କେତେ ଠିକିଲେ ଶିଖିବେ: ଲୁଟେରା ଲୁଟିଲେ ଦେଢ଼କୋଟି

ଏଟିଏମରେ ଟଙ୍କା ଭରିବା ପାଇଁ ଯାଉଥିବା ଗାଡ଼ିକୁ କଡ଼ା ସୁରକ୍ଷା ଭିତରେ ନିଆଯିବା ଦରକାର । ଜଣେ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ଉପରେ ଭରସା କରି ଏପରି ଗୁରୁତ୍ୱପୂର୍ଣ୍ଣ କାମ ନିର୍ବାହ କରିବା କେତେ ଉଚିତ; ତଦନ୍ତ ଆରମ୍ଭରୁ ପୁଲିସ ପ୍ରଥମେ ସିକୁରିଟି ସଂସ୍ଥା ମୁଖ୍ୟଙ୍କୁ ଥାନାକୁ ଆଣି ଜେରା କରିବା ଦରକାର । ଟଙ୍କା ଲୁଟ ପଛରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅସମ୍ଭବ ନୁହେଁ । ଏପରି ଅପରାଧ ନିଶ୍ଚିତ ଭାବେ ଯୋଜନାବଦ୍ଧ । କଡ଼ା ସୁରକ୍ଷା ଭିତରେ ଟଙ୍କା ନେବା ଆଣିବା କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯାଉଛି । ମାତ୍ର ବ୍ୟାଙ୍କ ଓ ସୁରକ୍ଷା ସଂସ୍ଥା ହାମବଡ଼ା ନୀତି ଛାଡ଼ି ପାରୁନାହାନ୍ତି ।

ଖବରଟି ହେଉଛି, କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ନିକଟରେ କିଛି ଅସାମାଜିକ ବ୍ୟକ୍ତି ଏଟିଏମରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନକୁ ଅଟକାଇ ପ୍ରାୟ ଦେଢ଼କୋଟି ଟଙ୍କା ଧରି ପଳାୟନ କରିଛନ୍ତି । ଏତେ ଟଙ୍କା ହଜମ କରିବା ଅପରାଧୀଙ୍କ ପକ୍ଷେ ସହଜ ହେବନି; ପୁଲିସ ହାତରେ ସେମାନେ ଧରାପଡ଼ିବା ସୁନିଶ୍ଚିତ । ତେବେ ପ୍ରଶ୍ନ ହେଉଛି, ସିକ୍ୟୋର ଭାଲ୍ୟୁ ସଂସ୍ଥା ଏପରି ଦାୟିତ୍ୱହୀନ କାମ କଲା କାହିଁକି? ୨ କୋଟିରୁ ଅଧିକ ଟଙ୍କା ଧରି ଯାଉଥିବା ଗାଡ଼ିରେ ଅତି କମରେ ଚାରିଜଣ ବନ୍ଧୁକଧାରୀ ସୁରକ୍ଷାକର୍ମୀ ରହିବା ଦରକାର ।

ଆଠଗଡ଼ ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ୧୩ଟି ଏଟିଏମରେ ଟଙ୍କା ଭରିବାର ଥିଲା । ଚାରୋଟି ଏଟିଏମ କାଉଂଟରରେ ଟଙ୍କା ରଖି ପଂଚମ ଏଟିଏମ୍‌ ଅଭିମୁଖେ ଯାଉଥିବା ବାଟରେ ଲୁଟିନେଲେ ସଜାଗ ଅପରାଧି ଗୋଷ୍ଠୀ ।
ଅପରାଧି ଗୋଷ୍ଠୀ ପ୍ରଥମେ ଗାଡ଼ି ଉପରକୁ ଢେଲା ଫିଙ୍ଗିଲେ । ଚାଳକ ଗାଡ଼ିର ବେଗ କମାଇ ଦେଲେ । ବୁଦ୍ଧିଆ ଲୁଟେରାମାନେ ସ୍କର୍ପିଓ, ବାଇକ ଓ ସ୍କୁଟିକୁ ରାସ୍ତା ଉପରେ ରଖି ଦେଇଥିଲେ । ଲୁଟେରାଙ୍କ ହାତରେ ବନ୍ଧୁକ ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖି ସିକ୍ୟୋର ସଂସ୍ଥାର କର୍ମଚାରୀମାନେ ସୁନାପିଲାଟି ପରି ଅପରାଧୀଙ୍କ କଥା ପାଳନ କରିଥିଲେ ।