ବୁଗୁଡ଼ା(ସାକ୍ସୀ ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ରାତି ଅଧରେ ଘରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ ପରିବାରକୁ ଭୟଭୀତ କରିବା ସହ ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୁଗୁଡ଼ା ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ପିସ୍ତଲ, ଛୁରୀ, ଲୁଟ୍ ସୁନା ଅଳଙ୍କାର ଓ ଟଙ୍କା ଜବତ ହୋଇଛି। ସୂଚନା ଅନୁସାରେ ଗତ ୨୩ ତାରିଖ ରାତିରେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମର ସୁନୀଲ ସେଠୀ ଙ୍କ ଘରେ ରାତିର ଅନ୍ଧାରରେ ଘରେ ପଶି ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ ।
ଘରର ମୁଖ୍ୟ ପାଚେରୀ ଡେଇଁ ଘର ଭିତରକୁ ପଶିବା ପରେ ବନ୍ଧୁକ ଓ ଛୁରୀ ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରି ଲୁଟି ନେଇଥିଲେ ସୁନା ଅଳଙ୍କାର ଓ ଟଙ୍କା।ଘଟଣାକୁ ଗୁରୁତ୍ୱର ସହ ନେଇ ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଙ୍କ ତତ୍ୱାବଧାନରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦୀପକ କୁମାର ମିଶ୍ର ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଏ ଏସ ଆଇ ସୁମନ୍ତ କୁମାର ବେହେରା, ବାଲିପଦର ଫାଣ୍ଡି ଅଧିକାରୀ କେ ନୀଳାଦ୍ରି ରେଡି, କନେଷ୍ଟବଳ ଶିବରାମ ବେହେରା, ଉମେଶ ଗୌଡ଼ ଲୋକନାଥ ନାୟକ ପ୍ରମୁଖକୁ ନେଇ ଦୁଇଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ।ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।
ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ଠାରୁ ଲୁଟ୍ ହୋଇଥିବା ୬୫ ଗ୍ରାମର ସୁନା ଅଳଙ୍କାର, ନଗଦ ଟଙ୍କା ସହ ଅପରାଧରେ ବ୍ୟବହୃତ ପିସ୍ତଲ, ଛୁରୀ ଓ ଗୋଟିଏ ଗାଡ଼ି ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ବୁଗୁଡ଼ା ଥାନା ଅରଖପୁର ର ହିତେଶ ସ୍ୱାଇଁ , ଭାମଶିଆଳି ର ରୁଦ୍ରନାରାୟଣ ସେଠୀ, କବିସୂର୍ଯ୍ୟନଗର ଥାନା ବୋଲସାରା ର କାହ୍ନା ପୋଲେଇ, ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ବିକ୍ରମ ପ୍ରଧାନ ଏହି ଅଭିଯୁକ୍ତ ମାନେ ପୂର୍ବରୁ ଅନ୍ୟ ଡକାୟତି ମାମଲାରେ ସମ୍ପୃକ୍ତ ଥିବାବେଳେ ଆଜି ସେମାନଙ୍କୁ ବୁଗୁଡ଼ା ଥାନା ମାମଲା ନଂ ୫୮୦/୨୬, ଭାରତୀୟ ନ୍ୟାୟ ସଂହିତା ଧରା ୩୩୨(ଖ )/୩୧୦(୨) ଓ ଅସ୍ତ୍ର ଆଇନ ଧରା ୨୫/୨୭ ଅନୁସାରେ କୋର୍ଟ ଚାଲାଣ କରାଯାଇଛି।ଏଥିରେ ସମ୍ପୃକ୍ତ ଅନ୍ୟ ମାନେ ଫେରାର ଥିବାବେଳେ ସେମାନଙ୍କୁ ଧରିବାପାଇଁ ପୋଲିସ ଜାଲ ବିଛାଇଛି,ଅପରାଧୀ ଯେତେ ଚାଲାକ ହେଲେ ମଧ୍ୟ ଆଇନର ଜାଲରୁ ଖସିବା ସହଜ ନୁହେଁ। ବୁଗୁଡ଼ା ପୋଲିସର ଏହି ସଫଳତା ତାହାର ଏକ ଉଦାହରଣ।” ତେବେ ଅପରାଧୀଙ୍କ ଏଭଳି ଦୁଃସାହସିକ କାର୍ଯ୍ୟ ଅଞ୍ଚଳବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଆଗାମୀ ଦିନରେ ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବା ଜରୁରୀ ହୋଇପଡ଼ିଛି। ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।