କନାଗାଁରେ ୧୦ ଲକ୍ଷ ଟଙ୍କାର କାମ ନିମ୍ନମାନର ଅଭିଯୋଗ

ବିକାଶ ନାଁରେ ସରକାରୀ ଅର୍ଥର ବିନିଯୋଗକୁ ନେଇ ପ୍ରଶ୍ନବାଚୀ, ବିଡିଓ ଓ ବ୍ଲକ ଅଧ୍ୟକ୍ଷଙ୍କ ଭୂମିକାର ତଦନ୍ତ ଦାବି

କଳାହାଣ୍ଡି/ଧର୍ମଗଡ଼(ସାକ୍‌ସୀ ନ୍ୟୁଜ୍‌): ଗାଁର ବିକାଶ ପାଇଁ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ହେଲେ ସେହି ଅର୍ଥରେ ହେଉଥିବା କାର୍ଯ୍ୟର ଗୁଣବତ୍ତା ଯଦି ଠିକ୍ ନରହେ, ତେବେ ବିକାଶର ଉଦ୍ଦେଶ୍ୟ କେତେଦୂର ସଫଳ ହେଉଛି? ଏଭଳି ଏକ ପ୍ରଶ୍ନ ଏବେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କନାଗାଁରେ ଉଠିଛି।କନାଗାଁରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ନିମ୍ନମାନର ନିର୍ମାଣ ଅଭିଯୋଗ ସାମ୍ନାକୁ ଆସିଛି। ଏତେ ପରିମାଣର ସରକାରୀ ଅର୍ଥ ଖର୍ଚ୍ଚ ହେବା ସତ୍ତ୍ୱେ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ, କାମର ମାନ ଆଶାନୁରୂପ ହୋଇନାହିଁ। ତେବେ ନିର୍ମାଣ କାର୍ଯ୍ୟର ବାସ୍ତବ ସ୍ଥିତି ଏବଂ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ୧୦ ଲକ୍ଷ ଟଙ୍କାର ଏହି କାର୍ଯ୍ୟର ଅଟକଳ କିଏ ପ୍ରସ୍ତୁତ କରିଥିଲେ? କାର୍ଯ୍ୟର ତଦାରଖ କିଏ କରିଥିଲେ? ନିର୍ମାଣର ଗୁଣବତ୍ତା ଯାଞ୍ଚ ନକରି ବିଲ୍ ପୈଠ ହୋଇଛି କି? ଯଦି କାର୍ଯ୍ୟ ନିମ୍ନମାନର ହୋଇଛି, ତେବେ ଏଥିପାଇଁ ଦାୟୀ କିଏ?ଏହି ପ୍ରସଙ୍ଗରେ କେବଳ କାର୍ଯ୍ୟ କରିଥିବା ସଂସ୍ଥା ବା ଠିକାଦାରଙ୍କ ଦାୟିତ୍ୱ ନୁହେଁ, ବରଂ କାର୍ଯ୍ୟର ତଦାରଖ ଓ ଗୁଣବତ୍ତା ନିଶ୍ଚିତ କରିବାକୁ ଥିବା ବ୍ଲକ ପ୍ରଶାସନର ଭୂମିକା ମଧ୍ୟ ଯାଞ୍ଚ ହେବା ଆବଶ୍ୟକ। ଧର୍ମଗଡ଼ ବିଡିଓ ଓ ବ୍ଲକ ଅଧ୍ୟକ୍ଷ ଏହି କାର୍ଯ୍ୟ ସମ୍ପର୍କରେ ଅବଗତ ଅଛନ୍ତି କି? ଯଦି ଅଛନ୍ତି, ତେବେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ଉପରେ କି ପଦକ୍ଷେପ ନିଆଯାଇଛି? ସରକାରୀ ଅର୍ଥ ଜନସାଧାରଣଙ୍କ ଟିକସ ଟଙ୍କା ।

ଏହାର ବିନିଯୋଗରେ ସାମାନ୍ୟତମ ଅବହେଳା ମଧ୍ୟ ଗ୍ରହଣୀୟ ନୁହେଁ। ତେଣୁ କନାଗାଁରେ ୧୦ ଲକ୍ଷ ଟଙ୍କାର କାର୍ଯ୍ୟର ଅଟକଳ, କାର୍ଯ୍ୟାଦେଶ, ମାପ ବହି (MB), ବିଲ୍ ଭାଉଚର ଓ ନିର୍ମାଣର ଗୁଣବତ୍ତାକୁ ନେଇ ବୈଷୟିକ ଯାଞ୍ଚ ସହ ଏକ ନିରପେକ୍ଷ ତଦନ୍ତ କରାଯିବା ଜରୁରୀ। ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା, ହେଲେ କାମର ମାନ କାହିଁକି ନିମ୍ନମାନର? ବିକାଶ ନାଁରେ ଖର୍ଚ୍ଚ ହେଉଥିବା ଅର୍ଥର ହିସାବ କିଏ ଦେବ? କନାଗାଁର ଏହି ଅଭିଯୋଗ ଉପରେ ବ୍ଲକ ପ୍ରଶାସନ କେବେ ଜବାବ ରଖିବ, ତାହାକୁ ନେଇ ଏବେ ଅଞ୍ଚଳବାସୀଙ୍କ ଅପେକ୍ଷା ।