କେନ୍ଦୁଝର ଜିଲ୍ଲା ପାଟଣା ନିକଟ ଖଜୁରୀଡିହ ଠାରେ ଗୋଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ

ପୋଲିସ ଉପରକୁ ଗାଡ଼ି ଚଢ଼ାଇ ଖସିଯିବାକୁ ଉଦ୍ୟମ କରିଥିଲେ ମାଫିଆ

୧୨ ଗୋରୁ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ…

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ବେଆଇନ ଗୋଚାଲାଣ ବିରୋଧରେ ପାଟଣା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ କରାଯାଇଥିବା ଅତର୍କିତ ଚଢ଼ାଉରେ ୧୨ଟି ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଚାଲାଣରେ ବ୍ୟବହୃତ ଦୁଇଟି ମାଲବାହୀ ଗାଡ଼ି ଜବତ କରାଯାଇଛି। ଚଢ଼ାଉ ସମୟରେ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ଚଢ଼ାଇ ଖସିଯିବାକୁ ଉଦ୍ୟମ କରିଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ କାବୁ କରି ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଧୋବାଡିହା ଗ୍ରାମର ସୋନୁ ହୋ (୨୨) ଓ ଶିବ ବେହେରା (୨୩) ।

ସୂଚନା ଅନୁଯାୟୀ, ପୋଲିସର ଲଗାତାର ଚଢ଼ାଉ ଯୋଗୁଁ ଗତ କିଛି ମାସ ଧରି ଜିଲ୍ଲାରେ ଗୋଚାଲାଣକାରୀମାନେ ନିଷ୍କ୍ରିୟ ହୋଇପଡ଼ିଥିଲେ। ତେବେ ପୁନର୍ବାର ଏହି ବେଆଇନ କାରବାର ସକ୍ରିୟ ହୋଇଥିବା ନେଇ ପୋଲିସକୁ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଭିତ୍ତି କରି ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରିଡିହା ଛକ ନିକଟରେ ବେଆଇନ ଗୋରୁ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ପାଟଣା ଥାନା ଅଧିକାରୀ “କିରଣ ପ୍ରସାଦ ସାହୁ,” ଏବଂ ଥାନାର ଅନ୍ୟ କର୍ମଚାରୀ ସହ କେନ୍ଦୁଝରରୁ ଆସିଥିବା ପୋଲିସର ଏକ ମିଳିତ ଦଳ ଅତର୍କିତ ଚଢ଼ାଉ କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ପୋଲିସ ଉପରକୁ ଗାଡ଼ି ଚଢ଼ାଇ ଖସିଯିବାକୁ ଉଦ୍ୟମ କରିଥିଲେ ହେଁ, ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଅଞ୍ଚଳରୁ ଏହି ଗୋରୁଗୁଡ଼ିକୁ ଚୋରାରେ ଅଣାଯାଇ ମୟୂରଭଞ୍ଜ ଜିଲ୍ଲାର ତେଣ୍ଟୋପୋଷି, ରାଇରଙ୍ଗପୁର ଓ ଯଶିପୁର ଅଞ୍ଚଳକୁ ବେଆଇନ ଭାବେ ଚାଲାଣ କରାଯାଉଥିଲା। ଏନେଇ ପାଟଣା ଥାନାରେ ଏକ ମାମଲା (ନଂ- ୩୫୭/୨୬) ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପାଟଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ବେଆଇନ ଗୋଚାଲାଣ ଓ ସଂଗଠିତ ଅପରାଧ ବିରୋଧରେ ପୋଲିସର ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେନ୍ଦୁଝରରୁ ଦିନବନ୍ଧୁ ମିଶ୍ରଙ୍କ ରିପୋର୍ଟ ।