ପୁଅକୁ ହାଣିବା ବେଳେ ବାପା ମୁଣ୍ଡରେ ବାଜିଲା ଖଣ୍ଡା
ଯୁବକ ଗିରଫ, ସହଯୋଗୀ ଫେରାର
ପୂର୍ବ ବିବାଦକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଜଣେ ….
ପୂର୍ବ ବିବାଦକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣିବାକୁ ଯାଇଥିବାବେଳେ ବାପା ମୁଣ୍ଡରେ ବାଜିଥିଲା ଚୋଟ। ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ପୁଲିସ ଜଟଣୀ ଆକ୍ରମଣ ଘଟଣାରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଟଣୀ ଥାନା ନିକଟସ୍ଥ ୟୋଲୋ କଲୋନୀର ଏମ୍ଡି ଅମିର ଖାଁ(୩୦)। ତାଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଥିବାବେେଳେ ସହଯୋଗୀକୁ ଧରିବାକୁ ପୁଲିସ ଚଢ଼ାଉକୁ ଜୋରଦାର କରିଛି । ଅଭିଯୋଗକାରୀ ଜେ.ମହେଶ୍ୱର ରାଓଙ୍କ ଲିଖିତ ଅଭିଯୋଗ କ୍ରମେ ଜଟଣୀ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ କରିବା ସହ ଅଭିଯୁକ୍ତ ଏମଡି ଅମିର ଖାଁ ଓରଫ ସାଜୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜେ. ମହେଶ୍ୱର ରାଓ ଜଟଣୀ ଥାନା ଅନ୍ତର୍ଗତ ଲୋକୋ କଲୋନୀର କ୍ୱାର୍ଟର୍ସ ନମ୍ବର-ଏ/୧୨୭-ବି ରେ ରୁହନ୍ତି । ଗତ ୨୨.୧୨.୨୦୨୫ ସନ୍ଧ୍ୟା ପ୍ରାୟ ୫.୧୫ ସମୟରେ ଅଭିଯୋଗକାରୀ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଘର ନିକଟରେ ଗପସପ କରୁଥିଲେ। ସେହି ସମୟରେ ଅଭିଯୁକ୍ତ ଏମଡି ଅମିର ଖାଁ ଓରଫ ସାଜୁ ଏବଂ ତାଙ୍କ ସହଯୋଗୀ ଅବଦୁଲ ଉକ୍ତ ଘର ନିକଟକୁ ଆସି କବାଟ ବାଡେ଼ଇଥିଲେ । ଅଭିଯୋଗକାରୀଙ୍କ ମା’ଦ୍ୱାରା ଖୋଲିବା ପରେ, ଅଭିଯୁକ୍ତ ମାନେ ଅଭିଯୋଗକାରୀଙ୍କୁ ଡାକିବାକୁ କହିଥିଲେ। ଅଭିଯୋଗକାରୀଙ୍କ ବାପା ଜଗନ୍ନାଥ ରାଓ,ଭାଇ ଜେ. ତରୁଣ ରାଓ ଓ ସାଙ୍ଗ ନୀହାର ଘର ବାହାରକୁ ଆସିଥିଲେ। କିନ୍ତୁ ଅଭିଯୁକ୍ତ ଅମିର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ପୂର୍ବକ ଭୟ ଦେଖାଇ ଅଭିଯୋଗକାରୀଙ୍କୁ ଡାକିବାକୁ କହିଥିଲେ। କିନ୍ତୁ ସେମାନେ ଏହାର ବିରୋଧ କରିବାରୁ ଅଭିଯୁକ୍ତ ଅମିର ହାତରେ ଧରିଥିବା ଖଣ୍ଡା ସାହାଯ୍ୟରେ ଅଭିଯୋଗକାରୀଙ୍କ ବାପାଙ୍କ ମୁଣ୍ଡକୁ ଲକ୍ଷ କରି ଆକ୍ରମଣ କରିଥିଲେ । କିନ୍ତୁ ସେ ଦୌଡ଼ି ଯାଇ ନିଜ ଜୀବନ ବଞ୍ଚାଇ ଥିଲେ ମଧ୍ୟ ଖଣ୍ଡା ଚୋଟ ଯୋଗୁଁ ପକହରେ ଥିବା ଏକ ମୋଟରସାଇକେଲ କ୍ଷତିଗ୍ରସ୍ତ ହୋଇଥିଲା । ତାପରେ ଅଭିଯୁକ୍ତ ଅମିର, ଅଭିଯୋଗକାରୀଙ୍କ ବାପାଙ୍କୁ ମାରଧର କରିଥିବା ବେଳେ, ଅଭିଯୁକ୍ତ ଅବଦୁଲ ବୋମା ପକାଇ ତାଙ୍କ ଘରକୁ ଧ୍ୱଂସ କରିଦେବାର ଧମକ ଦେଇଥିଲେ। ଫଳରେ ଅଭିଯୋଗକାରୀଙ୍କ ବାପା ସାମାନ୍ଯ ଆହତ ହୋଇଥିଲେ । ସମଗ୍ର ଘଟଣାକୁ ଅଭିଯୋଗକାରୀ ତାଙ୍କ ମୋବାଇଲ ଫୋନରେ ଉତ୍ତୋଳନ କରିନେଇଥିଲେ। ତଦନ୍ତ ସମୟରେ, ଅଭିଯୁକ୍ତ ଏମଡି ଅମିର ଖାଁ ଓରଫ ସାଜୁଙ୍କୁ ପୁଲିସ ଗିରଫ କରିଥିବା ବେଳେ, ତାଙ୍କ ହେପାଜତରୁ ଏକ ଲୁହା ଖଣ୍ଡା ଜବତ କରିଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିଲେ। ଅପରାଧିକ ପୂର୍ବାଲୋକନ ଯାଞ୍ଚରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଏମଡି ଅମିର ଖାଁ ଓରଫ ସାଜୁ ପୂର୍ବରୁ ମଧ୍ୟ ଜଟଣୀ ଥାନାର ଦୁଇଟି ଭିନ୍ନ ମାମଲାରେ ଜଡିତ ଅଛନ୍ତି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।