ଓଡ଼ିଶା ପର୍ଯ୍ୟଟନ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କଲେ ରାଜ୍ୟପାଳ

ବୌଦ୍ଧ ପର୍ଯ୍ୟଟନର ସମ୍ଭାବନା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ…

ଭୁବନେଶ୍ୱର(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟର ସମୃଦ୍ଧ ବୌଦ୍ଧ ଐତିହ୍ୟ ଏବଂ ବିବିଧ ପର୍ଯ୍ୟଟନ ସମ୍ଭାବନା ଭାରତ ତଥା ପଡ଼ୋଶୀ ଦେଶମାନଙ୍କରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାର ସୁଯୋଗ ରଖିଥିବାରୁ ଏ ଦିଗରେ ଅଧିକ ଧ୍ୟାନ ଦେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି  ।

ଶୁକ୍ରବାର ଦିନ ଲୋକ ଭବନର ଅଭିଷେକ ହଲଠାରେ ଓଡ଼ିଶା ପର୍ଯ୍ୟଟନ ସେବା (ଓଟିଏସ୍) କ୍ୟାଡରର ୧୭ ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିବା ସମୟରେ ରାଜ୍ୟପାଳ ଏହା କହିଛନ୍ତି ।

ଏହି ଆଲୋଚନା ସମୟରେ ରାଜ୍ୟପାଳ ଧଉଳି, ରତ୍ନଗିରି, ଉଦୟଗିରି, ଲଳିତଗିରି ଓ ଜିରାଙ୍ଗ ଭଳି ପ୍ରମୁଖ ବୌଦ୍ଧ ସ୍ଥଳୀମାନଙ୍କ ବିଷୟରେ ଉଲ୍ଲେଖ କରି ସ୍ଥାନଗୁଡ଼ିକର ବିଶିଷ୍ଟ ଐତିହାସିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ରାଟ ଅଶୋକ ଓ କଳିଙ୍ଗ ଯୁଦ୍ଧ ସହିତ ଜଡ଼ିତ ଧଉଳିକୁ ବୌଦ୍ଧ ଶାନ୍ତି ଓ ଐତିହ୍ୟର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରଚାର କରାଯାଇପାରେ ବୋଲି ରାଜ୍ୟପାଳ ଆଶା ବ୍ୟକ୍ତ କରିଥିଲେ ।

ରତ୍ନଗିରି ଏବଂ ଉଦୟଗିରିର ପ୍ରାଚୀନ ମଠ, ସ୍ତୂପ ଏବଂ ଭାସ୍କର୍ଯ୍ୟ ଅବଶେଷ ପାଇଁ ଜଣାଶୁଣା ହୋଇଥିବାରୁ ସେଠାରେ ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ଓ ଐତିହାସିକ ଅନୁଭୂତି ମିଳିଥାଏ । ସେହି ଭଳି ଓଡ଼ିଶାର ଅନ୍ୟତମ ପ୍ରାଚୀନ ବୌଦ୍ଧ କେନ୍ଦ୍ର ଲଳିତଗିରିରେ ଐତିହ୍ୟ ପର୍ଯ୍ୟଟନ ପାଇଁ ପ୍ରଚୁର ସମ୍ଭାବନା ରହିଛି। ତିବତୀୟ ବୌଦ୍ଧ ମଠ ଏବଂ ମନୋରମ ପ୍ରାକୃତିକ ପରିବେଶ ଯୋଗୁଁ ଜିରାଙ୍ଗ ମଧ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭୂତି ଅନ୍ୱେଷଣ କରୁଥିବା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିବ। ରାଜ୍ୟପାଳ ପୁଣି କହିଥିଲେ ଯେ, ଏହି ଗନ୍ତବ୍ୟସ୍ଥଳୀମାନଙ୍କର ଉପଯୁକ୍ତ ବିକାଶ ଓ ପ୍ରଚାର ଦ୍ୱାରା ନେପାଳ ଓ ଭୁଟାନ ଭଳି ପଡ଼ୋଶୀ ଦେଶ ସହିତ ଭାରତର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରାଯାଇପାରିବ ।

କୋରାପୁଟ ଜିଲ୍ଲାର ଦେଓମାଳୀ ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶା ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହେବାର ବିପୁଳ ସମ୍ଭାବନା ରଖିଛି। ଏ ଦିଗରେ ପର୍ଯ୍ୟଟନ ସ୍ଥଳୀମାନଙ୍କ ଚତୁଃପାର୍ଶ୍ୱରେ ଉତ୍ତମ ସଡ଼କ ସଂଯୋଗ, ଗୁଣବତ୍ତାସମ୍ପନ୍ନ ରହଣି ବ୍ୟବସ୍ଥା ଓ ଖାଦ୍ୟ ସୁବିଧା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।

ଯୁବ ପର୍ଯ୍ୟଟନ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ରାଜ୍ୟପାଳ କହିଥିଲେ ଯେ, ସେମାନେ ସୃଜନଶୀଳ ଚିନ୍ତା କରନ୍ତୁ ଏବଂ ଓଡ଼ିଶାର ସାଂସ୍କୃତିକ, ଐତିହାସିକ, ଆଧ୍ୟାତ୍ମିକ ଓ ପ୍ରାକୃତିକ ଆକର୍ଷଣଗୁଡ଼ିକର ପ୍ରଚାର ପ୍ରସାର ପାଇଁ ନୂତନ ଧାରଣା ଆଣନ୍ତୁ, ଯାହା ଦ୍ୱାରା ପର୍ଯ୍ୟଟନ ରାଜ୍ୟର ଅର୍ଥନୀତିକୁ ଅଧିକ ମଜବୁତ କରିବ ।

ଏହି ଆଲୋଚନା ସମୟରେ ରାଜ୍ୟପାଳ ପ୍ରଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଅନୁଭୂତି ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ପ୍ରଶିକ୍ଷାର୍ଥୀମାନେ ମଧ୍ୟ ରାଜ୍ୟପାଳଙ୍କ ସହ ନିଜର ଅନୁଭୂତି ବାଣ୍ଟିଥିଲେ ।

ଏହି ଅବସରରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂହ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।