ବାରିପଦା(ସାକ୍ସୀ ନ୍ୟୁଜ୍): ସ୍ଥାନୀୟ ଭଞ୍ଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ୭୪ ତମ ପୂଜା ଅବସରରେ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ୪ଟା ସମୟରେ ବେଲଗଡ଼ିଆ ନିକଟସ୍ଥ ଚିପଟ ନଦୀରୁ ଵିଧିବିଧାନ ଅନୁସାରେ ଘଟ ଉତ୍ତୋଳନ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ଚିପଟ ନଦୀକୂଳରୁ, ବେଲଗଡ଼ିଆ ଛକ, ଷ୍ଟାଡିୟମ ଗୋଲେଇ, ଭଞ୍ଜପୁର ଛକ, ବାଘଘର ଛକ ହୋଇ ସାହି ପରିକ୍ରମା କରି ଜଗଦ୍ଧାତ୍ରୀ ମେଳା ପଡିଆ ସ୍ଥିତ ପୂଜା ମଣ୍ଡପରେ ପହଞ୍ଚିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଭକ୍ତଙ୍କର ଭିଡ଼ ଜମିଥିଲା ।
ଏହି ଘଟ ଉତ୍ତୋଳନ ଶୋଭାଯାତ୍ରାରେ ପୁରୀର ଘୋଷ ଘଣ୍ଟୁଆ, ଢେଙ୍କାନାଳର ପାରମ୍ପରିକ ସିଂହବାଜା, ଛତିଶଗଡ଼ର ଝାଙ୍କି ଗ୍ରୁପ, ମୟୂରଭଞ୍ଜର ପ୍ରସିଦ୍ଧ ଛଉ ବାଜା, ସାରିଷକୋଠିର ସଂକୀର୍ତନ ଦଳ, ପଶ୍ଚିମବଙ୍ଗ ମେଦିନୀପୁରର ଢାକ ବାଜା, ବାରିପଦାର ସଂସ୍କୃତ ବେଦ ପାଠର ବ୍ରାହ୍ମଣ ଦଳ ସାମିଲ ଥିଲେ। ନୃତ୍ୟ, ଗୀତ, ବାଦ୍ୟ ଯନ୍ତ୍ରରେ ପରିବେଶ ଦୁଲୁକୁଥିଲା। ଅବନୀ ଶଙ୍କର ଷଡ଼ଙ୍ଗୀ, ରଘୁନାଥ ନନ୍ଦ, ସତ୍ୟନାରାୟଣ ନନ୍ଦ, ବିଜୟ କୁମାର ପଣ୍ଡା ପାଲିଙ୍କିରେ ମା’ ଙ୍କ ଘଟ ଧାରଣ କରିଥିଲେ। ସଂକଳ୍ପ କାର୍ଯ୍ୟ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ ଓ ପ୍ରମୋଦ ମହାନ୍ତି ସମ୍ପାଦନ କରିଥିଲେ। ରାତ୍ର ୯ଟା ରୁ ୩ଟା ମଧ୍ୟରେ ମା’ଙ୍କ ପୂଜାଵିଧି ସମ୍ପନ୍ନ ହେବ। ପୂଜକ ଭାବେ ମହାଜନ ସମ୍ପଦ ନନା, ମନୋଜ ନନା, କାହ୍ନୁ ନନା ପୂଜା କାର୍ଯ୍ୟ ଦାୟିତ୍ୱରେ ଅଛନ୍ତି। ଏହି ଶୋଭାଯାତ୍ରାରେ କମିଟିରେ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ। ମା’ଙ୍କ ପୂଜା ଅବସରରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ଚଳିତ ୨୨ ତାରିଖରୁ ଆରମ୍ଭ ହେବ ।