ଗଂଜାମ/ପୋଲସରା(ସାକ୍ସୀ ନ୍ୟୁଜ୍): ରାତି ହେଲେ ରଙ୍ଗବେରଙ୍ଗ ଆଲୋକରେ ଝଲସି ଉଠୁଛି ପୋଲସରା ସହର। ସାହି ସାହିରେ ସଜାଯାଇଛି ଆକର୍ଷଣୀୟ ମେଢ଼, ରାସ୍ତାଘାଟରେ ଭକ୍ତଙ୍କ ଭିଡ଼, ଚାରିଆଡ଼େ ଉତ୍ସବର ମାହୋଲ। ପାଞ୍ଚ ବର୍ଷର ଅପେକ୍ଷା ପରେ ଆୟୋଜିତ ମା’ ଗୌରୀ ଆମ୍ମା ଯାତ୍ରା ଏବେ ଅନ୍ତିମ ପର୍ଯ୍ୟାୟରେ। ମା’ଙ୍କ ଦର୍ଶନ ସହ ମେଢ଼ ଓ ପଟୁଆର ଦେଖିବା ପାଇଁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସହରକୁ ଉତ୍ସବମୁଖର କରିଛି। ପୋଲସରାର ଏହି ପ୍ରସିଦ୍ଧ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ସହରର ଇତିହାସ, ପରମ୍ପରା ଓ ସାଂସ୍କୃତିକ ପରିଚୟର ଏକ ଅଂଶ। ପ୍ରାୟ ୧୯୪୮ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମଝିରେ ଦୀର୍ଘ ୨୮ ବର୍ଷ ବନ୍ଦ ରହିଥିଲା। ତେବେ କିଛି ଉତ୍ସାହୀ ବ୍ୟକ୍ତିଙ୍କ ଉଦ୍ୟମରେ ୧୯୭୬ ମସିହାରେ ପୁଣିଥରେ ଏହା ଆରମ୍ଭ ହୋଇଥିଲା। ଡେରା ସମ୍ପ୍ରଦାୟ ବା ଦେବାଙ୍ଗୁଲ ସମାଜର ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ପୋଲସରାବାସୀଙ୍କ ଭାବନା ଓ ଗର୍ବର ପ୍ରତୀକ ପାଲଟିଛି। ଯାତ୍ରାର ପୁନର୍ଜୀବନରେ ବଳଭଦ୍ର ପଟ୍ଟନାୟକଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ତାଙ୍କ ସହ ଆର୍. ହରିହର ପାତ୍ର, ଏନ୍. ରଘୁନାଥ ପାତ୍ର, କଣ୍ଟକ ବାଉରୀ ପାତ୍ର, ଆନନ୍ଦ ସାହୁ ଓ ଜି. ସାଧୁ ପାତ୍ର ପ୍ରମୁଖ ଏହି ପରମ୍ପରାକୁ ପୁଣି ଆଗକୁ ନେବାରେ ସହଯୋଗ କରିଥିଲେ। ପରେ କୋଦଣ୍ଡପାଣି ପଟ୍ଟନାୟକ, ସୂର୍ଯ୍ୟନାରାୟଣ ଆଚାରୀ ଓ ବର୍ତ୍ତମାନ ସଭାପତି ଡ. ଜ୍ୟୋତିର୍ମୟ ପଟ୍ଟନାୟକଙ୍କ ଉଦ୍ୟମରେ ଯାତ୍ରାର ପରିଚାଳନା ଜାରି ରହିଛି ।
ଏହି ଧାରା ଦେଖାଉଛି, ଗୋଟିଏ ପିଢ଼ି ଯେଉଁ ପରମ୍ପରାକୁ ଆରମ୍ଭ କରେ, ପରବର୍ତ୍ତୀ ପିଢ଼ି ତାହାକୁ ଆଗେଇ ନେଇଥାଏ। ଯାତ୍ରାର ମୁଖ୍ୟ ଆକର୍ଷଣ ମଧ୍ୟରେ ବ୍ରାହ୍ମଣ ସାହିର ପ୍ରାୟ ୬୦ ଫୁଟ ଉଚ୍ଚତାର ଶତାୟୁ କାଳୀ ମେଢ଼ ସ୍ୱତନ୍ତ୍ର ସ୍ଥାନ ନେଇଛି। ଶତବର୍ଷର ପରମ୍ପରା ବହନ କରୁଥିବା ଏହି ମେଢ଼ ଉଚ୍ଚତା ଓ ନିର୍ମାଣଶୈଳୀ ପାଇଁ ଓଡ଼ିଶାରେ ପ୍ରସିଦ୍ଧ। ଏହାର ବିଶାଳ ରୂପ ଓ ଆକର୍ଷଣୀୟ ସାଜସଜ୍ଜା ଦେଖିବା ପାଇଁ ଦୂରଦୂରାନ୍ତରୁ ଭକ୍ତ ଓ ଦର୍ଶକ ଆସୁଛନ୍ତି। ସେହିପରି ମାଧପୃଷ୍ଟି ସାହିର ନୃସିଂହ-ହିରଣ୍ୟକଶ୍ୟପ ବଧ ଦୃଶ୍ୟକୁ ନେଇ ନିର୍ମିତ ମେଢ଼ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛି। ପୌରାଣିକ କଥାକୁ ଜୀବନ୍ତ ରୂପ ଦେଇଥିବା ଏହି ମେଢ଼ ଧାର୍ମିକ ଆସ୍ଥା ସହ କଳାକାରଙ୍କ ସୃଜନଶୀଳତାର ପରିଚୟ ଦେଉଛି। ଏହା ବ୍ୟତୀତ ବିଭିନ୍ନ ସାହିରେ ନିର୍ମିତ ମେଢ଼ ଓ ପୌରାଣିକ, କାଳ୍ପନିକ ତଥା ସାମାଜିକ ବାର୍ତ୍ତାଭିତ୍ତିକ ପଟୁଆର ଯାତ୍ରାକୁ ଆହୁରି ଆକର୍ଷଣୀୟ କରିଛି। ସ୍ଥାନୀୟ ଭାଷାରେ ଏହି ପଟୁଆରକୁ ‘ତକ୍ତା’ କୁହାଯାଏ ।
ମାନସିକ ବେଶଧାରୀ ମଧ୍ୟ ଗୌରୀ ଆମ୍ମା ଯାତ୍ରାର ଏକ ନିଆରା ପରମ୍ପରା। ନିଜ ମନସ୍କାମନା ପୂରଣ ଓ ମା’ଙ୍କ ପ୍ରତି ଭକ୍ତି ପ୍ରକାଶ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସି ବିଭିନ୍ନ ବେଶ ଧାରଣ କରିଥାନ୍ତି। ଘର ଘର ବୁଲି ଅର୍ଥ ସଂଗ୍ରହ କରି ପରେ ମା’ଙ୍କ ଚରଣରେ ସମର୍ପଣ କରିବା ଏହି ପରମ୍ପରାର ଏକ ବିଶେଷ ଦିଗ। ପାଣିରେ ଦୀପ ଜଳିବାର ପରମ୍ପରା ମଧ୍ୟ ଭକ୍ତଙ୍କ ମନରେ ଆଶ୍ଚର୍ଯ୍ୟ ଓ ଆସ୍ଥା ସୃଷ୍ଟି କରେ। ଅଳ୍ପ ତେଲ ମିଶାଇ ପାଣିରେ ଦୀପ ଜଳାଇବାର ଏହି ରୀତି ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି। ମା’ଙ୍କ ନଗର ପରିକ୍ରମା ସମୟରେ ସାହି ସାହିରେ ୧୦୮ ଆଳତି, ମେଢ଼, କଳାକୁଞ୍ଜ, ମୀନାବଜାର, ଦୋଳି ଓ ଅପେରା ଭଳି ବିଭିନ୍ନ ଆୟୋଜନ ହୋଇଥାଏ। ଆଜି ପୋଲସରାର ପ୍ରତ୍ୟେକ ସାହି ଓ ଗଳି ଆଲୋକମାଳାରେ ସଜେଇ ହୋଇଛି। ଭକ୍ତଙ୍କ ଭିଡ଼, ବାଦ୍ୟର ଶବ୍ଦ, ମେଢ଼ର ଆକର୍ଷଣ ଓ ଉତ୍ସବର ଆନନ୍ଦ ସହରକୁ ଏକ ନୂଆ ରୂପ ଦେଇଛି। ଜାତି ଓ ବର୍ଗ ନିର୍ବିଶେଷରେ ସମସ୍ତେ ଏହି ଯାତ୍ରାରେ ସାମିଲ ହୋଇ ଭାଇଚାରା ଓ ସାମାଜିକ ଏକତାର ପରିଚୟ ଦେଉଛନ୍ତି। ପାଞ୍ଚ ବର୍ଷକୁ ଥରେ ଆୟୋଜିତ ହେଉଥିବା ମା’ ଗୌରୀ ଆମ୍ମା ଯାତ୍ରା ଆଜି କେବଳ ଏକ ଉତ୍ସବ ନୁହେଁ, ବରଂ ପୋଲସରାର ପୁରୁଣା କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାର ଏକ ମାଧ୍ୟମ। ଏହି ଯାତ୍ରା ପ୍ରମାଣ କରୁଛି, ଲୋକଙ୍କ ଆସ୍ଥା ଓ ଉଦ୍ୟମ ରହିଲେ ପରମ୍ପରା କେବେ ହଜିଯାଏ ନାହିଁ। ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।