ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ବିଜୟୀ

ଇମ୍ଫାଲ : ମଣିପୁରରେ ପୁଣି ଥରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଢିବା ଆଡ଼କୁ ଅଗ୍ରସର ହେଉଛି । ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏନ.ବୀରେନ ସିଂ ହେନଗାଙ୍ଗ୍ ଆସନରୁ ବିଜୟୀ ହୋଇଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ବନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀ ପି.ଶରଚ୍ଚନ୍ଦ୍ର ସିଂଙ୍କୁ ୧୮,୨୭୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
ସଦ୍ୟତମ ରିପୋର୍ଟ ଅନୁସାରେ ବିଜେପି ୩୧ଟି ଆସନରେ ଆଗୁଆ ରହିଛି । ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭା ଆସନରେ ସରକାର ଗଢିବାକୁ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ବିଜେପିକୁ କେତେକ ସ୍ବାଧୀନ ବିଧାୟକ ସମର୍ଥନ କରିବାର ସମ୍ଭାବନା ଥିବାରୁ ବିଜେପି ସହଜରେ ସରକାର ଗଢିବାକୁ ଆଶା ରଖିଛି । ବିଜୟ ପରେ ବୀରେନ ସିଂ କହିଛନ୍ତି ଯେ ସେ ସଂପୂର୍ଣ୍ଣ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ ଓ କିଛି ସମୟ ନେଇ ରାଜ୍ୟପାଳଙ୍କୁ ଭେଟିବେ ଓ ସରକାର ଗଠନ ପାଇଁ ଦାବି କରିବେ ।