ସରକାରୀ ଖଣି କବ୍‌ଜାରେ କାଳିମାଟି-ଦବୁନା ରାସ୍ତା

ବେଆଇନ ପାର୍କିଂ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ଆମ୍ବୁଲାନ୍ସ ସ୍କୁଲ ବସ୍‌ ଯିବାକୁ ମିଳୁନି ରାସ୍ତା,ଜଙ୍ଗଲ ରାସ୍ତା ଦେଇ ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ…

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): କୋଟି କୋଟି ଟଙ୍କାର ରାଜସ୍ୱ ଦେଉଥିବା ଯୋଡ଼ା ଖଣି ମଣ୍ଡଳରେ ସାଧାରଣ ଲୋକଙ୍କ ଯାତାୟାତ ସୁରକ୍ଷା ଏବେ ପ୍ରଶ୍ନବାଚୀ। ବଡ଼କାଳିମାଟି ପଞ୍ଚାୟତ ଅନ୍ତର୍ଗତ କାଳିମାଟି ଛକଠାରୁ ଦବୁନା ପର୍ଯ୍ୟନ୍ତ ରାସ୍ତା ଓଏମ୍‌ସିର ଦବୁନା-ସେକ୍ରାଡିହି ଖଣିରୁ ଖଣିଜ ପରିବହନ କରୁଥିବା ଭାରୀଯାନଗୁଡ଼ିକର ବେଆଇନ ପାର୍କିଂ ଯୋଗୁଁ ଏକପ୍ରକାର ଅବରୋଧ ହୋଇପଡ଼ିଛି। ରାସ୍ତାରେ ଶହ ଶହ ଟ୍ରକ୍‌ର ଲମ୍ବା ଧାଡ଼ି ଯୋଗୁଁ ବାଇକ୍‌ ତ ଦୂରର କଥା, ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଛି ।

ସ୍ଥାନୀୟ ଅଞ୍ଚଳରେ ଏହି ସମସ୍ୟା ଦିନକୁ ଦିନ ଗମ୍ଭୀର ରୂପ ନେଉଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କମ୍ପାନୀ ର ନିଜର ପାର୍କିଙ୍ଗ ସ୍ଥଳ ନ ଥିବାରୁ ଖଣିଜ ପରିବହନ ଟ୍ରକ୍‌ଗୁଡ଼ିକ ରାସ୍ତା ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହୁଥିବାରୁ ଜରୁରୀକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଟ୍ରାଫିକ୍‌ ଜାମ୍‌ରେ ଫସି ରହୁଥିବା ଅଭିଯୋଗ ହୋଇଛି। ଏପରିକି ସ୍କୁଲ ବସ୍‌ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଦବୁନାସ୍ଥିତ ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀମାନେ ଟ୍ରକ୍‌ର ଲମ୍ବା ଧାଡ଼ି ଦେଖି ଭୟଭୀତ ହୋଇ ମୁଖ୍ୟ ରାସ୍ତା ପରିବର୍ତ୍ତେ ରାସ୍ତାକଡ଼ ଜଙ୍ଗଲିଆ ଓ ଝାଟିମାଟି ରାସ୍ତା ଦେଇ ଯାତାୟାତ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବଡ଼କାଳିମାଟିଠାରେ ଥିବା ସରକାରୀ ଡାକ୍ତରଖାନାକୁ ଯିବା ପାଇଁ ମଧ୍ୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ରୋଗୀଙ୍କ ଚିକିତ୍ସା ଓ ସରକାରୀ ସ୍ୱାସ୍ଥ୍ୟସେବା ଲାଭ କରିବାରେ ବାଧା ସୃଷ୍ଟି ହେଉଛି ।

କେବଳ ଯାତାୟାତ ନୁହେଁ, ଖଣିଜ ପରିବହନ ଯୋଗୁଁ ଉଡ଼ୁଥିବା ଧୂଳି ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଆଉ ଏକ ସମସ୍ୟା ପାଲଟିଛି। ନିୟମିତ ବ୍ୟବଧାନରେ ରାସ୍ତାରେ ପାଣି ସିଞ୍ଚନ କରାଯାଉନଥିବାରୁ ଧୂଳି ଘରଦ୍ୱାରରେ ପଶିବା ସହ ଲୋକେ ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ଅଭିଯୋଗ ରହିଛି। ଏହି ସମସ୍ୟା ନେଇ ବାରମ୍ବାର ଖଣି କର୍ତ୍ତୃପକ୍ଷ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସୁନଥିବା ସ୍ଥାନୀୟ ଲୋକେ କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ରାଫିକ୍‌ ସମସ୍ୟା ନେଇ ନୋଟିସ୍‌ ଜାରି ହୋଇଥିବା ସତ୍ତ୍ୱେ ଯଦି ସ୍ଥିତିରେ ପରିବର୍ତ୍ତନ ହେଉନାହିଁ, ତେବେ ଏହା ପ୍ରଶାସନିକ ତଦାରଖ ଓ ନିୟମ ପାଳନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛି ।

ଏହା ଏକ ସରକାରୀ ଖଣି କମ୍ପାନୀ ହୋଇଥିବା ସତ୍ତ୍ୱେ ନିଜସ୍ୱ ପାର୍କିଂ ବ୍ୟବସ୍ଥା ନକରି ସାଧାରଣ ରାସ୍ତାକୁ ଭାରୀଯାନ ପାର୍କିଂର ସ୍ଥାନ ଭାବେ ବ୍ୟବହାର କରାଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି। ଖଣିରୁ ସରକାରଙ୍କୁ ବିପୁଳ ରାଜସ୍ୱ ମିଳୁଥିବାବେଳେ ସ୍ଥାନୀୟ ଲୋକଙ୍କୁ ମୌଳିକ ଯାତାୟାତ ସୁବିଧା ମିଳିବାରେ ବିଫଳତା କାହିଁକି ? ତେଣୁ ଓଏମ୍‌ସି ଦବୁନା-ସେକ୍ରାଡିହି ଖଣି କର୍ତ୍ତୃପକ୍ଷ ତୁରନ୍ତ ନିଜସ୍ୱ ପାର୍କିଂ ସ୍ଥଳ ନିର୍ମାଣ କରିବା ସହ ରାସ୍ତା ଉପରୁ ବେଆଇନ ପାର୍କିଂ ହଟାଇବା, ଯାତାୟାତ ସ୍ୱାଭାବିକ କରିବା ଏବଂ ଧୂଳି ନିୟନ୍ତ୍ରଣ ପାଇଁ ନିୟମିତ ପାଣି ସିଞ୍ଚନ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଜନସାଧାରଣଙ୍କ ଏହି ଗୁରୁତର ସମସ୍ୟା ପ୍ରତି ଓଏମ୍‌ସି ଓ ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେଉଛନ୍ତି। କେନ୍ଦୁଝରରୁ ରବିନ୍ଦ୍ର ଖମଣିଆଙ୍କ ରିପୋର୍ଟ ।