କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ନିଜର ଧାର୍ମିକ ଅଧିକାର, ପାରମ୍ପରିକ ପରିଚୟ ଓ ସାମାଜିକ ସ୍ୱାଭିମାନର ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ। ପାରମ୍ପରିକ ବେଶପୋଷାକ ସାଙ୍ଗକୁ ହାତରେ ପାରମ୍ପରିକ ଅସ୍ତ୍ର ଧନୁ, ତୀର, ବଲ୍ଲା ଓ ଫାର୍ସା। ହଜାର ହଜାର ଆଦିବାସୀ ପୁରୁଷ ଓ ମହିଳାଙ୍କ ବିଶାଳ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା କେନ୍ଦୁଝର ସହର। ମାଝି ପାରଗାନା ବ୍ୟବସ୍ଥା ପକ୍ଷରୁ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ। ବସନ୍ତପୁରା ଜାହେରାଥାନ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆଦିବାସୀ ସମାଜ ଏ ଦୃଶ୍ୟ କେନ୍ଦୁଝର ସହରର ।
ହଜାର ହଜାର ସଂଖ୍ୟାରେ ଏକାଠି ହୋଇଛନ୍ତି ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ପୁରୁଷ ଓ ମହିଳା। କାହା ହାତରେ ଧନୁ ତୀର ତ ଆଉ କାହା ହାତରେ ବଲ୍ଲା ଓ ଫାର୍ସା। ପାରମ୍ପରିକ ବେଶଭୂଷା ରେ ଧରଣୀଧର ବିଶ୍ୱବିଦ୍ୟାଳୟ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ଆନ୍ଦୋଳନକାରୀ। ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ ହେଉଛି ଘଷିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର ଦଳକିସାଇ ଅଞ୍ଚଳରେ ଗତ ଅକ୍ଟୋବର ୨୩ ତାରିଖରେ ଜାହେରାଥାନରେ ପାରମ୍ପରିକ ପୂଜା ସମୟରେ ଘଟିଥିବା ଘଟଣା। ଏହି ଘଟଣା ଆଦିବାସୀ ସମାଜର ଧାର୍ମିକ ଭାବନା, ପାରମ୍ପରିକ ଅଧିକାର ଓ ସାମାଜିକ ସ୍ୱାଭିମାନକୁ ଆଘାତ ଦେଇଥିବା ଅଭିଯୋଗ କରିଛି ମାଝି ପାରଗାନା ବ୍ୟବସ୍ଥା ।
ଏହି ଘଟଣାର ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ, ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଉପରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ, ପୀଡ଼ିତ ପରିବାର ଓ ସାକ୍ଷୀଙ୍କୁ ସୁରକ୍ଷା, ଆଦିବାସୀଙ୍କ ଧାର୍ମିକ ସ୍ୱାଧୀନତା ଏବଂ ପାରମ୍ପରିକ ମାଝି ପାରଗାନା ବ୍ୟବସ୍ଥାକୁ ସମ୍ମାନ ପ୍ରଦାନ ଭଳି ୧୧ ଦଫା ଦାବି ରଖିଛନ୍ତି ଆନ୍ଦୋଳନକାରୀ। କେବଳ ଜିଲ୍ଲା ପ୍ରଶାସନ ନିକଟରେ ନୁହେଁ, ଏହି ଦାବିପତ୍ର ଜରିଆରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜାତୀୟ ଓ ରାଜ୍ୟ ମାନବାଧିକାର ଆୟୋଗ ସହ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସେମାନେ। ଆସନ୍ତା ୩୦ ଦିନ ମଧ୍ୟରେ ତଦନ୍ତର ସ୍ଥିତି, ନିଆଯାଇଥିବା ପଦକ୍ଷେପ ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ମଧ୍ୟ ଦାବି କରିଛନ୍ତି। କେନ୍ଦୁଝରରୁ ଅଞ୍ଜନ ରାଣାଙ୍କ ରିପୋର୍ଟ ।