ପୁରୀ,(ଏସ୍ ନ୍ୟୁଜ): ଆଜି ପୌଷ ପୂର୍ଣ୍ଣିମା। ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ଏହାପରେ ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀ ଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ | ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ । ପରେ ରତ୍ନସିଂହାସନରେ ମହାପ୍ରଭୁ ମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । କିରିଟ, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେବେ ।