ଛାତ ଉପରେ ସୌରଶକ୍ତି ଯୋଜନା: ଶୀର୍ଷରେ ଓଡିଶା

ରାଜ୍ୟର ବିଦ୍ୟୁତ୍‌ ବିତରଣକାରୀ କମ୍ପାନି ….

ଭୁବନେଶ୍ୱର: ରାଜ୍ୟର ବିଦ୍ୟୁତ୍‌ ବିତରଣକାରୀ କମ୍ପାନି (ଡିସ୍‌କମ୍‌)ଗୁଡିକର ୨୯ତମ ବୋର୍ଡର ବୈଠକ ଗତକାଲି ପୃଥକ ପୃଥକ୍‌ ଭାବେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା।
ଏହି ବୈଠକଗୁଡ଼ିକରେ ବିଭିନ୍ନ ଡିସ୍‌କମ୍‌ମାନଙ୍କ କାର୍ଯ୍ୟଦକ୍ଷତା, ପରିଚାଳନା ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ଅଧ୍ୟକ୍ଷତା କରୁଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମୀକ୍ଷା କରିଥିଲେ।
ଟାଟା ପାୱାର ଟିପିଏନଓଡିଏଲ, ଟିପିଏସଓଡିଏଲ, ଟିପିସିଓଡିଏଲ ଏବଂ ଟିପିଡବ୍ଲୁଓଡିଏଲର ସ୍ୱତନ୍ତ୍ର ବୈଠକରେ ବୋର୍ଡର ସଦସ୍ୟ ସଦସ୍ୟାମାନେ ଯୋଗଦେଇଥିଲେ।
ସମଗ୍ର ରାଜ୍ୟରେ ଦକ୍ଷ ଏବଂ ଅବିରତ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ୍‌ ଯୋଗାଣର ନିର୍ଭର ଯୋଗ୍ୟତା, ବିଦ୍ୟୁତ୍‌ ସଂଚରଣରେ କ୍ଷୟକ୍ଷତି କମାଇବା, ଗ୍ରାହକମାନଙ୍କୁ ସେବା ପ୍ରଦାନ ଏବଂ ଭିତିଭୂମି ଉନ୍ନୟନ ପରି ପ୍ରମୁଖ ବିଷୟଗୁଡିକ ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ ପିଏମ୍‌ ସୂର୍ଯ୍ୟ ଘର, ମୁଫ୍‌ତ ବିଜୁଳି ଯୋଜନା (ପିଏମ୍‌-ଏସଜି-ଏମବିୱାଇ) କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ଦେଶରେ ୧୩ ଫେବୃଆରି ୨୦୨୪ ରେ ୭୫,୦୨୧ କୋଟି ମୋଟ ଅଟକଳରେ ଆରମ୍ଭ ହୋଇଥିବା ଏହି ଯୋଜନା ଆର୍ଥିକ ବର୍ଷ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟାନ୍ୱୟନ ଲକ୍ଷ୍ୟ ରହିଛି।
ଓଡିଶାରେ ଏହାର କାର୍ଯ୍ୟାନ୍ୱୟନ ନେଇ ଦ୍ରୁତ ପ୍ରୟାସ ଜାରି ରହିଥିବା ବିଦ୍ୟୁତ୍‌ ବିତରଣ କମ୍ପାନିମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଛାତ ଉପରେ ସୌରଶକ୍ତି ଉତ୍ସରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ୟୁଏଲଏ ଯୋଜନା ପ୍ରଣୟନ କରିଛନ୍ତି।
ଓଡିଶାରେ ଏହି ଯୋଜନା ନଭେମ୍ବର ୨୦୨୫ ରେ ଆରମ୍ଭ ହୋଇଥିବାବେଳେ ୧ କିଲୋୱାଟ୍‌ ସଂଯୁକ୍ତ ଲୋଡ୍‌ ଥିବା ଘରୋଇ ଉପଭୋକ୍ତା କେବଳ ୧,୮୭୫ ଟଙ୍କା ଅନୁଦାନ ଅଂଶରେ ଅଧିକ ରିହାତି ଥିବା ଏହି ସ୍କିମରେ ରୁଫ୍‌ ଟପ୍‌ ସୋଲାର ବ୍ୟବସ୍ଥା ସ୍ଥାପନ କରିବାକୁ ସମର୍ଥ ହେଉଛନ୍ତି।

ଏହି ସୋଲାର ଶକ୍ତି ଯୋଜନାରେ ବିଦ୍ୟୁତ୍‌ ବିତରଣ କମ୍ପାନି ଅନେକ ଘରୋଇ କିମ୍ବା ଛୋଟ ଉପଭୋକ୍ତାଙ୍କୁ ଏକ ସାଥୀରେ ଯୋଡ଼ି ରୁଫ୍‌ ଟପ୍‌ ସୋଲାର ସିଷ୍ଟମ୍‌ ସ୍ଥାପନ କରନ୍ତି।
ଯାହାଦ୍ୱାରା ଉପଭୋକ୍ତା ସହଜରେ ତ୍ୱରିତ ବ୍ୟବସ୍ଥା ସହ କମ୍‌ ଖର୍ଚ୍ଚରେ ସୋଲାର ବିଦ୍ୟୁତ୍‌ରୁ ଲାଭ ଉଠାଇବାର ସୁବିଧା ନେଇପାରିବେ।
ପିଏମ୍‌-ଏସ୍‌ଜି-ଏମବିୱାଇ ଅଧୀନରେ ଅଦ୍ୟାବଧି ରାଜ୍ୟରେ ୫୫,୮୮୮, ୟୁଏଲ୍‌ଏ ଯୋଜନା ଅଧୀନରେ ଅତିରିକ୍ତ ୨୯,୦୦୦ ଏହିପରି ସମୁଦାୟ ୮୪,୮୮୮ ରୁଫ୍‌ ଟପ୍‌ ସୋଲାର ସିଷ୍ଟମ ସ୍ଥାପିତ ହୋଇସାରିଛି। ୟୁଏଲ୍‌ଏ ଯୋଜନା କାର୍ଯ୍ୟକାରିତାରେ ଓଡିଶାର ସଫଳତା ଦେଶରେ ସର୍ବାଧିକ। ଓଡିଶାରେ ରୁଫ୍‌୍‌ ଟପ୍‌ ସୋଲାର ଅଧୀନରେ ୩ ଲକ୍ଷ ପରିବାରକୁ ଆଣିବା ପାଇଁ ଏକ ଆକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି।

ଆଗାମୀ ପର୍ଯ୍ୟାୟରେ ପ୍ରତି ମାସରେ ୨୫,୦୦୦ ରୁଫ୍‌ ଟପ୍‌ ସୋଲାର ସିଷ୍ଟମ ସ୍ଥାପନ କରିବା ପାଇଁ ପଦକ୍ଷେପ ନିଆଯାଉଛି।
କଟକ ଏବଂ ଗଞ୍ଜାମ ଜିଲ୍ଲାପାଳମାନେ ମାଟିଆଖାଲ ଗ୍ରାମରେ ୨୦୦ ପରିବାର, ଓଲାବା ଗ୍ରାମରେ ୪୧ ପରିବାର ଏବଂ ଦେବଭୁଇଁରେ ୨୯ ପରିବାର ଏହିପରି ମିଳିତ ଭାବେ ୨୮୦ ପରିବାରକୁ ରୁଫ୍‌ ଟପ ସୋଲାର ସିଷ୍ଟମ ପାଇଁ ଆର୍ଥିକ ଏବଂ ପ୍ରଶାସନିକ ସହଯୋଗ ପ୍ରଦାନ କରିଛନ୍ତି।

ବିଦ୍ୟୁତ୍‌ ବିତରଣ କମ୍ପାନିଗୁଡିକ ପରିଚାଳନାତ୍ମକ କାର୍ଯ୍ୟଦକ୍ଷତାର ଫଳସ୍ୱରୂପ ସାମଗ୍ରିକ ବୈଷୟିକ ଏବଂ ବ୍ୟବସାୟିକ କ୍ଷୟକ୍ଷତି ୨୦୧୯-୨୦ ଆର୍ଥିକ ବର୍ଷର ୨୯.୫% ରୁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୪.୬% କୁ ହ୍ରାସ ପାଇଛି। ଟିପିଏନଓଡିଏଲ ଅଣସହରାଂଚଳ ବିତରଣ ୟୁଟିଲିଟି ରାଙ୍କିରେ ୨ୟ ସ୍ଥାନ ଓ ଟିପିସିଓଡିଏଲ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି।
୨୦୨୫-୨୬ ଆର୍ଥିକ ବର୍ଷରେ ଓଡିଶା ଡିସ୍କମ୍‌ମାନେ ସାମାଜିକ ଦାୟିତ୍ୱବୋଧତା (ସିଏସ୍‌ଆର୍‌) ଅଧୀନରେ ୧୭ କୋଟି ବ୍ୟୟ କରିଥିବା ବେଳେ ୨୦୨୬-୨୭ ଆର୍ଥିକ ବର୍ଷରେ ୨୦ କୋଟି ବ୍ୟୟ କରିବାର ଯୋଜନା ରହିଛି।

ସିଏସଆର୍‌ କାର୍ଯ୍ୟକଳାପକୁ ବୃଦ୍ଧି କରିବା ନେଇ ଡିସକମ୍‌ କମ୍ପାନିମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ।