ବସ ଭିତରେ ଆତଙ୍କରାଜ୍ . ଦିନ ଦ୍ବିପହରେ ବସ୍ ଭିତରେ ପଶି ହାଣିଲେ ତୋଫାନ. କଟୁରୀ ଚୋଟରେ ଲହୁ ଲୁହାଣ ହେଲେ ଯାତ୍ରୀ. ପୁରୀରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା. ମଙ୍ଗଳବାର ଦିନ ପୁରୀ ଜିଲ୍ଲା କଣାସ ହରଷପଡାରୁ ସୁକଳ ଯାଉଥିବା ଏକ ସରକାରୀ ବସ୍ରେ ଜଣେ ଯୁବକ ଯାତ୍ରୀଙ୍କ ଉପରେ ଆକ୍ରମଣ କରିବାରୁ ୪ ଜଣ ଆହତ ହୋଇଛନ୍ତି. ସୂଚନା ମୁତାବକ, ସକାଳ ପ୍ରାୟ ୧୧ଟା ସମୟରେ ବିଧାନ ଛକ ନିକଟରେ ଏକ ମୋଟରସାଇକେଲରେ ଆସି ବସ୍କୁ ଅଟକାଇଥିଲା ଅଭିଯୁକ୍ତ.
ଏହାପରେ ସେ ବସରେ ଚଢି ଅଂଟାରେ ଲୁଚାଇ ରଖିଥିବା କଟୁରୀକୁ ବାହାର କରି ଜଣଙ୍କ ଉପରେ ଆକ୍ରମଣ କରିଥିଲା. ଏହା ଦେଖି ଅନ୍ୟ ଯାତ୍ରୀମାନେ ଯେତେବେଳେ ତାକୁ ବିରୋଧ କରିଥିଲେ, ସେତେବେଳେ ସେ ଆହୁରି ଅଧିକ ଆକ୍ରମଣାତ୍ମକ ହୋଇ ଉଠିଥିଲା ଏବଂ ସେମାନଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରିଥିଲା. ପରେ ବହୁ କଷ୍ଟରେ ଦୁର୍ବୃତ୍ତ ତୋଫାନକୁ କାବୁ କରିଥିଲେ ଯାତ୍ରୀମାନେ.
ଏହି ହାତାହାତି ଭିତରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅଭିଯୁକ୍ତ ମଧ୍ୟ ଗୁରୁତର ହୋଇଛି. ସମସ୍ତ ଆହତଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି. ଏନେଇ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ସହ ତଦନ୍ତ ଆରମ୍ଭ କରିଛି କଣାସ ପୋଲିସ. ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବସ ଭିତରେ ପଶି ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇ ଥିବା କୁହାଯାଉଛି. ଏହି ଘଟଣା ଏବେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି.