ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ସତ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ସବୁ ସତ ଓଗାଳିଥିବା ସୂଚନା ଦେଲା କ୍ରାଇମବ୍ରାଞ୍ଚ । ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପ୍ରଥମେ ମାନସଙ୍କୁ ପଳାସପୁରରୁ ଅପହରଣ କରିଥିଲେ । ପରେ ତାଙ୍କୁ ଦୟାଲ ଆଶ୍ରମକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ନିରଞ୍ଜନ ଓ ଅନ୍ୟମାନେ ମାନସଙ୍କୁ ନିସ୍ତୁକ ପିଟିଥିଲେ । ପିଟିବା ପରେ ମାନସଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ହେବାପରେ ମୃତଦେହକୁ ଲୁଚାଇବା ପାଇଁ ପୁଣି ଚାଲିଥିଲା ଅଭିଯୁକ୍ତଙ୍କ ଷଡ଼ଯନ୍ତ୍ର ।

ଚଣ୍ଡିଖୋଲରୁ ମାନସଙ୍କ ଦରପୋଡ଼ା ଇୟର ଫୋନ୍‌, ଚପଲ, କୋଦାଳ, କଇଁଚି ଏବଂ ଶବ ନେଇଥିବା ଅଖା ଜବତ …..
ପରେ ମୃତଦେହକୁ ଏକ ଅଖାରେ ଲୁଚାଇ ଶର୍ମିଷ୍ଠାଙ୍କ କାର୍‌ରେ ନୟାଗଡ଼ର ରଣପୁରକୁ ନିଆଯାଇଥିଲା । ରଣପୁର ଅଞ୍ଚଳରେ ମାନସଙ୍କ ମୃତଦେହ ପୋତିବା ପରେ ସେଠାରୁ ଫେରିଥିଲେ ଅଭିଯୁକ୍ତ ମାନେ । ଫେରିବା ପରେ ଚଣ୍ଡିଖୋଲ ନିକଟରେ ମାନସଙ୍କ ରହିଥିବା କିଛି ଜିନିଷପତ୍ର ପୋଡ଼ିଥିଲେ । ଏନେଇ ସମସ୍ତ କଥା ଟିକନିଖ୍‌ ଭାବେ କ୍ରାଇମବ୍ରାଞ୍ଚକୁ ରଞ୍ଜନ କହିବା ପରେ ଘଟଣାସ୍ଥଳକୁ ରଞ୍ଜନକୁ ନେଇ କ୍ରାଇମବ୍ରାଞ୍ଚ ପ୍ରମାଣ ସଂଗ୍ରହ କରିଥିଲା । ଚଣ୍ଡିଖୋଲରୁ ମାନସଙ୍କ ଦରପୋଡ଼ା ଇୟର ଫୋନ୍‌, ଚପଲ, କୋଦାଳ, କଇଁଚି ଏବଂ ଶବ ନେଇଥିବା ଅଖା ଜବତ କରିଛି ।

ମାନସ ସ୍ୱାଇଁ ହତ୍ୟା ଘଟଣା ସମ୍ପର୍କରେ ୨ଟି ଗାଡ଼ିରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଚଣ୍ଡିଖୋଲ ନେଇଥିଲା । ସେଠାରେ ଏସବୁ ସତ ରଞ୍ଜନ ଓଗାଳିଥିବା କ୍ରାଇମବ୍ରାଞ୍ଚ କହିଛି । ତେବେ ଗତ ଦୁଇଦିନ ହେଲା ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ସହ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରୁଛି । ଆସନ୍ତାକାଲି ଅଭିଯୁକ୍ତ ମାନଙ୍କ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ହେବ ବୋଲି ସୂଚନା ଦିଆଯାଇଛି ।