ଦୀପାବଳି: ୧୬ ହଜାର ରାଜକୁମାରୀଙ୍କୁ ଉଦ୍ଧାର କରିଥିଲେ ଶ୍ରୀକୃଷ୍ଣ

ପୁରାଣ କଥା ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସ ଦାଉରୁ ପୃଥିବୀ ମାତାଙ୍କୁ ଉଦ୍ଧାର କରିବା ପାଇଁ ବିଷ୍ଣୁଙ୍କ ଅବତାର ରୂପେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀକୃଷ୍ଣ । ଆଜିର ଆସାମ ଅଂଚଳରେ ପ୍ରବଳ ପ୍ରତାପୀ ରାକ୍ଷସ ନରକାସୁର ୧୬ ହଜାର ଯୁବତୀଙ୍କୁ ବନ୍ଦୀ କରି ରଖିଥିଲା । ନରକାସୁର କବଳରୁ ୧୬ ସହସ୍ର ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଶ୍ରୀକୃଷ୍ଣ ଆସାମରେ ପହଂଚିଲେ । ଦୁହିଁଙ୍କ ଭିତରେ ଘମାଘୋଟ ଲଢେ଼ଇ ହେଲା । ଦୀପାବଳି ପୂର୍ବଦିନ ଅର୍ଥାତ୍‌ ଆଶ୍ୱିନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପ୍ରଭୁ ଶ୍ରୀକୃଷ୍ଣ ନରକାସୁରକୁ ବଧ କରିଥିଲେ । ତା’ ବନ୍ଦୀଶାଳାରୁ ମୁକ୍ତ ୧୬ ହଜାର ଯୁବତୀଙ୍କ ପାଣି ଗ୍ରହଣ କରିବା ପାଇଁ କୌଣସି ରାଜା ରାଜି ହେଲେନାହିଁ । ଅଗତ୍ୟା ଶ୍ରୀକୃଷ୍ଣଙ୍କୁ ୧୬ ସହସ୍ର ଯୁବତୀଙ୍କ ପାଣି ଗ୍ରହଣ କରିବାକୁ ପଡ଼ିଲା । ତେଣୁ ଭାଗବତରେ ଲେଖା ଅଛି, ‘ଷୋଳ ସହସ୍ର ଗୋପନାରୀ, ମତେ ବରିଲେ ତପ କରି’ । ଦୀପାବଳି ପୂର୍ବଦିନଟିକୁ ନରକ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଏ ।

ଦୀପାବଳି ସଂପର୍କରେ ବହୁ ହିନ୍ଦୁ ଲୋକକଥା ରହିଛି । ଅଧିକାଂଶ ହିନ୍ଦୁ ଶ୍ରଦ୍ଧାଳୁମାନେ ଦୀପାବଳି ଅବସରରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି । ସମୁଦ୍ର ମନ୍ଥନ ସମୟରେ ମା’ ଲକ୍ଷ୍ମୀ, ଦେବବୈଦ୍ୟ ଧନ୍ୱନ୍ତରୀ, ଐରାବତ ହସ୍ତୀ, ଚନ୍ଦ୍ରଙ୍କ ସମେତ ବହୁ ଦିବ୍ୟ ଜିନିଷ ବାହାରିଲା । ଦୀପାବଳି ଦିନ ମା’ ଲକ୍ଷ୍ମୀ ପ୍ରଭୁ ନାରାୟଣଙ୍କୁ ବିବାହ କରିଥିବା ବିଶ୍ୱାସ କରାଯାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଦେବବୈଦ୍ୟ ଧନ୍ୱନ୍ତରୀ ହାତରେ କଳସ ଧରି ଆବିର୍ଭାବ ହୋଇଥିଲେ ।

ସେହିଦିନଟିକୁ ଧନତେରସ ଭାବେ ପାଳନ କରାଯାଏ । ପ୍ରତି ହିନ୍ଦୁ ପରିବାର ସେହିଦିନ କିଛି ନା କିଛି ଅଳଙ୍କାର କିଣିଥାନ୍ତି । ବିଶ୍ୱାସ କରାଯାଏ, ଧନତେରସ ଦିନ ଗହଣା ଦୋକାନରୁ କିଛି ଗହଣା କିଣି ଘରକୁ ଆଣିଲେ, ମା’ ଲକ୍ଷ୍ମୀ ଉକ୍ତ ଗହଣା ଭିତରେ ଆସି ଘରେ ବାସ କରିଥାନ୍ତି ।