା ଅତିରିକ୍ତ ଶୁଳ୍କରେ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଚିହ୍ନଟ କରିବା, ପ୍ରମୁଖ ସାଧାରଣ ପରିବହନ ରାସ୍ତା ନିକଟରେ ପାର୍କ-ଆଣ୍ଡ-ରାଇଡ୍ ସୁବିଧା ଯୋଗାଇବା ସହ ନୂତନ ପାର୍କିଂ ସ୍ଥାନ ଏବଂ ବହୁତଳ ପାର୍କିଂ କେନ୍ଦ୍ରଗୁଡ଼ିକରେ ବୈଦ୍ୟୁତିକ ଯାନ (EV) ଚାର୍ଜିଂ ଓ ସାଇକେଲ୍ ରଖିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରହିଛି। ଜନସାଧାରଣ ଏହି ଚିଠା ନୀତି ଉପରେ ନିଜର ମତାମତ, ପରାମର୍ଶ କିମ୍ବା ଆପତ୍ତି ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଦାଖଲ କରିପାରିବେ। ଏହା ବିଭାଗରେ ସିଧାସଳଖ ଦାଖଲ କରିବା ସହ ଡାକ ଯୋଗେ କିମ୍ବା [email protected] ଇ-ମେଲ୍ ଠିକଣାରେ ପଠାଇପାରିବେ ।