ପାଟଣା ବ୍ଲକର ୪ ଗୋଟି ପଞ୍ଚାୟତରେ ୨୬୦ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକର ୪ଟି ପଞ୍ଚାୟତରେ ଆଜି ନୂତନ ଭାବେ ମନୋନୀତ ୨୬୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରାଯାଇଛି। ମରୁସୁଆଁ, ରାଜନଗର, ତୁରୁମୁଙ୍ଗା ଓ ବୁଢ଼ିକାପୁଡ଼ି ପଞ୍ଚାୟତରେ ପୃଥକ୍‌ ପୃଥକ୍‌ ଭାବେ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦୀର୍ଘଦିନ ଧରି ଭତ୍ତା ପାଇବାରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀମାନେ ନୂତନ ଭାବେ ଭତ୍ତା ପାଇଥିବାରୁ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମରୁସୁଆଁ ପଞ୍ଚାୟତରେ ୩୩ ଜଣ ନୂତନ ହିତାଧିକାରୀଙ୍କୁ ସକାଳ ୧୦ଟା ସମୟରେ ଭତ୍ତା ବଣ୍ଟନ କରାଯାଇଥିଲା। ସରପଞ୍ଚ ହରିଶଙ୍କର ଦେହୁରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପିଓ ନିଶିତ କୁମାର ରାଉତ, ଏଡିଓ ମନାଲିସା ମହାନ୍ତ, ସମିତି ସଭ୍ୟ ଓ ସମାଜସେବୀ ମିତ୍ରଭାନୁ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ରାଜନଗର ପଞ୍ଚାୟତରେ ୬୯ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ।

ସରପଞ୍ଚ ସୁମାଂଶୁ ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଡିଓ ସୁଦର୍ଶନ ପୁଷ୍ଟି, ପିଇଓ ଲଲାଟେନ୍ଦୁ ବିଦ୍ୟାଧର ମହାନ୍ତ ଓ ତ୍ରିଲୋଚନ ମହାନ୍ତ ଉପସ୍ଥିତ ଥିଲେ। ତୁରୁମୁଙ୍ଗା ପଞ୍ଚାୟତରେ ସର୍ବାଧିକ ୧୦୭ ଜଣ ନୂତନ ହିତାଧିକାରୀ ଭତ୍ତା ପାଇଥିଲେ। ସରପଞ୍ଚ ସୁଲେଖା ନାଏକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପି ନେତା ରଜନୀକାନ୍ତ ମିଶ୍ର ଯୋଗଦେଇଥିଲେ। ଏଥିରେ ପିଇଓ ନିଶିତ କୁମାର ରାଉତ, ଏଡିଓ ସୁଜିତ କୁମାର ସାମନ୍ତରାୟ, ସମିତି ସଭ୍ୟା ଅସୁମତି ସାହୁ, ଯୋଗାଣ ସହାୟକ ସତ୍ୟନାରାୟଣ ବେହେରା ଓ ଲିଙ୍ଗରାଜ ସିଂ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ବୁଢ଼ିକାପୁଡ଼ି ପଞ୍ଚାୟତରେ ୫୧ ଜଣ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରାଯାଇଥିଲା। ପିଇଓ ଗଙ୍ଗାଧର ପାତ୍ରଙ୍କ ଉପସ୍ଥିତିରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏଡିଓ ଭାଗୀରଥୀ ମହାନ୍ତ, ନାଏବ ସରପଞ୍ଚ ଯୋଗେଶ୍ୱର ମହାନ୍ତ, ୱାର୍ଡ ସଭ୍ୟ ସଞ୍ଜୟ କୁମାର ପାତ୍ର, ପଦ୍ମିନୀ ପାତ୍ର ଓ ରବୀନ୍ଦ୍ର ମହାନ୍ତ ଉପସ୍ଥିତ ରହି ଭତ୍ତା ବଣ୍ଟନରେ ସହଯୋଗ କରିଥିଲେ। ଏଥିସହ ଖିରେଇଟାଙ୍ଗିରି ମଣ୍ଡଳର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତ ମଧ୍ୟ ଉପସ୍ଥିତ ଥିଲେ। ପାଟଣା ବ୍ଲକର ଏହି ଚାରୋଟି ପଞ୍ଚାୟତରେ ମୋଟ ୨୬୦ ଜଣ ନୂତନ ହିତାଧିକାରୀ ଭତ୍ତା ପାଇଥିବାରୁ ସେମାନଙ୍କ ପରିବାରରେ ଖୁସି ପ୍ରକାଶ ପାଇଛି। ସର୍ବୋପରି ଜନସାଧାରଣ ମଧ୍ୟ ଖୁସି ପ୍ରକଟ କରିଛନ୍ତି ।