ରଖିଲେ ନବୀନ ମାରିବ କିଏ? ଖସିଯିବେ କୋଟିପତି ବାବୁ ପ୍ରଶାନ୍ତ

ସରକାରୀ କ୍ଷମତାର ଅପବ୍ୟବହାର କରି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଏବେ ଗିରଫ ହୋଇଛନ୍ତି । ପ୍ରଶାନ୍ତଙ୍କର ୯ଟି ସ୍ଥାନକୁ ଭିଜିଲାନ୍ସର ନଅଟି ଟିମ୍‌ ଏକା ସମୟରେ ଚଢ଼ଉ କରିଥିଲା । ତାଙ୍କର କାନନ ବିହାର ଘରଟିର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି । ପ୍ରଶାନ୍ତଙ୍କର ଏକାଧିକ ସ୍ଥାନରୁ ନଗଦ ଟଙ୍କା ମିଳିଛି । ଟଙ୍କା ଗଣିଗଣି ଭିଜିଲାନ୍ସ କର୍ମଚାରୀ ହାଲିଆ ହୋଇଯିବାରୁ ଟଙ୍କା ଗଣା ମେସିନ ବ୍ୟବହାର କରିବାକୁ ପଡ଼ିଥିଲା । ବିପୁଳ ପରିମାଣର ବ୍ୟାଙ୍କ ଆକାଉଂଟ, ଏଟିଏମ୍‌ କାର୍ଡ, ଜମିବାଡ଼ି କାଗଜପତ୍ର ଜବତ କରାଯାଇଛି । କଟକ ଓ ଭୁବନେଶ୍ୱରରେ ଚାରିଟି ପ୍ଲଟ ରହିଛି । ନବରଙ୍ଗପୁର ଉମରକୋଟରେ ଗୋଟିଏ ଜମି ରହିଛି । ଦୁଇଟି ଚାରିଚକିଆ ଗାଡ଼ି ଓ ଗୋଟିଏ ଦୁଇଚକିଆ ଗାଡ଼ି ରହିଛି । ଜବତ ସୁନା ଅଳଙ୍କାର ମୂଲ ୨୧ ଲକ୍ଷ ଟଙ୍କାରୁ ଅଧିକ ହେବ । ବେନାମୀ ଓ ନିଜ ବ୍ୟାଙ୍କ ଜମାଖାତାରେ ୬୨ ଲକ୍ଷ ଟଙ୍କା ରହିଛି । ପିଲାଙ୍କ ପାଠପଢ଼ାରେ ପ୍ରାୟ ୮୭ ଲକ୍ଷ ଟଙ୍କା ନିୟୋଜିତ କରିଛନ୍ତି । ଏବେ ସୁଦ୍ଧା ସେ ଆୟବର୍ହିଭୂତ ସମ୍ପତ୍ତି ଯାହାକି ଆୟର ୫୦୬%(₹୫,୨୧,୦୯,୬୫୯/-)ଠୁଳ କୋଟି ଟଙ୍କାର ମାଲିକ ବୋଲି କୁହାଯାଉଛି। ତଦନ୍ତ ଶେଷ ପରେ ତାଙ୍କ ସଂପତିର ବାସ୍ତବ ମୂଲ ଜଣାପଡ଼ିବ।

୧୯୯୬ରେ ଓଏଏସ୍‌ ପାଇବା ପରେ ସେ ବହୁ ଜିଲ୍ଲାରେ ତହସିଲଦାର ଓ ବିଡିଓ ଭାବେ କାମ କରିଛନ୍ତି । କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ବରଗଡ଼ ଜିଲ୍ଲାରେ ତହସିଲଦାର ଭାବେ କାମ କରିଥିଲେ । ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ବିଡିଓ ଭାବେ କାମ କରିଥିଲେ ।

ସୁନ୍ଦରଗଡ଼ରେ ତାଙ୍କ ପ୍ରତି ଭାଗ୍ୟଦେବୀ ଅଶୁଭ ଦୃଷ୍ଟି ପକାଇଲେ । ୨୦୧୮ ନଭେମ୍ବର ୬ ତାରିଖରେ ଜଣକ ନିକଟରୁ ୧ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ୨୦୨୦ ଜାନୁଆରୀ ୧୮ ତାରିଖ ଯାଏ ନିଲମ୍ବିତ ଥିଲେ । ପରେ ତାଙ୍କୁ ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ ଅବସ୍ଥାପିତ କଲା କିଏ? ଲାଂଚ ଅଭିଯୋଗରେ ଧରାପଡ଼ି ନିଶ୍ଚିତ ଭାବେ ନିର୍ଦ୍ଧୋଷରେ ଖଲାସ ହୋଇଥିବେ ପ୍ରଶାନ୍ତ । ଭିଜିଲାନ୍ସ ତଦନ୍ତ ରିପୋର୍ଟରେ ଗଳାବାଟ ତିଆରି କରାଯାଇଥିବ ନିଶ୍ଚିତ ତା’ ନହେଲେ ପ୍ରଶାନ୍ତ ପୁନର୍ବାର ଚାକିରିରେ ଅବସ୍ଥାପିତ ହେଲେ କିପରି?

ସାଧାରଣତଃ ତାଙ୍କୁ ନିଲମ୍ବନ କରିଥିଲା ନବୀନ ସରକାର ! ଚାକିରିରେ ଅବସ୍ଥାପିତ କଲା ନବୀନ ସରକାର! ଏବେ ପୁଣି ଗିରଫ କରିଛି ନବୀନ ସରକାର! ଲାଂଚ ମାମଲାରେ ଧରା ପଡ଼ିବା ପରେ ନବୀନ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କଲେନି କାହିଁକି? ଚାକିରିରେ ଅବସ୍ଥାପିତ କରି ନବୀନ ସରକାର ତା’ଠାରୁ ଭଲ ରକମର ଚାନ୍ଦା ଆଦାୟ କରିବାକୁ ବସିଥିଲେ! ମାତ୍ର ପ୍ରଶାନ୍ତ ରାଉତ ଅଧିକ ଚାଲାକ ଦେଖାଇବାରୁ ଏପରି ପରିଣତି ଭୋଗିଛନ୍ତି। ତ୍ରୁଟି ସୁଧାରି ନେଲେ ନବୀନ ସରକାର ପୁଣି ତାଙ୍କୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରିପାରନ୍ତି।