ସାତପୁରୁଷକୁ ସଂଚୁଥିଲେ, ଧରାପଡ଼ି ଜେଲ ଗଲେ ବାବୁ ସୁଦର୍ଶନ

ବଲାଙ୍ଗିର ସରକାରୀ କଲେଜ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ପରିଚୟ କାହାକୁ ଅଛପା ହୋଇରହିନି । ଭିଜିଲାନ୍ସ ହାତରେ ଧରାପଡ଼ିବା ପରଠାରୁ ଓଡ଼ିଶାର ବଛାବଛା ଗଣମାଧ୍ୟମ ତାଙ୍କ ବିଳାସମୟ ଜୀବନଟାକୁ ଘାଂଟି ପକାଇଛି ।

ସରକାରୀ ପଦବୀ ମୁତାବକ ତାଙ୍କର ବାର୍ଷିକ ଆୟ ଯେତିକି, ତା’ର ୧୧୩ ଗୁଣା ସଂପତି ହିସାବ ପାଇଛି ଭିଜିଲାନ୍ସ । ସଂପତି କହିଲେ ସାକ୍ଷୀଗୋପାଳ ବ୍ଲକ ଛକ ନିକଟରେ ୪ ମହଲା ବିଶିଷ୍ଟ କୋଠା । ସତ୍ୟବାଦୀ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁରରେ ଦୁଇମହଲା କୋଠା । ଗୋପ ଅନ୍ତର୍ଗତ ସୋରିଷପଦାରେ ଗୋଟିଏ କୋଠା ।

ଭୁବନେଶ୍ୱର ସମେତ ଗୋପ, ପିପିଲି, ସତ୍ୟବାଦୀ ଭଳି ବହୁ ଇଲାକାରେ ପ୍ରାୟ ୨୮ଟି ଜମି କିଣିଛନ୍ତି । ତିନୋଟି ଚାରିଚକିଆ ଗାଡ଼ି, ଗୋଟିଏ ଦୁଇଚକିଆ । ଗୋଟିଏ କଲେଜ ଅଧ୍ୟକ୍ଷ ଭାବେ ଏତେ ଟଙ୍କା କମାଇବା ସୁଦର୍ଶନଙ୍କ ପାଇଁ କାଳ ହୋଇଗଲା । ଆଖି ବୁଜି ଟଙ୍କା ରୋଜଗାର କରୁକରୁ ଭିଜିଲାନ୍ସ କଥା ପୁରାପୁରି ଭୁଲିଗଲେ ।