ଲୁୂଚକାଳି ସରିଲା: ଇଡି କବଳରୁ ଖସି ପାରିଲେନି ସୋରେନ

ରାଂଚି: ଜାନୁଆରୀ ୩୧ ତାରିଖ ଦିନ ଇଡି ନିକଟରେ ହାଜର ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋରେନଙ୍କୁ ମନି ଲଣ୍ଡରିଂ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଛି ।

ଇଡି ନୋଟିସ ପାଇବା ପରଠାରୁ ହେମନ୍ତ ସୋରେନଙ୍କୁ ଦେଖିବାକୁ ମିଳି ନଥିଲା । ଦୀର୍ଘ ୪୧ ଘଂଟା ପରେ ରାଂଚିକୁ ଫେରିଥିଲେ ମୁଖ୍ୟମନ୍ତ୍ରୀ ସୋରେନ । ତାଙ୍କୁ ଜେରା କରିବା ପାଇଁ ଇଡି ଅଧିକାରୀମାନେ ନୂଆଦିଲ୍ଲୀ ବାସଭବନକୁ ଯାଇ ନିରାଶ ହୋଇଥିଲେ । ସୋରେନଙ୍କୁ ଖୋଜି ବାହାର କରିବା ପାଇଁ ଇଡି ଦିଲ୍ଲୀ ପୁଲିସଙ୍କ ସହାୟତା ଲୋଡ଼ିଥିଲା ।

ଦିଲ୍ଲୀ ପୁଲିସର ତତ୍ପରତା ଦେଖି ସୋରେନ ଅନ୍ଧାରୀ ବିଜେ ତ୍ୟାଗ କରିଛନ୍ତି । ଗଣମାଧ୍ୟମରେ ସୋରେନଙ୍କ ନିଖୋଜ ଖବର ପ୍ରକାଶ ପାଇବା ମାତ୍ରେ ଝାଡ଼ଖଣ୍ଡ ଜନତାଙ୍କ ଭିତରେ ଚାପା ଗୁଂଜରଣ ସୃଷ୍ଟି ହୋଇଥିଲା ।ହେମନ୍ତ ସୋରେନଙ୍କ ଘରୁ ନଗଦ ୩୬ ଲକ୍ଷ ଟଙ୍କା ଓ ଗୋଟିଏ ବିଏମ୍‌ଡବ୍ଲ୍ୟୁ କାର ମିଳିଛି ଯାହାକୁ କେନ୍ଦ୍ର କରି ଇଡି ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି ।

ଅଯାଚିତ ସୂତ୍ରରୁ ହେମନ୍ତଙ୍କୁ ଏତେ ଟଙ୍କା ଓ ଗାଡ଼ି ମିଳିଛି ବୋଲି ଇଡି ଭାବୁଛି ।ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟ ଉପରେ ଇଡି ଓ ସିବିଆଇ ଚଢ଼ଉକୁ ନାନା ସ୍ତରରେ ସମାଲୋଚନା କରାଯାଇଛି । ତେବେ ଯାବତୀୟ ସମାଲୋଚନାକୁ ନିରବତାର ସହ ପିଇ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।