ଭାଲେରିର ରାଧା-କୃଷ୍ଣ ମନ୍ଦିରରେ ପବିତ୍ର ଅଁଳା ନବମୀ ଓ ରାଧା ପାଦ ଦର୍ଶନ

ଅଁଳା ନବମୀରେ ରାଧାପାଦ ଦର୍ଶନର ମାହାତ୍ମ୍ୟ…

ରାମନାଗୁଡ଼ା(ସାକ୍‌ସୀ ନ୍ୟୁଜ୍‌): ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ରହିଛି। ସବୁ ପର୍ବର ନିଜର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି। ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବେ ପୂଜା କରିବାର ପରମ୍ପରା ରହିଛି।କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦ ଦର୍ଶନ ଯାତ୍ରା ରୂପେ ସୁପରିଚିତ। ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କ ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଏଥିପାଇଁ ଏହି ଦିବସ ରାଧାପାଦ ଦର୍ଶନ ନାମରେ ପ୍ରସିଦ୍ଧ ।

ସାକ୍ଷୀଗୋପାଳର ଏହି ଯାତ୍ରା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହୁଏ। କାର୍ତ୍ତିକ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଗୋପାଳଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ବର୍ଷସାରା ଶ୍ରୀଜୀଉଙ୍କୁ ଗହମଜାତ ଦ୍ରବ୍ୟରୁ ପ୍ରସ୍ତୁତ ନୈବେଦ୍ୟ ଲାଗି କରାଯାଏ। କେବଳ ଏହି ଦିନ ସ୍ଥାନୀୟ ମୁଖ୍ୟ ଫସଲ ଧାନରୁ ପ୍ରସ୍ତୁତ ଚୁଡ଼ାରେ ଚୁଡ଼ାଘଷା ପ୍ରସ୍ତୁତ କରାଯାଇ ଭୋଗ ଦିଆଯାଏ ।

ଭାଲେରିରେ ଭକ୍ତଙ୍କ ଭିଡ଼

ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଅଧୀନ ଉକୁମ୍ବା ଗ୍ରାମ ଅଧୀନ ଭାଲେରି ଗ୍ରାମରେ ଥିବା ରାଧା-କୃଷ୍ଣ ମନ୍ଦିରରେ ଆଜି ପବିତ୍ର ଅଁଳା ନବମୀ ଓ ରାଧା ପାଦ ଦର୍ଶନ ବଡ଼ ଆଡମ୍ବର ସହ ପାଳିତ ହୋଇଛି। ଆଜି ପବିତ୍ର ଅଁଳା ନବମୀ। ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ। ଆଜି ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି। ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ ଏହି ଦିନ ଦାନ କରିବା ଦ୍ୱାରା ଜଣେ ବ୍ୟକ୍ତି ବର୍ତ୍ତମାନ ତଥା ପରବର୍ତ୍ତୀ ଜୀବନରେ ସୁଖ ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। କୁହାଯାଏ ଯେ ଏହା କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ ଏବଂ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୁଏ ।

ଅଁଳା ନବମୀ ଦିନ ଅଁଳା ଗଛ ତଳେ ଖାଦ୍ୟ ପ୍ରସ୍ତୁତ ଏବଂ ଖାଇବାର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭଗବାନ ବିଷ୍ଣୁ କୁଶ୍ମାଣ୍ଡ ଭୂତକୁ ହତ୍ୟା କରିଥିଲେ। ଏହି ଦିନ ଭଗବାନ କୃଷ୍ଣ କଂସଙ୍କୁ ହତ୍ୟା କରିବା ପୂର୍ବରୁ ତିନୋଟି ଜଙ୍ଗଲକୁ ଘେରି ରହିଥିଲେ। ଅଁଳା ନବମୀରେ ପରିବାରର ମଙ୍ଗଳ କାମନା କରି ଭକ୍ତମାନେ ବୃକ୍ଷ ମୂଳେ ହଳଦୀ, ସିନ୍ଦୁର ଓ କ୍ଷୀର ଅର୍ପଣ କରିଛନ୍ତି। ଗଛରେ ନାଲି ସୂତା ଗୁଡ଼ାଇ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । ଭାଲେରିର ରାଧା-କୃଷ୍ଣ ମନ୍ଦିରରେ ପବିତ୍ର ରାଧାପାଦ ଦର୍ଶନ ମିଳିଥାଏ। ଆଜି ମା’ଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ମିଳିଛି। ଆଜିର ଦିନରେ ମା’ ରାଧା ସମ୍ବଲପୁରୀ ଶାଢ଼ୀ ପରିଧାନ କରି ଖାଣ୍ଟି ଓଡ଼ିଆଣୀ ବେଶରେ ଦର୍ଶନ ଦେଇଛନ୍ତି ।

ଏହି ପବିତ୍ର ତିଥିରେ ଭାଲେରି ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସେହିଭଳି ଲିହୁରି ଗ୍ରାମର ପ୍ରସିଦ୍ଧ ମନ୍ଦିର ସହ ବିଭିନ୍ନ ସ୍ଥାନରୁ ଏଠାରେ ଶ୍ରଦ୍ଧାଳୁ ଆସିଥିଲେ।ସୂଚନା ଅନୁଯାୟୀ, ସକାଳ ୫ଟା ପରଠାରୁ ସାହାଣମେଲା ଦର୍ଶନ ଚାଲିଛି। ଧାଡ଼ିରେ ଆସି ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ। ଏହି ଦର୍ଶନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ପାଳିଆ ପରିବର୍ତ୍ତନ ଲାଗି ଅପରାହ୍ନ ୫ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ପୁଣିଥରେ ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ସାହାଣମେଲା ଦର୍ଶନ ।