ଭାରତୀୟ ଶେୟାର୍ ମାର୍କେଟ୍ ପ୍ରତି କ୍ରେଜ୍

ନୂଆଦିଲ୍ଲୀ : ଭାରତୀୟ ଶେୟାର୍ ମାର୍କେଟ୍ ପ୍ରତି ସାଧାରଣରେ କ୍ରେଜ୍ ବଢ଼ିବାରେ ଲାଗିଛି । ଶେୟାର୍ ବଜାର ସାଧାରଣରେ ନିବେଶ ପାଇଁ ଏକ ପସନ୍ଦଯୋଗ୍ୟ ସ୍ଥାନ ପାଲଟିଛି । ଭାରତୀୟ ସେଭିଂସରେ ଶେୟାର୍ ବଜାରର ଭାଗୀଦାରୀ କ୍ରମାଗତ ଭାବେ ବୃଦ୍ଧି ପାଇବା ସହିତ ଐତିହାସିକ ସ୍ତରକୁ ଅତିକ୍ରମ କରିସାରିଛି ।

ଏକ ରିପୋର୍ଟ ଅନୁସାରେ ଭାରତୀୟଙ୍କ ସଞ୍ଚୟରେ ଶେୟାର୍ ବଜାରର ଭାଗୀଦାରୀ ୪.୮%ରେ ପହଞ୍ଚିଛି । ଯାହା ମାର୍ଚ୍ଚ ୨୦୨୧ରେ ୪.୩% ଥିଲା । ପୂର୍ବରୁ ଅର୍ଥାତ୍ ୨୦୦୮ରେ ଦେଶର ସମୁଦାୟ ସଞ୍ଚୟରେ ଇକ୍ୱିଟି ଷ୍ଟକ୍ ମାର୍କେଟ୍‌ର ଯୋଗଦାନ ୪.୨% ଥିଲା । ୨୦୦୮ରେ ଯଦିଓ ବୈଶ୍ୱିକ ମାନ୍ଦାବସ୍ଥା ଯୋଗୁଁ ନିବେଶକମାନେ କ୍ଷତି ଭାରି ମାତ୍ରାରେ ସହିଥିଲେ ।

ଭାରତୀୟ ନିବେଶକମାନେ ଅଧିକ ମାତ୍ରାରେ ରିୟଲ୍ ଇଷ୍ଟେଟ୍‌ରେ ନିବେଶ କରିବା ପାଇଁ ପସନ୍ଦ କରିଥାନ୍ତି । ସମୁଦାୟ ସଞ୍ଚୟରେ ରିୟଲ୍ ଇଷ୍ଟେଟ୍‌ରେ ନିବେଶ ୪୯% ରହିଛି । ଅପରପକ୍ଷରେ ସୁନାରେ ନିବେଶ ପରିମାଣ ୧୫.୧% ରହିଛି । ଏଥିସହିତ ବିଗତ କିଛି ଦିନରେ ନିବେଶକମାନେ ଫାଇନାନ୍ସିଆଲ୍ ଆସେଟ୍‌ସରେ ନିବେଶ କରିବାକୁ ଅଧିକ ପସନ୍ଦପ୍ରକଟ କରିଛନ୍ତି । ଏହି କ୍ଷେତ୍ରରେ ନିବେଶ ପରିମାଣ ୮% ପର୍ଯ୍ୟନ୍ତ ବୃଦ୍ଧିଘଟିଛି ।

ତେବେ ଦେଶର ୧୧ ଟ୍ରିଲିୟନ୍ ଡଲାର୍‌ର ହାଉସହୋଲ୍‌ଡ ଆସେଟ୍‌ସ ମଧ୍ୟରେ ଫାଇନାନ୍ସିଆଲ୍ ସେଭିଂସର ଯୋଗଦାନ ୩୬% ରହିଛି । ଫାଇନାନ୍ସିଆଲ୍ ସେଭିଂସରେ ବ୍ୟାଙ୍କ୍ ଡିପୋଜିଟ୍‌ର ଯୋଗଦାନ ୧୫.୧% ରହିଛି । ଯଦିଓ ଭାରତୀୟମାନେ ଅଧିକ ରୋଜଗାର କରନ୍ତିନାହିଁ; ମାତ୍ର ସଞ୍ଚୟହାର ଅଧିକ ରହିଛି । ପରମ୍ପରାଗତ ଭାବେ ଭାରତୀୟମାନେ ସଞ୍ଚୟ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିଥାନ୍ତି । ସୂଚନାନୁଯାଇ ଜେଫରିଜ୍ ଦ୍ୱାରା ଏହି ରିପୋର୍ଟ ପ୍ରକାଶିତ ।