ଦୁଇଟି ପିଲାଙ୍କୁ ମାରିଲା, ପୁଲିସ ଗୁଳିରେ ମଲା କ୍ରୋଧାନ୍ଧ

ବଦାଉଁ: କ୍ରୋଧ ନିମିଷକ ପାଇଁ ମଣିଷକୁ ବିବେକଶୂନ୍ୟ କରି ଏପରି ହୀନ ବାଟକୁ ନେଇଯାଏ ଯାହାର ସମାଧାନ ହୁଏତ ଜେଲ ଅବା ଫାଶୀ । ୟୁପିର ବଦାଉଁ ଅଂଚଳରେ ଦୁଇଜଣ ବ୍ୟକ୍ତିଙ୍କ ହମ୍‌ଲାରେ ଦୁଇଜଣ ନିରୀହ ପିଲା ପ୍ରାଣ ହରାଇଛନ୍ତି । ଦୁଇ ଅଭିଯୁକ୍ତଙ୍କ ଭିତରୁ ଜଣେ ପୁଲିସ ହାତରେ ଜୀବନ ଦେଇଥିବା ଶୁଣିବାକୁ ମିଳୁଛି । ଦୁଇ ଅଭିଯୁକ୍ତଙ୍କ ନାମ ଜାଭେଦ ଓ ସାଜିଦ ।  ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜାଭେଦ ପୁଲିସ ଗୁଳିରେ ନିହତ ହୋଇଛି ।

ସୂଚନା ମୁତାବକ ବଦାଉଁ ଅନ୍ତର୍ଗତ ବାବା କଲୋନୀରେ ବିନୋଦ କୁମାର ପତ୍ନୀ ସଂଗୀତା ଓ ତିନୋଟି ପିଲାଙ୍କୁ ସହିତ ବସବାସ କରନ୍ତି । ସାଜିଦ ଓ ଜାଭେଦ ସେମାନଙ୍କ ଘର ସାମ୍ନାରେ ଭଡ଼ା ସୂତ୍ରରେ ଦୋକାନ ଖୋଲିଛନ୍ତି । ବେଶ କିଛି ମାସ ଧରି ବିନୋଦଙ୍କ ପରିବାର ସହିତ ଜାଭେଦ ଓ ସାଜିଦଙ୍କ ବିବାଦ ଚାଲିଥିଲା ।

ମଙ୍ଗଳବାର ସନ୍ଧ୍ୟା ସମୟରେ ବିନୋଦଙ୍କ ପତ୍ନୀ ସଂଗୀତା ଓ ତିନିଜଣ ପିଲା ଘରେ ଥିଲାବେଳେ ଦୁଇ ଅଭିଯୁକ୍ତ ଜାଭେଦ ଓ ସାଜିଦ ସେମାନଙ୍କ ଘରେ ପଶି ସିଧା ଉପର ମହଲାକୁ ଯାଇ ପିଲାମାନଙ୍କୁ ହମ୍‌ଲା କଲେ । ବିଚରା ସଂଗୀତା ବଡ଼ପାଟିରେ ଡାକ ପକାଇଲେ । ପଡେ଼ାଶୀ ଲୋକମାନେ ସଂଗୀତାଙ୍କ ଘରକୁ ଆସିଲା ବେଳକୁ ଜାଭେଦ ଓ ସାଜିଦ ସେଠାରୁ ଚମ୍ପଟ ମାରିଥିଲେ ।

ସଂଗୀତାଙ୍କ ଆଖି ଆଗରେ ରକ୍ତ ଜୁଡ଼ୁବୁଡ଼ୁ ତିନୋଟି ପିଲା ପଡ଼ିଥିଲେ । ଦୁଇଜଣ ପିଲା ପ୍ରାଣ ହରାଇ ସାରିଥିଲେ ଓ ଜଣେ ଗୁରୁତର ଥିଲେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ଉତ୍ୟକ୍ତ  ଲୋକଙ୍କ କବଳରୁ ମୃତଦେହକୁ ଜବତ କରିବା ପୁଲିସ ପକ୍ଷେ ସମ୍ଭବ ହୋଇ ନଥିଲା । ଦୁଇ ଅଭିଯୁକ୍ତ ଧରା ନପଡ଼ିବା ପର୍ଯ୍ୟନ୍ତ ମୃତଦେହକୁ ରାସ୍ତା ଉପରେ ରଖି ଲୋକମାନେ ବସିପଡ଼ିଲେ ।

କିଛି ସମୟ ପରେ ପୁଲିସ ଅଭିଯୁକ୍ତ ସାଜିଦକୁ ଧରିଥିଲା ।

ସାଜିଦ ନିକଟରୁ ଜାଭେଦର ଠିକଣା ପାଇ ପୁଲିସ ତାକୁ ଧରିବାକୁ ବାହାରିଗଲା । ମାତ୍ର ପରେ ଶୁଣିବାକୁ ମିଳିଲା ଯେ ପୁଲିସ ଗୁଳିରେ ଜାଭେଦ ପ୍ରାଣ ହରାଇଛି ।