ଭୁବନେଶ୍ୱର(ସାକ୍ସୀ ନ୍ୟୁଜ୍): ରାଜ୍ୟର ରେଙ୍ଗାଳି ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମହିଳା କୃଷକମାନେ ଏବେ ଜଳ ପରିଚାଳନା ଓ କୃଷି କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରୁଛନ୍ତି। ଜାଇକା ସହାୟତାପ୍ରାପ୍ତ ରେଙ୍ଗାଳି ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ମହିଳାମାନେ ମହିଳା ସ୍ୱାର୍ଥଗୋଷ୍ଠୀର ନେତୃତ୍ୱ ନେବା ସହ ଚକ୍ କମିଟି ଓ ପାଣି ପଞ୍ଚାୟତରେ ସାମିଲ ହୋଇ ଜଳ ବଣ୍ଟନ, କେନାଲ ପରିଚାଳନା ଓ ଜଳ ବିବାଦର ସମାଧାନରେ ସକ୍ରିୟ ଭୂମିକା ନେଉଛନ୍ତି। ଜଳ ସମ୍ପଦ ବିଭାଗ ଦ୍ୱାରା କାର୍ଯ୍ୟକାରୀ ଏହି ପ୍ରକଳ୍ପର ଜଳସେଚନ ଲକ୍ଷ୍ୟଭୁକ୍ତ ଅଞ୍ଚଳ ୩୯,୪୧୬ ହେକ୍ଟର। ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପରିବ୍ୟାପ୍ତ ଏହି ପ୍ରକଳ୍ପ ଅଞ୍ଚଳର ଭୁବନ ଓ ସୁକିନ୍ଦା ବ୍ଲକରେ ୧୧୮ଟି ମହିଳା ସ୍ୱାର୍ଥଗୋଷ୍ଠୀ ଗଠନ କରାଯାଇ ୪୫ଟି ପାଣି ପଞ୍ଚାୟତ ସହ ସଂଯୁକ୍ତ କରାଯାଇଛି ।
ଏହା ମାଧ୍ୟମରେ ମହିଳା କୃଷକମାନେ ଜଳସେଚନ ସମ୍ପର୍କିତ ସମସ୍ୟା ଉପସ୍ଥାପନ ସହ ନିଷ୍ପତ୍ତି ଗ୍ରହଣରେ ଭାଗ ନେଉଛନ୍ତି।ମହିଳାଙ୍କ ନେତୃତ୍ୱ ଓ ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ଅଧୀନସ୍ଥ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମି), ପ୍ରକଳ୍ପର କୃଷି ପରିଚାଳନା ୟୁନିଟ୍ (ଏଗ୍ରି-ପିଏମ୍ୟୁ) ସହଯୋଗରେ ଅଂଶଗ୍ରହଣମୂଳକ ଜଳସେଚନ ପରିଚାଳନା, ଉନ୍ନତ କୃଷି ପଦ୍ଧତି ଓ ଜୀବିକା ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଆୟୋଜନ କରୁଛି। ଏହି ପ୍ରଶିକ୍ଷଣରେ ପାଣି ପଞ୍ଚାୟତର କାର୍ଯ୍ୟ ଓ ଦାୟିତ୍ୱ, କେନାଲ ପରିଚାଳନା ଓ ରକ୍ଷଣାବେକ୍ଷଣ, ହିସାବ ସଂରକ୍ଷଣ, ଜଳ ବଣ୍ଟନ ଏବଂ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି। ପାଣି ପଞ୍ଚାୟତ ଆଇନ, ୨୦୦୨ ଓ ନିୟମାବଳୀ, ୨୦୦୩ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। ଜଳସେଚନ ମାନଚିତ୍ର ଅଧ୍ୟୟନ, କେନାଲ ପରିଦର୍ଶନ ଓ କ୍ଷେତ୍ରସ୍ତରୀୟ ପ୍ରଦର୍ଶନ ମାଧ୍ୟମରେ ଏହାକୁ ବ୍ୟବହାରିକ କରାଯାଉଛି ।
୨୦୨୬ ଠାରୁ ୱାଲମି ପକ୍ଷରୁ ୪୩ରୁ ଅଧିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୧,୦୦୦ ମହିଳା କୃଷକଙ୍କ ସମେତ ଅନ୍ୟ ୧,୩୦୦ କୃଷକ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ଧାନ ଚାଷର ଉନ୍ନତ ପଦ୍ଧତି, ବିହନ ବିଶୋଧନ, ଜୈବିକ ଓ ଜଳବାୟୁ ସହନଶୀଳ କୃଷି ସହ ଧାନ ନଡ଼ାରୁ ଛତୁ ଚାଷ, ଡାଲିଜାତୀୟ ଫସଲ, ତୈଳବୀଜ ଓ ଅଣଧାନ ଫସଲ ଚାଷ ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। କୃଷି ଓ ଉଦ୍ୟାନ କୃଷି ବିଭାଗର ବିଶେଷଜ୍ଞମାନେ ଫସଲ ଚୟନ, ଉନ୍ନତ ଚାଷ ପଦ୍ଧତି, ସରକାରୀ ଯୋଜନା ଓ ବଜାର ସଂଯୋଗ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ଜାଇକା ସହାୟତାପ୍ରାପ୍ତ ଏହି ପ୍ରକଳ୍ପ ମାଧ୍ୟମରେ ମହିଳା କୃଷକଙ୍କ ଦକ୍ଷତା ଓ ନିଷ୍ପତ୍ତି ଗ୍ରହଣ କ୍ଷମତା ବୃଦ୍ଧି ସହ ଜଳ ପରିଚାଳନାରେ ସେମାନଙ୍କ ସକ୍ରିୟ ଭାଗିଦାରୀ ସୁଦୃଢ଼ ହେଉଛି। ଏହା ସମାବେଶୀ ଜଳ ପରିଚାଳନା, ସୁଦୃଢ଼ ଗ୍ରାମୀଣ ଅନୁଷ୍ଠାନ ଓ ସ୍ଥାୟୀ କୃଷି ଜୀବିକା ବିକାଶରେ ସହାୟକ ହେଉଛି ।