ନୂଆଦିଲ୍ଲୀ: ଏଇ ଆମ ଦକ୍ଷ କାର୍ଯ୍ୟନିର୍ବାହୀ । କେନ୍ଦ୍ର ଲୋକସେବା ଆୟୋଗ ନିଯୁକ୍ତ ଆଇଏଏସ, ଆଇପିଏସ ଅଧିକାରୀଙ୍କ ମଗଜରେ ବୁଦ୍ଧିର ଅଭାବ ଜାଣିବା ପରେ ମୋଦି ସରକାର ବହୁ ଦେଶୀ ବିଦେଶୀ ଘରୋଇ ସଂସ୍ଥାକୁ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରି ବାର୍ଷିକ ୩୦୨ କୋଟିରୁ ଅଧିକ ଟଙ୍କା ଗଣୁଛନ୍ତି ।
ସୂଚନା ମୁତାବକ ପ୍ରାୟ ୪୪ଟି ସରକାରୀ ବିଭାଗ ପାଇଁ ପ୍ରାୟ ୧୪୯୯ ଜଣ ଘରୋଇ ପରାମର୍ଶଦାତା ସଂକଟମୋଚନ କରୁଛନ୍ତି ଓ ସେହି ବାବଦକୁ ବାର୍ଷିକ ୩୦୨ କୋଟି ଟଙ୍କା ରାଜକୋଷରୁ ଗଣି ନେଉଛନ୍ତି । ଦେଶର ୧୧୦ କୋଟି ଭୋଟରଙ୍କ ଭୋଟରେ ବଳୀୟାନ ହୋଇ ସଂସଦରେ ଆସନ ଦଖଲ କରିଥିବା ଲୋକ ପ୍ରତିନିଧିମାନଙ୍କ ମୁଣ୍ଡରେ ଖାଲି ଗୋବର ବୋଲି ପ୍ରମାଣିତ ହୋଇଛି । ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ମଗଜରେ କ’ଣ ଅଛି; ତାହା ପରୀକ୍ଷା କରିବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରତିକ୍ରିୟା ଶୁଣିବାକୁ ମିଳିଛି ।
ସବୁଠାରୁ ଚିନ୍ତାର ବିଷୟ ହେଉଛି, ସରକାରୀ ଭାବେ ଶିକ୍ଷିତ ବେରୋଜଗାର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ବଦଳରେ ଠିକା ନିଯୁକ୍ତିକୁ ପ୍ରୋତ୍ସାହନ ଦିଆଯାଉଛି ।
ଠିକା କର୍ମଚାରୀଙ୍କ ଭିତରେ ୧୪୮୧ ଜଣ ଅବସରପ୍ରାପ୍ତ ସରକାରୀ ଅଧିକାରୀ ଅଛନ୍ତି । ୧୦୩୭ ଜଣ ଯୁବ ପେଶାଦାରଙ୍କ ସମେତ ୫୩୯ ଜଣ ସ୍ୱାଧୀନ ପରାମର୍ଶଦାତା, ୩୫୪ ଜଣ ଡୋମେନ୍ ଏକ୍ସପର୍ଟଙ୍କ ସମେତ ୨୦ ହଜାରରୁ ଅଧିକ ନିମ୍ନବେତନଭୋଗୀ ଠିକା କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଛନ୍ତି ।
କେନ୍ଦ୍ର ସରକାରଙ୍କର ପ୍ରାୟ ୭୭ଟି ବିଭାଗରେ ଠିକା କର୍ମଚାରୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଛି ।