କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ବିରଳ ଡବଲ୍ ରେକର୍ଡ

କ୍ରିକେଟର ରବିନ୍ଦ୍ର ଜାଡେଜା ତାଙ୍କ ଟେଷ୍ଟ କ୍ୟାରିୟରରେ ଚାରିଥର ଡବଲ ରେକର୍ଡ ତିଆରି କରିବାକୁ ସକ୍ଷମ ହୋଇଛନ୍ତି । ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ରବିନ୍ଦ୍ର ନିଜକୁ ଜଣେ ଅଲ-ରାଉଣ୍ଡର ଭାବେ ପ୍ରତିଷ୍ଠା କରିପାରିଛନ୍ତି ।

୬୯ ବର୍ଷ ତଳେ ଅର୍ଥାତ୍ ୧୯୫୬ ମସିହା ସୁଦ୍ଧା ସୃଷ୍ଟି କରାଯାଇଥିବା ବିରଳ ରେକର୍ଡକୁ ଭାଙ୍ଗି ସାନି ରେକର୍ଡ ତିଆରି କରିଛନ୍ତି କ୍ରିକେଟର ରବିନ୍ଦ୍ର ଜାଡେଜା । ବୟସ ୩୦ ଟପିବା ପରେ କ୍ରିକେଟ ମଇଦାନରେ କମାଲ ଦେଖାଇଥିବା କ୍ରିକେଟରଙ୍କ ଭିତରେ ରବିନ୍ଦ୍ର ଜାଡେଡା ଏକାଧିକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ।

ୱେଷ୍ଟଇଣ୍ଡିଜ-ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚଟି ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା । ଉକ୍ତ ମ୍ୟାଚରେ ରବିନ୍ଦ୍ର ଜାଡେଜା ବ୍ୟକ୍ତିଗତ ଭାବେ ୧୪୦ ରନ୍ କରିବା ସହିତ ଚାରିଟି ୱିକେଟ୍ ଅକ୍ତିଆର କରିଥିଲେ ଯାହା ଟେଷ୍ଟ କ୍ରିକେଟ୍ ଦୁନିଆ ପାଇଁ ନୂତନ ରେକର୍ଡ ହୋଇଗଲା ।

ଅକ୍ଟୋବର ୧୦ ତାରିଖ ଶୁକ୍ରବାର ଦିନ ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ ।

ଏହା ପୂର୍ବରୁ ୩୬ ବର୍ଷୀୟ ରବିନ୍ଦ୍ର ଜାଡେଜା ଇଂଲଣ୍ଡ-ଭାରତ ସିରିଜର ପ୍ରଥମ ଇନିଂସରେ ୧୭୬ ବଲରୁ ୬ଟି ଚୌକା ଓ ୫ଟି ଛକା ବଳରେ ୧୦୪ ରନ୍ ସଂଗ୍ରହ କରିଥିଲା ବେଳେ ଦ୍ୱିତୀୟ ଇନିଂସରେ ୧୩ ଓଭର ବୋଲିଂ କରି ୫୪ ରନ୍ ବିନିମୟରେ ଚାରିଟି ୱିକେଟ୍ ହାସଲ କରିଥିଲେ ।

ଟେଷ୍ଟ କ୍ୟାରିୟରରେ ଜାଡେଜା ଆଜି ସୁଦ୍ଧା ଚାରିଥର ବ୍ୟକ୍ତିଗତ ଭାବେ ଶତାଧିକ ରନ୍ ହାସଲ ଓ ଚାରିଟି ଲେଖାଁଏ ୱିକେଟ୍ ହାସଲ କରିଛନ୍ତି ।

୨୦୨୨ ମସିହାରେ ଜାଡେଜା ମୋହାଲି ମଇଦାନରେ ଶ୍ରୀଲଙ୍କା, ୨୦୨୪ ମସିହାରେ ରାଜକୋଟ ମଇଦାନରେ ଇଂଲଣ୍ଡ, ୨୦୨୫ ମସିହାରେ ମାଂଚେଷ୍ଟର ମଇଦାନରେ ଇଂଲଣ୍ଡ ଓ ୨୦୨୫ ଅକ୍ଟୋବରରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ରବିନ୍ଦ୍ର ଜାଡେଜା ଶତାଧିକ ରନ୍ ଓ ଚାରିଟି ୱିକେଟ୍ ହାସଲ କରିଛନ୍ତି ।

୧୯୫୬ ମସିହାରେ ଭିନୁ ମଙ୍କଡ ପ୍ରଥମ ଭାରତୀୟ ଖେଳାଳି ଭାବରେ ତିନିଥର (୧୯୪୮, ୧୯୫୨, ୧୯୫୬) ଶତାଧିକ ରନ୍ ଓ ଚାରିଟି ଲେଖାଁଏ ୱିକେଟ୍ ହାସଲ କରି ଯେଉଁ ଇତିହାସ ରଚିଥିଲେ । ସେହି ରେକର୍ଡ ଦୀର୍ଘ ୬୯ ବର୍ଷ ପାଇଁ ବଜାୟ ରହିଥିଲା । ନିକଟରେ ରବିନ୍ଦ୍ର ତାଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ସୂଚନାଯୋଗ୍ୟ, ଉଭୟ ଭିନୁ ଓ ରବିନ୍ଦ୍ରଙ୍କ ବୟସ ୩୦ ବର୍ଷ ଟପିଯିବା ପରେ ଏଭଳି ରେକର୍ଡ ତିଆରି କରିଥିଲେ ।