ଆଇଏସ୍‌ଏଲ୍‌ ଫାଇନାଲରେ ମୋହନବାଗାନ: ଓଏଫ୍‌ସିର ଅଭିଯାନ ଶେଷ

ଆଇଏସ୍‌ଏଲ୍‌ ଫାଇନାଲରେ ମୋହନବାଗାନ: ଓଏଫ୍‌ସିର ଅଭିଯାନ ଶେଷ

ସହଲ ଅବଦୁଲ ସମଦଙ୍କ ଇଞ୍ଜୁରୀ ଟାଇମ୍‌ ଗୋଲ ବଳରେ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ) ସେମି ଫାଇନାଲରୁ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)ର ଅଭିଯାନ ଶେଷ ହୋଇଛି। ଦୁଇ ଚରଣର ସେମି ଫାଇନାଲକୁ ୩-୨ ଆଗ୍ରେଗେଟରେ ଜିତି ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି ମୋହନବାଗାନ ସୁପର ଜାଏଣ୍ଟ୍ସ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଚରଣ ମ୍ୟାଚ୍‌କୁ ଓଏଫ୍‌ସି ୧-୨ରେ ଜିତିଥିଲା। ତେବେ ରବିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଦ୍ୱିତୀୟ ଚରଣ ସେମି ଫାଇନାଲକୁ ୨-୦ରେ ଜିତିଥିଲା ମୋହନବାଗାନ।

ମୋହନବାଗାନ ପକ୍ଷରୁ ଜାସନ କମିଙ୍ଗ୍ସ (୨୦ ମିନିଟ) ଓ ସହଲ ଅବଦୁଲ ସମଦ (୯୦+୩) ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚ୍‌ର ୫୪ ପ୍ରତିଶତ ସମୟ ଓଏଫ୍‌ସି ବଲ୍‌ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ମୋହନବାଗାନର ୧୦ଟି ଶଟ୍‌ ଟାର୍ଗେଟରେ ରହିଥିଲା। ୨୦ ତମ ମିନିଟରେ ଓଏଫ୍‌ସି ଡିଫେଣ୍ଡରଙ୍କ ତ୍ରୁଟିରୁ ଫାଇଦା ଉଠାଇ କମିଙ୍ଗ୍ସ ଗୋଲ ଦେଇଥିଲେ। ଓଏଫ୍‌ସି ପକ୍ଷରୁ ଗୋଲ ପରିଶୋଧର ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳତା ମିଳି ନ ଥିଲା। ମ୍ୟାଚ୍‌ ୨-୨ ସ୍ଥିତିରେ ଥିବା ବେଳେ ଅତିରିକ୍ତ ସମୟକୁ ମ୍ୟାଚ୍‌ ଯିବାର ସ୍ଥିତି ଆସିଥିଲା। ତେବେ ୯୦+୩ ମିନିଟରେ ମନବୀର ସିଂଙ୍କ ଚମତ୍କାର ସ୍ପ୍ରିଣ୍ଟରୁ ଗୋଲ ଦେଇଥିଲେ ସହଲ। ମନବୀର ଓଏଫ୍‌ସି ଡିଫେଣ୍ଡରଙ୍କୁ ଚକ୍‌ମା ଦେଇ ବଲ୍‌କୁ ଓଏଫ୍‌ସି ପୋଷ୍ଟ ନିକଟକୁ ଆଣିଥିଲେ। ଏହାପରେ ମିଳଥିବା କ୍ରସ୍‌କୁ ଗୋଲ ପୋଷ୍ଟ ମଧ୍ୟକୁ ପଠାଇ ଘରୋଇ ଦଳକୁ ବିଜୟୀ କରିଥିଲେ ସହଲ ଅବଦୁଲ ସମଦ। ମନବୀର ସିଂଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା। କଳିଙ୍ଗରେ ଖେଳା ଯାଇଥିବା ମ୍ୟାଚରେ ମୋହନ ବାଗାନ ପକ୍ଷରୁ ମନବୀର ସିଂ ଗୋଲ ଦେଇଥିବା ବେଳେ ଓଏଫ୍‌ସି ପକ୍ଷରୁ କାର୍ଲୋସ ଡେଲଗାଡୋ ଓ ରୟ କ୍ରିଷ୍ଣା ଗୋଟିଏ ଲେଖାଏ ଗୋଲ ଦେଇଥିଲେ।