ଓଡ଼ିଶାରେ ମହଙ୍ଗା ହେବ ଖାଇବା ତେଲ

ଭୁବନେଶ୍ୱର : ଋଷ ୟୁକ୍ରେନ ଲଢେଇ ଥମିବାର ନା ଧରୁନଥିବା ବେଳେ ଏହାର ପ୍ରଭାବ ଅନେକ ଦେଶ ଉପରେ ପଡିବା ଦେଖାଗଲାଣି । ୟୁକ୍ରେନ ରାଜଧାନୀ କୁ କବଜା କରିବା ପାଇଁ ଋଷ ଅତର୍କିତ ଆକ୍ରମଣ କରୁଛି । ଏପଟେ ରାଜ୍ୟରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଛି । କାରଣ ଯୁଦ୍ଧ ପାଇଁ ଖାଇବା ତେଳ ଦର ଅଚାନକ ବୃଦ୍ଧି ପାଇଛି । ୩୦ ଟଙ୍କା ପର୍ଯ୍ୟନ୍ତ ପାମୋଲିନ ତେଲ ଦର ବୃଦ୍ଧି ପାଇଛି । ପାମୋଲିନ ତେଲ ସହ ସନଫ୍ଲାୱାର ତେଲ ବି ମହଙ୍ଗା ହୋଇଛି । କାରଣ ରାଜ୍ୟରେ ଏବେ ଯେତିକି ପରିମାଣର ତେଲ ମହଜୁଦ ରହିଛି, ତାହା ଆସନ୍ତା ଏକ ସପ୍ତାହ ମଧ୍ୟରେ ଶେଷ ହୋଇଯିବ । ଏଭଳି ପରିସ୍ଥିତିରେ ତେଲ ଆମଦାନୀ ଯଦି ନହେବ ତେବେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ସେପଟେ ସରକାର ଯଦି ଏହା ଉପରେ ଧ୍ୟାନ ନ ଦିଅନ୍ତି, ତେବେ ଆସନ୍ତା ୧ ସପ୍ତାହ ମଧ୍ୟରେ ଖାଇବା ତେଲ ୫୦ ପ୍ରତିଶତ ଯାଏଁ ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।