ବିଜୁଳି ଉପଭୋକ୍ତାଙ୍କ ଅଭିଶାପରେ ଜଳିଯିବ ବିଜେଡି

ଭୁବନେଶ୍ୱର: ପାଉଁଶ ପୋଖରୀକୁ ସଫଳତାର ସହିତ ପରିଚାଳନା କରି ନପାରି ଓପିଜିସି ଆବଶ୍ୟକ ପରିମାଣର ବିଜୁଳି ଉତ୍ପାଦନ କରିପାରୁନି । ରାଜ୍ୟର ଚାହିଦା ପୂରଣ କରିବା ପାଇଁ ଗ୍ରୀଡକୋକୁ ଏନଟିପିସିଠାରୁ ଅଧିକା ଦରରେ ବିଜୁଳି କିଣିବାକୁ ପଡୁଛି । ଏନଟିପିସିଠାରୁ ୨୭୧ ନିୟୁତ ୟୁନିଟ୍‌ ବିଜୁଳି କିଣି ଗ୍ରୀଡକୋ ୫୪ କୋଟି ଟଙ୍କା କ୍ଷତି ସହିଲାଣି । ଉକ୍ତ ଅର୍ଥକୁ ବିଜୁଳି ଉପଭୋକ୍ତାଙ୍କ ନିକଟରୁ ଆଦାୟ କରାଯିବ ।

ରାଜ୍ୟର ହାରାହାରି ବିଜୁଳି ଆବଶ୍ୟକତା ୩୫୦୦ ମେଗାୱାଟ୍‌ ରହିଛି । ତା’ ଭିତରୁ ୪୩ ଭାଗ ଓପିଜିସି ଯୋଗାଇଥାଏ । ଋତୁ ଅନୁସାରେ ବିଜୁଳି ଚାଦିଦା କମ୍‌ବେଶି ହୋଇଥାଏ ।

ଓପିଜିସିର ବିଜୁଳି ଉତ୍ପାଦନ ବାଟରେ ପାଉଁଶ ପୋଖରୀ ମୁଖ୍ୟ ସମସ୍ୟା ପାଲଟିଛି । ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଏ ପ୍ରକାର ସମସ୍ୟା ଉପୁଜିବ ବୋଲି ରାଜ୍ୟ ସରକାର ଭଲ ଭାବରେ ଜାଣିଥିଲେ ମଧ୍ୟ ତା’ ପ୍ରତି ଅଧିକ ଧ୍ୟାନ ଦେଇ ନଥିଲେ । ସେଭଳି ଗୁରୁତର ତ୍ରୁଟିକୁ ଅଣଦେଖା କରି ଉପଭୋକ୍ତାଙ୍କ ପେଟକୁ ନାତ ମାରିବା କେତେଦୂର ଯୁକ୍ତିସଂଗତ; ତାହା ରାଜ୍ୟ ସରକାର ବିଚାର କରିବା ଉଚିତ ।

ଓପିଜିସି ୟୁନିଟର ତ୍ରୁଟିପୂର୍ଣ୍ଣ ପରିଚାଳନା କ୍ଷତିକୁ ଆମେରିକା କମ୍ପାନୀ ଏଇଏସ ନିକଟରୁ ଆଦାୟ ନକରି ତାକୁ ଆରାମରେ ତା’ ବାଟରେ ପଠାଇ ଦିଆଗଲା । ଏଇଏସ କାରଣରୁ ଓପିଜିସିକୁ ଯୋଉ କ୍ଷତି ସହିବାକୁ ପଡୁଛି; ତାହାକୁ ବିଜୁଳି ଉପଭୋକ୍ତାଙ୍କ ନିକଟରୁ ଆଦାୟ କରାଯିବା ଆଦୌ ଉଚିତ ନୁହେଁ ।

ଗୋଟିଏ ପକ୍ଷରେ ରାଜ୍ୟ ସରକାର ଛାତିରେ ହାତ ପିଟି ବିଜୁଳି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟ କହିବା ଓ ଏନଟିପିସି ନିକଟରୁ ଅଧିକ ଦରରେ ବିଜୁଳି କିଣିବା ତେଲଲୁଣ ସଂସାରରେ ପେଶି ହେଉଥିବା ସାଧାରଣ ଉପଭୋକ୍ତାଙ୍କ ମୁଣ୍ଡରେ ପଶୁନି ।