ଠକେଇ ଘଟଣାରେ ଅଭିଯୁକ୍ତକୁ ୬ ମାସ ସଜ୍ଜା

ଠକେଇ ଘଟଣାରେ ଜଣେ ଅଭିଯୁକ୍ତକୁ ୬ ମାସ …

ଠକେଇ ଘଟଣାରେ ଜଣେ ଅଭିଯୁକ୍ତକୁ ୬ ମାସ ସଜ୍ଜା ଶୁଣାଇଛନ୍ତି କୋର୍ଟ। ଅଭିଯୁକ୍ତ ପ୍ରଦୀପ୍ତ କୁମାର ନାୟକ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୫ । ଭରତପୁର ଥାନା ଅଞ୍ଚଳରେ ଘଟିଥିବା ଏକ ଠକେଇ ମାମଲାର ବିଚାର କରି ଅଭିଯୁକ୍ତ ପ୍ରଦୀପ୍ତ କୁମାର ନାୟକଙ୍କୁ ସଜ୍ଜା ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଉଲ୍ଲେଖଯୋଗ୍ୟ ଯେ, ଅଭିଯୋଗକାରୀ ପର୍ଶୁରାମ ସାସମଲ ପରିବାର ସହ ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରିବାରି ଅଞ୍ଚଳରେ ରୁହନ୍ତି । ତାଙ୍କର ଅଭିଯୁକ୍ତ ପ୍ରଦୀପ୍ତ କୁମାର ନାୟକଙ୍କ ସହ ପୂର୍ବରୁ ଚିହ୍ନାପରିଚୟ ଥିଲା । ପ୍ରଦୀପ୍ତ ନିଜର କାର୍ଯ୍ୟାଳୟର କିଛି ଜରୁରୀ କାମ ଲାଗି ୦୭.୦୮.୨୦୨୩ ରେ ଅଭିଯୋଗକାରୀଙ୍କ ନିକଟରୁ ୧,୦୦,୦୦୦ ଟଙ୍କା ଧାର ସୂତ୍ରରେ ନେଇଥିଲେ ଏବଂ ୩୧.୧୨.୨୦୨୩ ରେ ଧାର ଟଙ୍କା ଫେରସ୍ତ କରିଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଟଙ୍କା ଧାର ନେବା ସମୟରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା ଏବଂ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ କାନାଡା ବ୍ୟାଙ୍କର ଏକ ଚେକ ମଧ୍ୟ ପ୍ରଦାନ କରିଥିଲେ । ନିର୍ଦ୍ଧାରିତ ତାରିଖ ଦିନ ଅଭିଯୋଗକାରୀ ଉକ୍ତ ଚେକକୁ ବ୍ୟାଙ୍କରେ ଜମା କରିଥିଲେ ମଧ୍ୟ ସେଥିରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନଥିବାରୁ ତାହା ବାଉନ୍ସ ହୋଇଯାଇଥିଲା । ପରେ ଅଭିଯୋଗକାରୀ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିବାକୁ ଏକେଧିକବାର ପ୍ରୟାସ କରିଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କ କଲର କୌଣସି ଉତ୍ତର ଦେଇନଥିଲେ। ଅଭିଯୁକ୍ତ ଟଙ୍କା ନେବାର ଇତିମଧ୍ୟରେ ଏକ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଅଭିଯୋଗକାରୀ ଦେଇଥିବା ଟଙ୍କା ପାଇବାରେ ସକ୍ଷମ ହୋଇପାରିନଥିଲେ ।

ଫଳରେ ସେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକାରୀ ପର୍ଶୁରାମ ସାସମଲଙ୍କ ଅଭିଯୋଗ ଆଧାରରେ ଭରତପୁର ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇ ଥାନାର ସବ୍‍-ଇନ୍ସପେକ୍ଟର ଚନ୍ଦ୍ର ମୁଣ୍ଡାଙ୍କୁ ଏହାର ତଦନ୍ତ ଦାଇତ୍ୱ ଦିଆଯାଇଥିଲା । ତଦନ୍ତକାରୀ ଅଧିକାରୀ ଏହି ମାମଲାକୁ ବିଭିନ୍ନ ଦିଗରୁ ତଦନ୍ତ କରି ଆସାମୀ ପ୍ରଦୀପ୍ତ କୁମାର ନାୟକଙ୍କୁ ତୁରନ୍ତ ଗିରଫ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି, ମାନ୍ୟବର ଅଦାଲତ ଘଟଣା ସହିତ ସଂପୃକ୍ତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ଆସାମୀ ପ୍ରଦୀପ୍ତ କୁମାର ନାୟକଙ୍କୁ ୩୧୮ (୪) ବିଏନଏସ ଆଧାରରେ ୬ ମାସର ସଶ୍ରମ କାରାଦଣ୍ଡ ସହିତ ୩୦,୦୦୦ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଏବଂ ଜୋରିମନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୬ ମାସର କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍‍ ପ୍ରୋସିକ୍ୟୁଟର ଶ୍ରୀମତୀ ରାଜଲକ୍ଷ୍ମୀ ନାୟକ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୯୨ଟି ମାମଲାରେ ଦୋଷୀ ମାନଙ୍କୁ ସଜ୍ଜା ଦିଆଯାଇ ସାରିଥିବା ବେଳେ, ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ତରଫରୁ ଦୋଷୀଙ୍କୁ ସଜ୍ଜା ହୋଇଥିବା ଚଳିତ ବର୍ଷର ଏହା ହେଉଛି ୯୪ ତମ ମାମଲା ।