କମ୍ପିଥିଲା ପାଟନା, ଟଳିଗଲେ ଇନ୍ଦିରା; ୧୯୭୭ କଂଗ୍ରେସ ଦଶା ଭୋଗିବ ବିଜେପି?

ଦେଶରେ ବୈପ୍ଲବିକ ପରିବର୍ତନର ସୂତ୍ରଧର ଭାବେ ପାଟନାର ନାମ ରହିଛି । ପାଟନା ମାଟିରେ ଜନ୍ମ ନେଉଥିବା ଚାରାଟି ନୂଆଦିଲ୍ଲୀକୁ ଛାଇ ପ୍ରଦାନ କରିଛି । ଜୁନ ୨୩ରେ ପାଟନାରେ ଅନୁଷ୍ଠିତ ହୋଇଯାଇଛି ବିରୋଧୀଙ୍କ ମହାମେଳି । ଉକ୍ତ ମେଳିରେ ନାନା ମୁନି ନାନା ମତ ପ୍ରକାଶ ପାଇଥିଲେ ମଧ୍ୟ ମଇଁଷି ଶିଙ୍ଗ ଫଟା ଯୁଝିଲା ବେଳକୁ ଗୋଟା ପରିଣାମ ବାହାରିବ ବୋଲି ଆଶା ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭାରତର ରାଜନୈତିକ ଚିତ୍ର ଉପରେ ଦୃଷ୍ଟିପାତ କଲେ, କେନ୍ଦ୍ରରେ କ୍ଷମତାସୀନ ଦଳକୁ ହଟାଇବା ଦିଗରେ ପାଟନାର ଅବଦାନକୁ ଭୁଲିହେବନି। ଦେଶରେ ନୂଆ ଚିନ୍ତାଧାରା ପାଟନା ମାଟିରୁ ଜନ୍ମ ନେଇଛି । ଯୋଉ ଦଳ ନୂଆଦିଲ୍ଲୀ ସିଂହାସନରେ ବସି ସାରା ଦେଶକୁ ଡରାଇବାକୁ ବସିଛି, ତାକୁ ପାଟନା ଠିକଣା ଜବାବ ଦେଇଛି ।

୧୯୬୫ ମସିହାର କଥା । ସ୍ୱାଧିନତା ପରେ ଦେଶର ସାମାଜିକ ଓ ଆର୍ଥିକ ସମସ୍ୟାକୁ ସଜାଡ଼ିବା ଜରୁରୀ ଥିଲା । ତା’ ସହିତ ଦେଶର ଲୋକମାନେ ଦୁଇଓଳି ମୁଠାଏ ଖାଇବାକୁ ସଂଘର୍ଷ କରୁଥିଲେ । ସେତେବେଳେ ବିହାର ମୁଖ୍ୟମନ୍ତ୍ରୀ ଥିଲେ କୃଷ୍ଣବଲ୍ଲଭ ସହାୟ । ତାଙ୍କ ଜନବିରୋଧୀ ନୀତିକୁ ନାପସନ୍ଦ କରି ବରିଷ୍ଠ ସମାଜବାଦୀ ନେତା ରାମ ମନୋହର ଲୋହିଆ ଜନଆନ୍ଦୋଳନ ଆରମ୍ଭ କଲେ । ଲୋହିଆ ଓ ସହାୟ ଦୁହେଁ କଂଗ୍ରେସ ନେତା, ତଥାପି ଲୋହିଆ ସମାଜବାଦୀ ଚିନ୍ତାଧାରାକୁ ଛାଡ଼ିବା ପାଇଁ ନାରାଜ । ବିହାର ସମେତ ସାରାଦେଶରେ ଅକାଳ ମରୁଡ଼ି ପଡ଼ିଥିଲା ବେଳେ ମୁଖ୍ୟମନ୍ତ୍ରୀ ସହାୟ ହଜାରିବାଗରେ ଇନ୍ଦିରା ଗାନ୍ଧିଙ୍କୁ ସ୍ୱାଗତ କରିବା ପାଇଁ ମହାଭୋଜିର ଆୟୋଜନ କରିଥିଲେ । ଲୋକମାନେ ଭୋକରେ ଆଉଟୁ ପାଉଟୁ ହେଉଥିଲା ବେଳେ ସହାୟ ଇନ୍ଦିରାଙ୍କୁ ଖୁସି କରିବାକୁ ଲାଗିଥିଲେ ।

ଲୋହିଆଙ୍କୁ ଏସବୁ ପସନ୍ଦ ଲାଗିଲାନି । ସେ ଏକ ଜନସଭାର ଆୟୋଜନ କରି ତାଙ୍କରି ଦଳ ବିରୋଧରେ ବିଷୋଦଗାର କଲେ । ଲୋହିଆ କହିଲେ, ରାଜ୍ୟର ଭୋକିଲା ଜନତାଙ୍କୁ ଭାତ ବଦଳରେ ଭାଷଣ ଖିଆଯାଉଛି । ପେଟର ଭୋକ ନକଲି ନୁହେଁ । ଲୋକମାନଙ୍କ ମନରେ ଏବେ ମଧ୍ୟ ଭରସା ରହିଛି ଯେ ତାଙ୍କ ମୁଖ୍ୟମନ୍ତ୍ରୀ ତାଙ୍କୁ ପେଟଭରି ଆହାର ଦେବେ, ଲାଠି ଆଉ ଗୁଳି ନୁହେଁ ।’ ଲୋହିଆଙ୍କ ଆହ୍ୱାନରେ ମୁଖ୍ୟମନ୍ତ୍ରୀ ସହାୟ ଅସୁରକ୍ଷିତ ମଣିଲେ । ଏବେ ଯଦି ଲୋହିଆଙ୍କୁ ରୋକା ନଯାଏ କଂଗ୍ରେସ ଓ ସରକାରଙ୍କ ବିରୋଧରେ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିପାରେ । ଆଗପଛ ନଦେଖି ମୁଖ୍ୟମନ୍ତ୍ରୀ ସହାୟ ଲୋହିଆଙ୍କୁ ଗିରଫ କରି ଜେଲରେ ଠୁଙ୍କିଦେଲେ । ଲୋହିଆ ଜେଲ ଗଲେ ସିନା; ମାତ୍ର ପାଟନା ଜନସମାବେଶରେ ଉତର ଭାରତରେ ଜନ୍ମ ନେଲା କଂଗ୍ରେସ ବିରୋଧୀ ହାୱା । କଂଗ୍ରେସ ବିରୋଧୀ ଭାବେ ରାମ ମନୋହର ଲୋହିଆଙ୍କର ଲୋକପ୍ରିୟତା ବୃଦ୍ଧି ପାଇଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଲୋହିଆ ସମ୍ମାନର ସହ ଜେଲରୁ ମୁକୁଳିଲେ । ପାଟନାର ତକ୍ରାଳୀନ ଡିଏମଙ୍କୁ କଡ଼ା ତିରସ୍କାର ଶୁଣିବାକୁ ପଡ଼ିଲା । ଲୋହିଆଙ୍କ ଆହ୍ୱାନରେ ସାରା ଭାରତରେ ବିରାଟ ପରିବର୍ତନ ହେଲା।

କଂଗ୍ରେସ ବିରୋଧରେ ସଂଘର୍ଷକୁ ୧୦ ବର୍ଷ ବିତି ଯାଇଥିଲା । ୮୦ ଦଶକ ଆରମ୍ଭ ହେଲା । ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେଲେ । ୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ଭ୍ରଷ୍ଟାଚାର ମୁଖା ଖୋଲିଗଲା । ପ୍ରବୀଣ ଗାନ୍ଧୀବାଦୀ ନେତା ତଥା ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇ ଜେଲ ଭୋଗିଥିବା ସ୍ୱାଧୀନତା ସଂଗ୍ରାମୀ ଜୟ ପ୍ରକାଶ ନାରାୟଣ ବିରୋଧୀ ଦଳକୁ ଏକଜୁଟ କରି ଇନ୍ଦିରାଜୀଙ୍କ ଇସ୍ତଫା ଦାବି କଲେ ।
ବିରୋଧୀଙ୍କୁ କଡ଼ା ଜବାବ ଦେବା ପାଇଁ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ଶାସନ ଘୋଷଣା କରିଦେଲେ । ୧୯୭୫ ଜୁନ ୫ ତାରିଖରେ ପାଟନାର ଗାନ୍ଧୀ ମୈଦାନରେ ଆୟୋଜିତ ଜନ ସମାବେଶରେ ଯୋଗଦାନ କରି ଜୟପ୍ରକାଶ ନାରାୟଣ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ‘ସଂପୂର୍ଣ୍ଣ କ୍ରାନ୍ତି’ ଡାକରା ଦେଲେ ।

JP NARAYAN AND LOHIA
JP NARAYAN AND LOHIA

ଜେପି (ଜୟପ୍ରକାଶ ନାରାୟଣ)ଙ୍କ ଡାକରାରେ ସାରା ଦେଶରେ ଇନ୍ଦିରା ସରକାରଙ୍କ ବିରୋଧରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଲେ । ପରିଣାମ ସ୍ୱରୂପ ଇନ୍ଦିରା ଗାନ୍ଧୀଙ୍କ ହାତରୁ କ୍ଷମତା ଚାଲିଗଲା। ୧୯୭୭ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ କଂଗ୍ରେସ ଶାସନର ବିଲୟ ଘଟିଲା। ୧୯୭୭ରେ କଂଗ୍ରେସ ହାତରୁ ଶାସନ ଚାଲିଯିବା ଭଳି ୨୦୨୪ରେ ବିଜେପି ମେଂଟ ସରକାର କ୍ଷମତାଚ୍ୟୁତ ହେବ କି?