ବିକଶିତ ଓଡ଼ିଶାରେ ମରି ନଯାଉ ଓଡ଼ିଆ ଭାଷା

ଭୁବନେଶ୍ୱର:   ଗୋଟିଏ ଜାତି ତା’ର ସାମାଜିକ ଓ ଆର୍ଥିକ ବିକାଶ ପ୍ରତି   ଯେତିକି ଗୁରୁତ୍ୱ ଦେଇଥାଏ; ସେହି ଜାତିର ମାତୃଭାଷା ସେତିକି ଶୀଘ୍ର ଅସ୍ତିତ୍ୱ ହରାଇଦିଏ ।

ଓଡ଼ିଶାର ବିକାଶ ଧାରା ଓଡ଼ିଆ ଭାଷା ପ୍ରତି ମହାବିପଦ ସୃଷ୍ଟି କରିବନି ତ? ମନରେ ପ୍ରଶ୍ନ ଉଠୁଥିବ; ଗୋଟିଏ ଜାତିର ଆର୍ଥିକ ବିକାଶ ସେହି ଜାତିର ମାତୃଭାଷାକୁ କିପରି ଲୋପ କରିଦେବ ।

ପୃଥିବୀ ଇତିହାସ ଉପରେ ନଜର ପକାଇଲେ, ଆମ ମନ୍ତବ୍ୟର ସତ୍ୟତା ଅନୁଭବ କରିପାରିବେ । କେରଳର କୁକ୍କନମ ଇଲାକାରେ ବସବାସ କରୁଥିବା ଆଦିବାସୀ ସମୁଦାୟ ଏବେ ଲୋପ ପାଇବାକୁ ବସିଛି । ସଂପୃକ୍ତ ଆଦିବାସୀ ସମୁଦାୟର ମାତୃଭାଷା ମଧିକା କାଳକ୍ରମେ ଲୋପ ପାଇଗଲାଣି ।

ମଧିକା ଭାଷାଟି ତେଲୁଗୁ, ତୁଲୁ, କନ୍ନଡ଼ ଓ ମାଲୟଲମ ମିଶ୍ରିତ । ମଧିକା ଭାଷାରେ ସେପରି ଲିପି ନାହିଁ । ସର୍ବେକ୍ଷଣରୁ ଜଣାଯାଇଛି ଯେ ମାତ୍ର ଦୁଇଜଣ ଲୋକ ଏବେ ମଧିକା ଭାଷାକୁ ବଂଚାଇ ରଖିଛନ୍ତି ।

ସାରା ଦୁନିଆରେ ପ୍ରାୟ ୬ ହଜାର ଭାଷାଭାଷୀ ଲୋକମାନେ ରହୁଛନ୍ତି । ସେମାନଙ୍କ ଭିତରୁ ପ୍ରାୟ ୪ ହଜାର ଭାଷା ଲୋପ ପାଇବାକୁ ବସିଲାଣି ।୧୫୦୦ରୁ ୧୯୬୦ ଭିତରେ କିଛି ୟୁରୋପୀୟ ଦେଶ ସାରା ଦୁନିଆକୁ ହାତମୁଠାରେ ରଖିଥିଲେ । ଚୀନ, ଇରାନ, ଜାପାନ, ନେପାଳ ଓ ଥାଇଲାଣ୍ଡ ଭଳି କିଛି ଦେଶ ୟୁରୋପୀୟଙ୍କ ଲୋଲୁପ ଦୃଷ୍ଟିରୁ ବଂଚି ଯାଇଥିଲେ ।

ବ୍ରିଟିଶ ସାମ୍ରାଜ୍ୟବାଦୀ ଶକ୍ତି ଭାରତକୁ ଦୀର୍ଘ ୩୦୦ ବର୍ଷ ଧରି ଶାସନ କରିବା ଭିତରେ ଭାରତୀୟଙ୍କୁ କିଭଳି ଶୋଷଣ କରୁଥିଲା; ସେ ବିଷୟ ଜଣାଇବା ଅନାବଶ୍ୟକ । ଇଂରେଜ ସରକାର ଭାରତର ଲୋକକଳା ଓ ହସ୍ତଶିଳ୍ପକୁ କିଭଳି ନଷ୍ଟଭ୍ରଷ୍ଟ କରିଥିଲା; ସେ ବିଷୟ ଅଧିକାଂଶ ଭାରତୀୟ ଜାଣିଛନ୍ତି ।

ଇଂରେଜ ସରକାରଙ୍କ କଥା ଛାଡ଼ନ୍ତୁ; ଓଡ଼ିଶାରେ ଓଡ଼ିଆ ଭାଷାକୁ କେତୋଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବଂଚାଇ ରଖିଛନ୍ତି; ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ କେତେ କାମ କରିଛନ୍ତି; ସେ ତଥ୍ୟଗୁଡ଼ିକ ଆପଣଙ୍କୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜକମାନେ ଭଲ ଭାବରେ ଦେଇପାରିବେ ।